ଗ୍ୟାଲେରି ମରାମତି ଆଳରେ ଓସିଏ ବନ୍ଦ କରିଛି ଗେଟ୍‌, ୬ଶହ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ବାଟ

କଟକ: ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସରକାର ଏବେ ସ୍କୁଲ ଖୋଲିବା ଦିଗରେ ପଦକ୍ଷେପ ନେଉଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ଏହାର ପରସିର, ଆଖପାଖ ଅଞ୍ଚଳ ଓ ସ୍କୁଲକୁ ଯିବାଆସିବା ପାଇଁ ଥିବା ରାସ୍ତାକୁ ବ୍ୟବସ୍ଥିତ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଥିବା ସେଣ୍ଟ ଜାଭିୟର୍ସ (ସିବିଏସ୍‌ଇ) ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବା ଓ ଯିବା ପାଇଁ ଥିବା ଦୁଇଟି ଗେଟ୍‌ରୁ ଗୋଟିଏ ଗେଟ୍‌କୁ ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏସନ୍‌) ଦୀର୍ଘ ମାସ ଧରି ବନ୍ଦ କରି ରଖିଛି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯିବାଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା କାଳରେ ଗୋଟିଏ ଗେଟ୍‌ ଦେଇ ଯିବା ଆସିବା ହେଉଥିବାରୁ ସ୍କୁଲ ଖୋଲିବା ଓ ଛୁଟି ହେବା ସମୟରେ ଗହଳି ଦେଖାଯାଉଛି। ଏଭଳି ସ୍ଥିତିରେ କରୋନା ସଂକ୍ରମଣ ବଢ଼ିଲେ ଓସିଏ କର୍ତ୍ତୃପକ୍ଷ ଦାୟୀ ରହିବେ କି ବୋଲି ଅଭିଭାବକ ମହଲରେ ପ୍ରଶ୍ନ ହୋଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତମାସ ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହା ପୂର୍ବରୁ ଗତମାସ ୨୫ରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା। କରୋନା ସଂକ୍ରମଣ କମିଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୬୦ ପ୍ରତିଶତରୁ ଅଧିକ ରହୁଛି। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିସର ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେପରି କରୋନ ସଂକ୍ରମଣ ନ ବ୍ୟାପେ ସେଥିପାଇଁ ବିଶେଷ ଧ୍ୟାନ ଦେବା ସହିତ ଅଯଥା ଗହଳି ନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ହେଲେ ଷ୍ଟାଡିୟମ୍‌ ପରିସରରେ ଥିବା‌ ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ଆସିବା ଓ ଯିବା ପାଇଁ ଦୁଇଟି ଗେଟ୍‌ ଥିବା ବେଳେ ଗୋଟିଏ ଗେଟ୍‌କୁ ଓସିଏ ବନ୍ଦ କରି ରଖିଛି।

ଗ୍ୟାଲେରି ନମ୍ବର ୬ ଓ ୭ର ମରାମତି ନାଁରେ ଓସିଏ ୪ ମାସରୁ ଅଧିକ ସମୟ ବାରବାଟୀ ପ୍ୟାଲେସ୍‌ ନିକଟରେ ଥିବା ଗେଟ୍‌କୁ ବନ୍ଦ କରି ରଖିଛି। ଏବେ ଏନ୍‌ସିସି କାର୍ଯ୍ୟାଳୟ ପାଖରେ ଥିବା ଗେଟ୍‌ ଦେଇ ସ୍କୁଲ ଛାତ୍ରଛାତ୍ରୀ ଯିବାଆସିବା କରୁଛନ୍ତି। ସ୍କୁଲକୁ ପ୍ରତିଦିନ ୬ଶହରୁ ଅଧିକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ସ୍କୁଲ୍‌ ବସ୍‌ ଗୋଟିଏ ଗେଟ୍‌ ଦେଇ ଯିବା ଆସିବା କରୁଛନ୍ତି। ଅନ୍ୟପଟେ ଉକ୍ତ ଗେଟ୍‌ ଦେଇ ଓସିଏ କାର୍ଯ୍ୟାଳୟ, ଓସିଏ କ୍ଲବ୍‌ ଓ ଗେଷ୍ଟ ହାଉସ୍‌, ଇଣ୍ଡିଆନ୍‌ ଅଡିଟ୍‌ ଆଣ୍ଡ ଆକାଉଣ୍ଟ ଡିପାର୍ଟମେଣ୍ଟ, ହକି ଓଡ଼ିଶା, ସ୍ପୋର୍ଟ‌୍ସ ଅଥରଟି ଅଫ୍‌ ଇଣ୍ଡିଆ ପରି ୧୨ରୁ ଅଧିକ ବିଭିନ୍ନ କାର୍ଯ୍ୟାଳୟକୁ ଜନସାଧାରଣ ଯିବାଆସିବା କରୁଛନ୍ତି। ଦୁଇଟି ଗେଟ୍‌ ସ୍ଥାନରେ ଗୋଟିଏ ଗେଟ୍‌ ବ୍ୟବହାର କରାଯାଉଥିବାରୁ ସ୍କୁଲ ଖୋଲିବା ଓ ଛୁଟି ହେବା ସମୟରେ ଏଠାରେ ଭିଡ଼ ହେଉଛି। ଏପରି ପରିସ୍ଥିତିରେ ‌କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାରେ ସମସ୍ୟା ହେଉଛି। ଏଭଳି ସ୍ଥିତିରେ ସ୍କୁଲର ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୋଭିଡ୍‌ ହେଲେ ଓସିଏ କର୍ତ୍ତୃପକ୍ଷ ଦାୟୀ ରହିବେ କି ବୋଲି ଅଭିଭାବକ ମହଲରେ ପ୍ରଶ୍ନ ହୋଇଛି। ଗୋଟିଏ ଗେଟ୍‌ ଦେଇ ୬ଶହରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସ୍କୁଲକୁ ଯିବା ଆସିବା କରୁଥିବାରୁ କୋଭିଡ୍‌ ନିୟମ ପାଳନ ହୋଇ ପାରୁ ନାହିଁ। ଓସିଏ କର୍ତ୍ତୃପକ୍ଷ ତୁରନ୍ତ ବାରବାଟୀ ପ୍ୟାଲେସ୍‌ ପାଖ ଗେଟ୍‌କୁ ଖୋଲିବା ଦିଗରେ କାମ କରନ୍ତୁ ବୋଲି ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଅଭିଭାବକ ସଂଘ ମୁଖ୍ୟ ଉପଦେ‌ଷ୍ଟା ତଥା ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର