‘ସ୍ବିଗି’ ବଏଙ୍କ ରହସ୍ୟଜନକ ମୃତ୍ୟୁ, ଏନ୍‌ଏଲ୍‌ୟୁ ରାସ୍ତାରେ ଯୁବକଙ୍କ ଶବ

ଶନିବାର ରାତିରୁ ପତ୍ତା ନ ଥିଲା, ଦୁଇଦିନ ପରେ ପୁଅ ଏକୋଇଶିଆ ପାଳିଥା’ନ୍ତେ

କଟକ/ସିଡିଏ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍‌ଏଲ୍‌ୟୁ) ନିକଟ ରାସ୍ତାପାର୍ଶ୍ବରୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ବିଗିର ଡେଲିଭରି ବଏଙ୍କ ଶବ ମିଳିଛି। ମୃତ ଯୁବକ ନିରାକାର ବେତାଳ(୨୭) ଶନିବାର ରାତିରୁ ଖାଦ୍ୟ ଡେଲିଭରି କରିବାକୁ ଯାଇ ନିଖୋଜି ଥିବା ବେଳେ ଆଜି ରାସ୍ତା ପାର୍ଶ୍ବରୁ ରହସ୍ୟଜନକ ଭାବେ ତାଙ୍କ ଶବ ମିଳିବା ଘଟଣା କଟକରେ ଆଲୋଡ଼ନ ସୃଷ୍ଟି କରିଛି। ଶନିବାର ନିରାକାରଙ୍କ ଫୋନ୍ ସୁଇଚ୍ ଅଫ୍ ରହିବାରୁ ସୁଇଗି କମ୍ପାନିକୁ ପରିବାର ଲୋକେ ତାଙ୍କ ମୋବାଇଲ୍ ଲୋକେସନ୍ ମାଗିଥିଲେ। କିନ୍ତୁ ସୁଇଗି କୌଣସି ପ୍ରକାର ସହଯୋଗ କରି ନଥିବା ସେମାନେ ଅଭିଯୋଗ ହୋଇଛି। ୧୮ଦିନ ତଳେ ନିରାକାରଙ୍କର ଏକ ପୁତ୍ର ଜନ୍ମ ନେଇଥିବା ବେଳେ ଆଉ ୩ଦିନ ପରେ ସେ ଏକୋଇଶା ପାଳନ କରିଥା’ନ୍ତେ। ଏପରି ସ୍ଥିତିରେ ତାଙ୍କ ମୃତ୍ୟୁ ଖବର ପାଇ ସମଗ୍ର ପରିବାର ଭାଙ୍ଗି ପଡ଼ିଛି।

ସୂଚନା ଅନୁଯାୟୀ, ଗଲା ଏକବର୍ଷ ହେବ ସିଡିଏ ସେକ୍ଟର୍‌-୭ର ପ୍ଲଟ୍‌ ନଂ ଏଫ୍/୫୫୨ରେ ରହୁଥିବା ନିରାକାର ସ୍ବିଗିରେ କାମ କରୁଥିଲେ। ଶେଖର ବେତାଳଙ୍କ ପୁଅ ନିରାକାର ସେକ୍ଟର୍‌-୭ରେ ବାପାଙ୍କ ଏକ କପଡ଼ା ଦୋକାନରେ ବି କାମ କରନ୍ତି। ନିରାକାର ଶନିବାର ରାତି ପ୍ରାୟ ୮ଟା ୩୦ରୁ ୯ଟା ଭିତରେ ସେକ୍ଟର୍‌-୬ରେ ଥିବା ‘ୱାଓ ଚାଇନା’ରୁ ମୋମୋ, ମଞ୍ଚୁରିଆନ୍ ଇତ୍ୟାଦି ଅର୍ଡର ନେଇ ଏନ୍‌ଏଲ୍‌ୟୁ ଆଡ଼କୁ ଗ୍ରାହକଙ୍କୁ ଡେଲିଭରି କରିବାକୁ ଯାଉଥିଲେ। ରାତି ପ୍ରାୟ ୯ଟା ପରେ ତାଙ୍କୁ ଯେତେବେଳେ ପରିବାର ଲୋକେ ଫୋନ୍ କରିଥିଲେ ଯୋଗାଯୋଗ ସମ୍ଭବପର ହୋଇ ନଥିଲା। ରାତିରେ ସାହି ପଡ଼ିଶାରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ମିଳି ନଥିଲା। ରାତି ପ୍ରାୟ ୧୦ଟା ବେଳେ ପରିବାର ଲୋକେ ସୁଇଗି କର୍ତ୍ତୃପକ୍ଷଙ୍କୁ ନିରାକାରଙ୍କ ମୋବାଇଲ୍ ଲୋକେସନ୍ ମାଗିଥିଲେ। କିନ୍ତୁ କମ୍ପାନି ପକ୍ଷରୁ କୌଣସି ସହଯୋଗ ମିଳି ନଥିଲା। ଲୋକେସନ୍ ଦେବାକୁ ସେମାନେ ଏକ ପ୍ରକାର ମନା କରିଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି। ରବିବାର ସକାଳ ପ୍ରାୟ ୮ଟା ବେଳେ ପୁଣି ଥରେ ପରିବାର ଲୋକେ ସ୍ବିଗି କମ୍ପାନିକୁ ଫୋନ୍ କରିବାରୁ ସେମାନେ ଲୋକେସନ୍ ଦେଇଥିଲେ। ନିରାକାରଙ୍କ ଶେଷ ଲୋକେସନ୍ ଏନ୍‌ଏଲ୍‌ୟୁ ଆଖପାଖରେ ଥିବା ସୂଚନା ମିଳିଥିଲା। ପରିବାର ଲୋକେ ଖୋଜାଖୋଜି ପରେ ରବିବାର ସକାଳେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଆଡ଼କୁ ଯାଇଥିବା ରାସ୍ତାର ବାମପଟେ ଏକ ବୁଦାରେ ନିରାକାରଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ନିକଟରେ ତାଙ୍କ ହିରୋ ସ୍ପ୍ଲେଣ୍ଡର୍‌ ବାଇକ୍(ଓଡି-୦୫ବିଏ- ୯୨୩୬) ପଡ଼ିଥିଲା। ନିରାକାରଙ୍କ ଶବ ନିକଟରୁ ତାଙ୍କ ମୋବାଇଲ୍ ଫୋନ୍, ପର୍ସ, ପାର୍ସଲ୍ ଖାଦ୍ୟ ପୁଲିସ ଉଦ୍ଧାର କରିଛି। ଗ୍ରାହକଙ୍କୁ ଖାଦ୍ୟ ଡେଲିଭରି କରିବା ପୂର୍ବରୁ ରାସ୍ତାପାର୍ଶ୍ବରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା କୁହାଯାଉଛି। ସି଼ଡିଏ ଫେଜ୍-୨ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିରାକାରଙ୍କ ଶବ ଉଦ୍ଧାର କରିଥିବା ବେଳେ ତାଙ୍କ ବାଇକ୍ ଓ ହେଲମେଟ୍ ଭଙ୍ଗାରୁଜା ଅବସ୍ଥାରେ ରାସ୍ତାପାର୍ଶ୍ବରେ ପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ କାର୍‌ର ମିରର୍ ଏବଂ ଅନ୍ୟ କିଛି ସାମଗ୍ରୀ ପଡ଼ିଥିବାରୁ ପୁଲିସ ସେଗୁଡ଼ିକ ଜବତ କରିଛି। ଶନିବାର ରାତିରେ ତୁରନ୍ତ ନିରାକାରଙ୍କ ଲୋକେସନ୍ ମିଳିଥିଲେ ହୁଏତ ନିରାକାରଙ୍କୁ ଡାକ୍ତରୀ ସହାୟତା ମିଳିପାରିଥାନ୍ତା ବୋଲି ପରିବାର ଲୋକେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ସ୍ବିଗି କର୍ତ୍ତୃପକ୍ଷଙ୍କ ଏ ପ୍ରକାର କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ନିରାକାର ଯେହେତୁ ଡେଲିଭରି କରିବାକୁ ଯିବା ସମୟରେ ତାଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି, ତେଣୁ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଦାବି ହୋଇଛି।
ଏଠାରେ ସୂଚନାଯୋଗ୍ୟ, ନିରାକାରଙ୍କର ପ୍ରାୟ ଦୁଇବର୍ଷ ତଳେ ବାହାଘର ହୋଇଥିବା ବେଳେ ୧୮ ଦିନ ତଳେ ତାଙ୍କର ଏକ ପୁତ୍ର ଜନ୍ମ ନେଇଥିଲା। ଆଉ ଦୁଇଦିନ ପରେ ତାଙ୍କ ପୁଅର ଏକୋଇଶିଆ ହୋଇଥାନ୍ତା। ତା’ ପୂର୍ବରୁ ତାଙ୍କର ମୃତ୍ୟୁ ଭଳି ଦୁଃଖଦ ଘଟଣା ଶୁଣି ପରିବାର ଭାଙ୍ଗି ପଡ଼ିଛି।

ସମ୍ବନ୍ଧିତ ଖବର