କଟକ: ବହୁଚର୍ଚ୍ଚିତ ବେଲେଶ୍ବର ହତ୍ୟାକାଣ୍ତ ଘଟଣାକୁ ବର୍ଷେ ପୂରିଛି। ହେଲେ ମୃତ ଦମ୍ପତ୍ତିଙ୍କ ହତ୍ୟାକାରୀ ଏଯାଏ ମିଳିପାରି ନାହାନ୍ତି। ଆଇଆଇଏଫ୍ଏଲ୍ ଦୁର୍ନୀତି ହେଉ କି ଧଳସାମନ୍ତଙ୍କ ଘରୁ ବନ୍ଧୁକ, ଗୁଳି ଠାବ କରିବା ସବୁକଥାରେ ପୁଲିସ୍ କମିସନର ବାହାବା ସାଉଁଟୁଥିଲେ ବି ବେଲେଶ୍ବର ହତ୍ୟାକାଣ୍ତର କାରଣ ଖୋଜିବା ପୁଲିସ୍ ପକ୍ଷେ ସମ୍ଭବ ହେଉନି। ତେଣୁ ପୁଲିସ୍ ତଦନ୍ତ କରିବାରେ କେତେ ସକ୍ଷମ ତାହା ଏଥିରୁ ସ୍ପଷ୍ଟ ବାରିହେଉଛି। ପୁଲିସ୍ର ଦକ୍ଷତାକୁ ନେଇ ଯଦିଓ ପ୍ରଶ୍ନ କରାଯାଉ ନାହିଁ, ତଥାପି ହତ୍ୟାକାଣ୍ତର କାରଣ ଜାଣିବାକୁ ପୁଲିସ୍ ପାଖରେ କୌଣସି ସୁରାକ ନାହିଁ। ଯେଉଁ କେତୋଟି ଦିଗକୁ ନେଇ ପୁଲିସ୍ ତଦନ୍ତ କରୁଥିଲା, ସବୁଥିରେ ବିଫଳତା ହାତରେ ଲାଗିଛି। ତେଣୁ କିଛି କରିସ୍ମା ଉପରେ ଆଶା ରଖି ହାତବନ୍ଧି ବସିଛି କଟକ କମିସନରେଟ ପୁଲିସ୍।
/sambad/media/post_attachments/wp-content/uploads/2020/12/BELESWARA-RE-HATYA-1102128-300x223.jpg)
ଗତବର୍ଷ ଡିସେମ୍ବର ୧୨ ତାରିଖରେ ଘଟିଥିଲା ଏହି ରହସ୍ୟଜନକ ହତ୍ୟାକାଣ୍ତ। ବେଲେଶ୍ବର ନ୍ୟୁ କଲୋନିରେ ରହୁଥିବା ଶ୍ରୀନାଥ ସାମଲ (୭୦) ଓ ବିଦ୍ୟୁଲତା ସାମଲ (୬୫) ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପରିବାରର ଅନ୍ୟ କେହି ସଦସ୍ୟ ପାଖରେ ରହୁ ନଥିବାରୁ ବହୁ ବିଳମ୍ବରେ ଏହା ଜଣାପଡ଼ିଥିଲା। ରାତି ପ୍ରାୟ ୯ଟା ବେଳକୁ ଭୁବନେଶ୍ବରରେ ରହୁଥିବା ତାଙ୍କ ଝିଅ ଫୋନ କରିଥିଲେ। ମାତ୍ର ଫୋନ କେହି ଉଠାଇ ନଥିଲେ। ସନ୍ଦେହ ହେବାରୁ ଝିଅ ଶ୍ରୀନାଥଙ୍କ ଜଣେ ପଡ଼ୋଶୀଙ୍କୁ ଫୋନ କରି ତାଙ୍କ ବାପାଙ୍କ ସହ କଥା କରାଇବାକୁ କହିଥିଲେ। ପଡ଼ୋଶୀଜଣଙ୍କ ଶ୍ରୀନାଥଙ୍କ ଘରକୁ ଯାଇ ଦେଖିଲାବେଳକୁ ରକ୍ତାକ୍ତ ଅବସ୍ଥାରେ ଦୁଇଜଣଙ୍କ ମୃତଦେହ ପଡ଼ିଥିଲା। ମଧୁପାଟଣା ପୁଲିସ ପହଞ୍ଚି ଦୁଇଜଣଙ୍କ କ୍ଷତାକ୍ତ ମୃତଦେହ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ପନିକି, ହଳେ ଚପଲ ଆଦି ଜବତ କରିଥିଲା।
ପରଦିନ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଋଣ କାରବାର କିମ୍ବା ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ତ ଘଟିଥିବା ପୁଲିସ ପ୍ରଥମେ ସନ୍ଦେହ କରିଥିଲା। ତତ୍କାଳୀନ ଡିସିପି ଅଖିଳେଶ୍ବର ସି˚ହଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ୩ଟି ସ୍ବତନ୍ତ୍ର ଟମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ପୁଲିସ ଘରର ସହାୟିକାଠାରୁ ଆରମ୍ଭ କରି ଭଡାଟିଆ, ସମ୍ପର୍କୀୟ, ସାହିପଡ଼ିଶାଙ୍କୁ ମିଶାଇ ୫୦ରୁ ଅଧିକ ଜଣଙ୍କୁ ଜେରା କରିଥିଲା। ସେହିପରି କଟକ, ଭୁବନେଶ୍ବର, ଯାଜପୁର, ଜଗତସି˚ହପୁର ଜିଲ୍ଲାରେ ଛାନଭିନ୍ କରିବା ସହ ୫୦୦ରୁ ଅଧିକ କଲ୍ ଡିଟେଲ ରିପୋର୍ଟ (ସିଡିଆର) ମଧ୍ୟ ଯାଞ୍ଚ କରାଯାଇଥିଲା। ଏମିତିକି ଅପରାଧୀଙ୍କ ସମ୍ପର୍କରେ ସୂଚନାଦାତାଙ୍କ ଲାଗି ପରିବାର ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଏହା ସତ୍ତ୍ବେ ହତ୍ୟାକାରୀକୁ ଧରିବାରେ ପୋଲିସ ସଫଳ ହୋଇନି। ଏ ପର୍ଯ୍ୟନ୍ତ ହତ୍ୟାକାରୀ ଧରାପଡ଼ି ନଥିବାରୁ କମିସନରେଟ ପୁଲିସର ତଦନ୍ତ ଉପରେ ପରିବାର ସଦସ୍ୟଙ୍କ ଭରସା ପାଉ ନାହିଁ। ତେଣୁ ଘଟଣାର ତଦନ୍ତଭାର ସିବିଆଇ କିମ୍ବା ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦେବା ଲାଗି ମୃତକଙ୍କ ପୁଅ ଅନୁରୋଧ କରିଛନ୍ତି।
/sambad/media/post_attachments/wp-content/uploads/2020/12/BELESWARA-RE-HATYA-10102133-300x179.jpg)
ଏହି ଘଟଣା ପରଠୁ ସହରରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ପୁଲିସ୍ର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି କଟକ ବରିଷ୍ଠ ନାଗରିକ ମହାସଭା। ତେଣୁ ୧୫ ତାରଖ ପର୍ଯ୍ୟନ୍ତ କମିସନରେଟ ପୁଲିସ୍କୁ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ କୌଣସି ଅପରାଧୀଙ୍କୁ ଧରା ନ ଯାଏ ତେବେ ୨୧ରେ ଡିଜି ଅଫିସ ଆଗରେ ବିକ୍ଷୋଭ କରାଯିବାକୁ ଚେତାବନୀ ଦିଆଯାଇଛି। ଏଭଳି ଏକ ରହସ୍ୟମୟ ହତ୍ୟାକାଣ୍ତର ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚ କିମ୍ବା ସିବିଆଇକୁ ଦିଆଯାଉ ବୋଲି ମହାସଭା ପକ୍ଷରୁ ଦାବି କରାଯିବ। ତେଣୁ ଏହି ସମୟ ଭିତରେ ପୁଲିସ ନିଶ୍ଚୟ କିଛି କରିବ ବୋଲି ସେ ଆଶା ରଖିଛନ୍ତି। ଗୋଟିଏ ବର୍ଷ ପର୍ଯ୍ୟନ୍ତ ପୁଲିସ୍ ହାତ ଖାଲି ରହିବା ନିଶ୍ଚିତ ଏକ ଚାଲେଞ୍ଜ। ତେଣୁ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ପୁଲିସ୍ କିଛି କରି ଦେଖାଉ ଏବ˚ ଏହାଦ୍ବାରା ସହରବାସୀଙ୍କର ପୁଲିସ୍ ଉପରେ ଭରସା ରହିପାରିବ ବୋଲି ବରିଷ୍ଠ ନାଗରିକ ମହାସଭାର ସମ୍ପାଦକ ବିଷ୍ଣୁମୋହନ ଦାସସାମନ୍ତ କହିଛନ୍ତି।