କଟକ: ଶୁଭ୍ରାଂଶୁ ‌ସେନାପତିଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଶତକ ସହ ସନ୍ଦୀପ ପଟ୍ଟନାୟକଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ମୁମ୍ବାଇରେ ଆରମ୍ଭ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଗ୍ରୁପ୍‌ ବି’ରେ ଓଡ଼ିଶା ୧୧ ରନ୍‌ରେ ଆସାମକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୨୨୭ ରନ୍‌ର ଲକ୍ଷ୍ୟକୁ ପିଛା କରି ଆସାମ ନିର୍ଧାରିତ ୨୦ ଓଭରରେ ୨୧୫/୯ରେ ସୀମିତ ରହିଯାଇଥିଲା। ଅଧିନାୟକ ରିୟାନ ପରାଗ ୪୫ ଓ ଋଷଭ ଦାସ ୩୨ ରନ୍‌ ସଂଗ୍ରହ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ସୁନୀଲ କୁମାର ରାଉଳ ୩, ଦେବବ୍ରତ ପ୍ରଧାନ ୨ ୱିକେଟ୍‌ ନେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ମଙ୍ଗଳବାର ହିମାଚଳ ପ୍ରଦେଶ ବିପକ୍ଷରେ ଖେଳିବ।

Advertisment

ପୂର୍ବରୁ ଟସ୍‌ ଜିତି ଆସାମ କ୍ଷେତ୍ରରକ୍ଷଣ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଓଭରରେ ସ୍ବସ୍ତିକ ସାମଲ ଦୁଇଟି ଚୌକା ମାରି ପାଳି ଆରମ୍ଭ କରିଥିଲେ ହେଁ ଶେଷ ବଲ୍‌ରେ ମୁଖତାର ହୁସେନ ତାଙ୍କୁ ଆଉଟ୍‌ କରିଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ସନ୍ଦୀପ ପଟ୍ଟନାୟଙ୍କ ସହ ଶୁଭ୍ରାଂଶୁ ସେନାପତି ଦ୍ବିତୀୟ ୱିକେଟ୍‌ରେ ୧୦୫ ବଲ୍‌ରୁ ୧୯୯ ରନ୍‌ ଯୋଡ଼ି ଦଳକୁ ୨୦୦ ଅତିକ୍ରମ କରାଇଥିଲେ। ତୃତୀୟ ଅର୍ଦ୍ଧଶତକ ଅର୍ଜନ କରିବା ପରେ ସନ୍ଦୀପ ଶତକଠୁ ୧୩ ରନ୍‌ ଦୂରରେ ଥାଇ ମୁଖତାରଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ସନ୍ଦୀପଙ୍କ ଏହି ବିସ୍ଫୋରକ ପାଳିରେ ୮ଚୌକା ଓ ୩ ଛକା ସାମିଲ ଥିଲା। ସନ୍ଦୀପଙ୍କ ସହ ଭାଗୀଦାରି ସମୟରେ ଶୁଭ୍ରାଂଶୁ ମଧ୍ୟ ଦ୍ରୁତ ଶତକ ଅର୍ଜନ କରିଥିଲେ। ଟ୍ବେଣ୍ଟି-୨୦ ଜୀବନରେ ଏହା ଶୁଭ୍ରାଂଶୁଙ୍କ ପ୍ରଥମ ଶତକ ଥିଲା। ଶେଷ ପର୍ଯ୍ୟନ୍ତ ‌ଶୁଭ୍ରାଂଶୁ ଅପରାଜିତ ରହି ୫୪ ବଲ୍‌ରୁ ୧୦ ଚୌକା ଓ ୮ ଛକା ସହାୟତାରେ ୧୧୯* ରନ୍‌ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୨୦ ଓଭରରେ ୨୨୬/୨ (ଶୁଭ୍ରାଂଶୁ ସେନାପତି-୧୧୯*, ସନ୍ଦୀପ ପଟ୍ଟନାୟକ-୮୭, ମୁଖତାର ହୁସେନ-୨/୩୦)। ଆସାମ ୨୦ ଓଭରରେ ୨୧୫/୯ (ରିୟାନ ପରାଗ-୪୫, ଏସ୍‌ସି ଘଡ଼ିଗାଓଁକର-୪୪, ଆକାଶ ସେନଗୁପ୍ତା-୪୦, ସୁନୀଲ କୁମାର ରାଉଳ-୩/୩୪, ଦେବବ୍ରତ ପ୍ରଧାନ-୨/୩୬)।