କଟକ: ସହରର ପ୍ରତି ଘରକୁ ୨୦୨୩ ଡିସେମ୍ବର ମଧ୍ୟରେ ‘ସୁଜାଲା-ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଯୋଜନାରେ ସାମିଲ କରାଯିବ। ସବୁ ଘରକୁ ୨୪ ଘଣ୍ଟା ପାଇଁ ପାଣି ଯୋଗାଇ ଦିଆଯିବା ସହ ଲୋକେ ସିଧା ଟ୍ୟାପରୁ ସ୍ବଚ୍ଛ ପାଣି ପିଇପାରିବେ। ସିଏମ୍ସିର ୪୮ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ୱାଟ୍କୋର ପାଇଲଟ୍ ପ୍ରୋଜେକ୍ଟରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ଉକ୍ତ ଯୋଜନାରେ ମହାନଗର ନିଗମର ୫୯ଟି ୱାର୍ଡକୁ ୫୫ଟି ଜୋନ୍ରେ ବିଭକ୍ତ କରାଯାଇଛି। ୫୯ଟି ୱାର୍ଡକୁ ବିଶୁଦ୍ଧ ନଦୀପାଣି ଯୋଗାଇ ଦେବାପାଇଁ ୱାଟକୋ ପକ୍ଷରୁ ୩ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇଛି। କଟକର ୧ଲକ୍ଷ ୪୦ ହଜାରରୁ ଅଧିକ ଘରକୁ ଆସନ୍ତା ଦେଢ ବର୍ଷ ମଧ୍ୟରେ ୨୪ ଘଣ୍ଟା ପାଇଁ ପାଣି ଯୋଗାଇ ଦିଆଯିବ। ଏଥିରେ ୮ଲକ୍ଷରୁ ଅଧିକ ଲୋକେ ସିଧାସଳଖ ଟ୍ୟାପରୁ ପାଣି ପିଇପାରିବେ। ମାଟି ତଳ ଜଳ ବଦଳରେ କଟକବାସୀଙ୍କୁ ବିଶୁଦ୍ଧ ନଦୀପାଣି ଦିଆଯିବ। ୱାଟକୋ ପକ୍ଷରୁ ୨୦୨୩ ଡିସେମ୍ବର ସୁଦ୍ଧା ସହରର ପ୍ରତି ଘରକୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସହରକୁ ୫୫ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍ରେ ଗୋଟିଏ ଓଭର ହେଡ୍ ପାଣି ଟାଙ୍କି ରହିବ। ଏଥିମଧ୍ୟରେ ୩୭ଟି ଟାଙ୍କି ନିର୍ମାଣ ଶେଷ ହୋଇଥିବା ବେଳେ ଆସନ୍ତା ଦିନରେ ୧୮ଟି ଓଭର ହେଡ୍ ଟାଙ୍କି ନିର୍ମାଣ କରାଯିବ।
ଏହାସହ ସହର ମଧ୍ୟରେ ୬ଶହ କିଲୋମିଟର ପୁରୁଣା ପିଭିସି ପାଇପ୍କୁ ବଦଳା ଯାଇ ଡିଆ (ଡକ୍ଟାଇଲ୍ ଆଇରନ) ପାଇପ ବିଛା ଯାଇଛି। ଆସନ୍ତା ସମୟରେ ୨୯୭ କିଲୋମିଟର ପୁରୁଣା ପାଇପକୁ ବଦଳାଯିବ ବୋଲି ୱାଟ୍କୋ ପକ୍ଷରୁ ସୂଚନା ଦିଆଯାଇଛି। ନଦୀପାଣିକୁ ବିଶୁଦ୍ଧ କରି ସହରବାସୀଙ୍କୁ ଦେବାପାଇଁ ୩ଟି ପାଣି ବିଶୋଧନ କେନ୍ଦ୍ର ବା ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ସିଡିଏ, ଜଗତପୁର ଓ ପ୍ରତାପନଗରୀଠାରେ ନିର୍ମାଣ ହୋଇଛି। ଜଗତପୁର ପ୍ଲାଣ୍ଟରୁ ୪୮ ଓ ୪୯ ନମ୍ବର ୱାର୍ଡକୁ, ପ୍ରତାପନଗର ପ୍ଲାଣ୍ଟରୁ ୫୬, ୫୭, ୫୮ ଓ ୫୯ ୱାର୍ଡକୁ ପାଣି ଯୋଗାଇ ଦିଆଯିବ। ବାକି ୫୩ଟି ୱାର୍ଡକୁ ସିଡିଏ ପ୍ଲାଣ୍ଟରୁ ପାଣି ଦିଆଯିବ। ୱାଟକୋ ପକ୍ଷରୁ ଏହି ଯୋଜନାରେ ସିଏମ୍ସି ୱାର୍ଡ ନମ୍ବର ୪୮ର ୩ ହଜାର ୧୨୭ ଘର ଓ କ୍ୟାଣ୍ଟେନ୍ମେଣ୍ଟ ରୋଡସ୍ଥିତ ୨୬୨ଟି ଘରକୁ ସାମିଲ କରାଯାଇ ୨୪ ଘଣ୍ଟା ପାଇଁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ୨୦୨୩ ଡିସେମ୍ବର ସୁଦ୍ଧା କଟକର ସମସ୍ତ ବାସିନ୍ଦାଙ୍କୁ ‘ସୁଜାଲା- ଡ୍ରିଙ୍କିଙ୍ଗ୍ ଫ୍ରମ୍ ଟ୍ୟାପ୍’ ଯୋଜନାରେ ସାମିଲ କରାଯିବ ବୋଲି ୱାଟ୍କୋ ମହା ପ୍ରବନ୍ଧକ (ଜିଏମ୍) ଦେବବ୍ରତ ମହାନ୍ତି କହିଛନ୍ତି।