ହାଇକୋର୍ଟ ବୁଲିଲେ ୟୁନିଟ୍‌-୮ ଡିଏଭି ସ୍କୁଲର ଛାତ୍ରଛାତ୍ରୀ

କଟକ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଭୁବନେଶ୍ବର ୟୁନିଟ-୮ ଡିଏଭି ପବ୍ଲିକ୍ ସ୍କୁଲର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ୨୫ଜଣ ଛାତ୍ରଛାତ୍ରୀ ହାଇକୋର୍ଟ ବୁଲିବା ସହ ନ୍ୟାୟିକ ବ୍ୟବସ୍ଥା ପ୍ରସଂଗରେ ଅବଗତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକଙ୍କ ସହ ଆସିଥିଲେ। ହାଇକୋର୍ଟ ହେରିଟେଜ ବିଲ୍ଡିଂ ‌ଓ ନୂଆ କୋଠାରେ ଥିବା ମୁଖ୍ୟ ବିଚାରପତିଙ୍କ କୋର୍ଟ ଓ ଚାମ୍ବର, ବିଚାରପତିଙ୍କ ଲାଇବ୍ରେରି, କନଫରେନ୍ସ ହଲ୍ ବୁଲି ଦେଖିଥିଲେ। ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବର ଭିଡିଓ ଓ ଏ ସଂପର୍କିତ ପ୍ରକ୍ରିୟା ପିଲାମାନଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା।

ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣିର ଭିଡିଓ କ୍ଲିପ୍ ଛାତ୍ରଛାତ୍ରୀମାନେ ଦେଖିଥିଲେ। ଛାତ୍ରଛାତ୍ରୀ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, ହାଇକୋର୍ଟ ଆର୍ବିଟ୍ରେସନ୍ ଓ ମେଡିଏସନ୍ ସେଣ୍ଟର ଥିବା ଅାଇନସେବା ଭବନ ବୁଲି ଦେଖିଥିଲେ। ସେଠାରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଓ ଗରିବଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଏହାର ଅବଦାନ ପ୍ରସଙ୍ଗରେ ଛାତ୍ରଛାତ୍ରୀ ଅବଗତ ହୋଇଥିଲେ। ଜୁଡିସିଆଲ ଏକାଡେମିଠାରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ସହ ଛାତ୍ରଛାତ୍ରୀମାନେ ଭାବବିନିମୟ କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଅନୁଶୀଳନ ଉଦ୍ୟମ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଆଇନଜୀବୀ ସାଗରିକା ସାହୁ ଓ ଶୈଲେନ ଦାସ ଉପସ୍ଥିତ ରହି ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ବିଭିନ୍ନ ପ୍ରସଙ୍ଗ‌ରେ ଅବଗତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସହିତ ଅନ୍ୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର