ସଫଳ ବ୍ୟକ୍ତିମାନେ ଆତ୍ମଜୀବନୀ ଲେଖନ୍ତୁ: ସୌମ୍ୟ

ଡାକ୍ତର ନିମାଇଁ ଚରଣ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

କଟକ: ଡାକ୍ତର ନିମାଇଁ ଚରଣ ପଣ୍ଡା ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ରୋଗୀ ସେବା ସହ ସାହିତ୍ୟ ସାଧନାରେ ତାଙ୍କର ରୁଚି ଥିଲା। ସେ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ମଧ୍ୟବିତ୍ତ ପରିବାରରୁ ଆସି ବା‌ୟୋକେମେଷ୍ଟ୍ରି ଭଳି ଜଟିଳ ବିଷୟକୁ କରାୟତ କରି ସେ ଏହି ବିଭାଗର ପ୍ରଫେସର ହୋଇ ପାରିଥିଲେ।

ଏସ୍‌ସିବିରେ ବାୟୋକେମେଷ୍ଟ୍ରି ବିଭାଗ ପ୍ରତିଷ୍ଠା କରିବା ସହ ଅନେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ତାଙ୍କ ଭଳି ସଫଳ ବ୍ୟକ୍ତିଙ୍କ ଶ୍ରାଦ୍ଧସଭାକୁ ସତ୍‌ସଙ୍ଗ ଭଳି ପାଳନ କରିବା ଉଚିତ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଡାକ୍ତର ନିମାଇଁ ଚରଣ ପଣ୍ଡାଙ୍କ ପରିବାର ପକ୍ଷରୁ ସାରଳା ଭବନରେ ଆୟୋଜିତ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ନିମାଇଁ ବାବୁଙ୍କ ଭଳି ସଫଳ ବ୍ୟକ୍ତିମାନେ ନିଜ ନିଜ ଆତ୍ମଜୀବନୀ ଲେଖନ୍ତୁ। ଆତ୍ମଜୀବନୀ ଆମ ପାଇଁ ଅମୂଲ୍ୟ ସଂପଦ। ଏହା ସମସାମୟିକ ଘଟଣାବଳୀର ଏକ ଦସ୍ତାବିଜ୍। ଆତ୍ମଜୀବନୀ ସମୃଦ୍ଧ ନ ହେଲେ ଆମ ଇତିହାସ ଦୁର୍ବଳ ହୋଇଯିବ। ଆଜି ଯୁବପିଢ଼ି ନିମାଇଁ ପଣ୍ଡାଙ୍କ ଦୁଢ଼ ଇଚ୍ଛାଶକ୍ତି ଓ ପ୍ରଚଣ୍ଡ ଆତ୍ମବିଶ୍ବାସରୁ କିଛି କିଛି ଅନୁକରଣ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଶ୍ରାଦ୍ଧାସଭାରେ ଅନ୍ୟତମ ଅତିଥି ଭାବେ ପ୍ରଫେସର ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ, ପ୍ରଫେସର ନିମାଇଁ ଚରଣ ପଣ୍ଡାଙ୍କୁ ଆଦର୍ଶ ଶିକ୍ଷକ, ମୂଲ୍ୟବୋଧସଂପନ୍ନ ଚିକିତ୍ସକ, ଦକ୍ଷ ଶିକ୍ଷା ପ୍ରଶାସକ ଓ ସୁଲେଖକ ଭାବେ ବର୍ଣ୍ଣନା କରିଥିଲେ। ସାରଳା ସାହିତ୍ୟ ସଂସଦର ପ୍ରତି‌ଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଫେସର ପଣ୍ଡାଙ୍କୁ ଜଣେ ଭଲ ଡାକ୍ତର, ସୁସାହିତ୍ୟକ ଓ ସର୍ବୋପରି ଦରଦି ମଣିଷ ଭାବେ ବର୍ଣ୍ଣନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ପ୍ରଭାତ କୁମାର ମିଶ୍ର, ପ୍ରଫେସର ଭାରତୀ ବେହେରା, ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ, ଡାକ୍ତର ପଣ୍ଡାଙ୍କ ଜ୍ବାଇଁ ତଥା ତ୍ରିପୁରାର ପ୍ରାକ୍ତନ ମୁଖ୍ୟ ଶାସନସଚିବ ସଞ୍ଜୟ ପଣ୍ଡା, ପ୍ରଫେସର ବିଜୟ କୁମାର ନନ୍ଦ, ସମାଜସେବୀ ଓମ୍‌ପ୍ରକାଶ ଅଗ୍ରୱାଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଉତ୍ସବରେ ଡାକ୍ତର ପଣ୍ଡାଙ୍କ ପତ୍ନୀ କିରଣବାଳା ପଣ୍ଡା, ଶାଳକ ଜଷ୍ଟିସ୍ ଚୌଧୁରୀ ପ୍ରତାପ କେଶରୀ ମିଶ୍ର, ପୁଅ ଅଶ୍ବିନୀ ପଣ୍ଡା, ଅରୂପ ପଣ୍ଡା, ଅନୁପ ପଣ୍ଡା, ଝିଅ ଅରୁଣା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ ଡାକ୍ତର ପଣ୍ଡାଙ୍କ ସ୍ମରଣିକା ‘ଅପାସୋରା ଜୀବନ ଉନ୍ମୋଚିତ ହୋଇଥିଲା। ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର