ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟା ମାମଲା : ଅଭିଯୁକ୍ତ ଦୁଇଭାଇଙ୍କୁ ଆଜୀବନ କାରାଦଣ୍ଡ

କଟକ : ବାଲେଶ୍ୱରର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କଟକର ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁ ଦୁଇ ଅଭିଯୁକ୍ତ ଭାଇଙ୍କୁ ଆଇପିସିର ଦଫା ୩୦୨ ଓ ୧୨୦-ବିରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଇ ଭାଇ ଜ୍ୟୋତିରଂଜନ ମହାନ୍ତି ଓ ମିକି ଓରଫ୍‌ ପ୍ରିୟରଂଜନ ମହାନ୍ତିଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଏଥି ସହିତ ପ୍ରିୟରଂଜନ ମହାନ୍ତିଙ୍କୁ ଆଇପିସିର ଦଫା ୨୦୧ରେ ଅଦାଲତ ୪ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱରରେ ଘଟିଥିବା ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ଶୁଣାଣି ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକରେ ହୋଇଥିଲା। ମାମଲା ପରିିଚାଳନା ପାଇଁ କଟକ ଜିଲ୍ଲାର ପବ୍ଲିକ୍‌ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ହତ୍ୟାକାଣ୍ଡର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ବେଳେ ଅଭିଯୁକ୍ତଙ୍କ ରକ୍ତ ଭିଜା ପୋଷାକ, ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଅଭିଯୁକ୍ତଙ୍କ ଆଙ୍ଗୁଠି ଛାପ ସହିତ ଏ ସଂପର୍କିତ ଫୋରେନସିକ୍‌ ରିପୋର୍ଟ, ଫୋନ କଲ ରେକର୍ଡ ରିପୋର୍ଟ, ଘଟଣା ପଛରେ ଥିବା ଉଦ୍ଦେଶ୍ୟ, ଅନ୍ୟାନ୍ୟ ପାରିପାର୍ଶ୍ୱିକ ପରିସ୍ଥିତି ଓ ସାକ୍ଷୀଙ୍କ ବୟାନକୁ ଭିିତ୍ତି କରି ଅଭିଯୁକ୍ତମାନଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ଜଣାପଡିଛି। କିନ୍ତୁ ଏହା ଏକ ବିରଳ ଅପରାଧ ହୋଇ ନଥିବା ଦୃଷ୍ଟିରୁ ଦୁଇ ଅଭିଯୁକ୍ତଙ୍କୁ ଅଦାଲତ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

୨୦୧୩ ମାର୍ଚ୍ଚ ୧୬ରେ ସରକାରୀ କ୍ୱାର୍ଟରରେ ଅନୁପମା ବେହେରାଙ୍କ ସନ୍ଦେହଜନକ ଅବସ୍ଥାରେ ଶବ ମିଳିଥିଲା। ଏହା ହତ୍ୟାକାଣ୍ଡ ବୋଲି ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଦୁଇ ଭାଇ ଜ୍ୟୋତିରଂଜନ ଓ ପ୍ରିୟରଂଜନଙ୍କୁ ମାମଲାରେ ଗିରଫ କରାଯାଇଥିଲା। ସହଦେବଖୁଣ୍ଟା ଥାନାର ତତ୍କାଳୀନ ଆଇଆଇସି ମନୋଜ କୁମାର ରାଉତ ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ। କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ଙ୍କ ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ଅନୁପମା ବେହେରାଙ୍କ ସ୍ୱାମୀ, ବାପା, ସଂପର୍କୀୟ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ସାଇଣ୍ଟିଫିକ ଅଫିସର, ତଦନ୍ତକାରୀ ଅଧିକାରୀ, ତାଙ୍କ କାର୍ଯ୍ୟାଳୟ ଓ କ୍ୱାର୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀ, ସ୍ଥାନୀୟ ଓକିଲ, ଏଲଆଇସି ଏଜେଣ୍ଟଙ୍କ ସମେତ ୨୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ୫୯ଟି ନଥିପତ୍ର ଓ ୨୮ଟି ସାମଗ୍ରୀ (ମ୍ୟାଟେରିଆଲ୍‌ ଅବ୍‌ଜେକ୍ଟ) ପ୍ରସିକ୍ୟୁସନ୍‌ ପକ୍ଷରୁ ଦାଖଲ କରାଯାଇଥିଲା। ଅନୁପମା ବେହେରା କରିଥିବା ଜୀବନ ବୀମା ପଲିସିରେ ଜ୍ୟୋତିରଂଜନଙ୍କୁ ସ୍ୱାମୀ ତଥା ଏକମାତ୍ର ନୋମିନି ଭାବେ ଦର୍ଶାଇଥିଲେ ଓ ଦୁଇ ଅଭିଯୁକ୍ତ ନିୟମିତ ଭାବେ ତାଙ୍କ ସରକାରୀ କ୍ୱାର୍ଟରକୁ ଯାଉଥିଲେ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏନେଇ ଅଭିଯୁକ୍ତଙ୍କ ପରିବାରେ ଅଶାନ୍ତି ଦେଖା ଦେଇଥିବା ବେଳେ ଏହି ହତ୍ୟାକାଣ୍ଡ ପଛରେ ଥିବା ଉଦ୍ଦେଶ୍ୟ ଏଥିରୁ ସ୍ପଷ୍ଟ ହୋଇଥିଲା।

ଏଥି ସହିତ ପ୍ରିୟରଂଜନଙ୍କ ଟ୍ରାକ୍‌ ସୁଟ୍‌ରୁ ମଣିଷ ରକ୍ତର ଦାଗ ମିଳିଥିଲା ଓ ଏହା କେମିକାଲ ଏକାଜାମିନେସନ୍‌ ପାଇଁ ପଠା ଯାଇଥିଲା। ମିକିଙ୍କ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିବା ବେଳେ ଏହାର କଲ୍‌ ରେକର୍ଡ ଯାଞ୍ଚରୁ ୨୦୧୩, ମାର୍ଚ୍ଚ ୧୪ରେ ସେ ନିଜ ଭାଇ, ଭଉଣୀ ଓ ଅନୁପମା ବେହେରାଙ୍କ ସହିତ ବାରମ୍ବାର କଥା ହୋଇଥିବା ଜଣା ପଡିଥିଲା। ଫୋନକଲ୍‌ କେରର୍ଡରୁ ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ଉପସ୍ଥିତି ମଧ୍ୟ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଜ୍ୟୋତିରଂଜନ ଓ ପ୍ରିୟରଂଜନଙ୍କ ବୟାନ ମଧ୍ୟ କୋର୍ଟରେ ରେକର୍ଡ କରାଯାଇଥିଲା। ଉଭୟ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ସେମାନଙ୍କ ଭାଇ ବିଶ୍ୱ ରଂଜନ ମହାନ୍ତି ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ୍‌ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ କହିଛନ୍ତି ଯେ ଏହି ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବା ଏକ ଚାଲେଞ୍ଜ ଥିଲା। ପାରିପାର୍ଶ୍ୱିକ ପରିସ୍ଥିତି, ଫୋରେନସିକ୍‌ ରିପୋର୍ଟ ସହିତ ସାକ୍ଷୀଙ୍କ ବୟାନରୁ ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ ପ୍ରମାଣ କରିବା ପାଇଁ ପ୍ରୟାସ କରାଯାଇଥିଲା।

ସମ୍ବନ୍ଧିତ ଖବର