କଟକ: କଟକକୁ ନୂଆ ରୂପରେ ସଜେଇବା ପାଇଁ ଚାଲିଛି ନୂଆ ନୂଆ ଯୋଜନା। ସେଥିପାଇଁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଦଣ୍ଡା କେନାଲ ରାସ୍ତା ଓ ଏହାର ପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟ ପାଇଁ ଉଠିଯିବ କଟକର ପ୍ରସିଦ୍ଧ ଛତ୍ରବଜାର ପରିବା ମଣ୍ଡି। କେନାଲ ଉଭୟ ପାର୍ଶ୍ୱରେ ଥିବା ହଜାରେ ବସ୍ତି, ୪୦୦ ଦୋକାନ ଓ ଛତ୍ରବଜାରର ୬୦୦ ଉଠାଦୋକାନ ଭାଙ୍ଗାଯିବ। ତା’ ସହିତ ପିଏଚଡି ଅଫିସ, ପମ୍ପ ହାଉସ, ମନ୍ଦିର, ଅଙ୍ଗନବାଡି, ୨ଟି ବିଦ୍ୟାଳୟ ମଧ୍ୟ ଭଙ୍ଗାଯିବ। ହେଲେ ବସ୍ତି ବାସିନ୍ଦାଙ୍କୁ କେଉଁ ସ୍ଥାନରେ ଥଇଥାନ କରାଯିବ ତା ବର୍ତ୍ତମାନ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ହେଲେ ଛତ୍ରବଜାରର ପରିବା ହାଟକୁ ଗୋଟିଏ ସ୍ଥାନରେ ବସାଇବା ପାଇଁ ଯୋଜନା କରିଛି ପ୍ରଶାସନ। ପିଏଚଡ଼ି ଅଫିସ, ପମ୍ପ ହାଉସକୁ ଭଙ୍ଗାଯିବା ପରେ ସେହି ସ୍ଥାନରେ ଛତ୍ରବଜାର ପରିବା ହାଟକୁ ଥଇଥାନ କରିବା ପାଇଁ ଯଦିଓ ଚୂଡାନ୍ତ ହୋଇନି ତଥାପି ଏକ ପ୍ରକାର ସ୍ଥିର କରାଯାଇଛି। ଅନ୍ୟପଟେ ସେହି ପାଖରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଦେଢ ଏକର ସ୍ଥାନ ରହିଛି ତାକୁ ମଧ୍ୟ ନଜରରେ ରଖିଛି ପ୍ରଶାସନ। ଅନ୍ୟପଟେ ବସ୍ତି ବାସିନ୍ଦାଙ୍କୁ ମଧ ସେହି ଅଞ୍ଚଳରେ ଥଇଥାନ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ନଜରରେ ୭ମ ବାଟାଲିୟନ ପାର୍ଶ୍ୱ ଅଞ୍ଚଳ ସହ ୨/୩ଟି ସ୍ଥାନକୁ ନଜରରେ ରଖିଛି ପ୍ରଶାସନ।
କିନ୍ତୁ କେଉଁଠୁ କଣ କଣ ହଟିବ ସେ ସମ୍ପର୍କରେ ଏକ ପ୍ରକାର ଚୂଡାନ୍ତ ହୋଇସାରିଥିବା ବେଳେ ଚୂଡାନ୍ତ ସର୍ଭେକୁ ଅପେକ୍ଷା କରାଯାଇଛି। ପୁଣି ଥରେ ସର୍ଭେ କରି କାଲି ସୁଦ୍ଧା ରିପୋର୍ଟ ଦାଖଲ ଓ ଏକ ମାସ ମଧ୍ୟରେ ଏହାର ପ୍ରକ୍ରିୟା ସରିବା ପାଇଁ ଆରଡିସି କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପ୍ରସାରଣରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅୟୁକ୍ତ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣଚନ୍ଦ୍ର ମିଶ୍ରଙ୍କ ସମେତ ପୂର୍ତ୍ତ, ୱେସ୍କୋ, ତହସିଲ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/img-20201104-wa0192_6.jpg)