କଟକ: ଜାପାନ୍ ଟେକ୍ନୋଲୋଜିରେ ସଜେଇ ହେବ ବ୍ରିଟିସ୍ ଅମଳର ତାଳଦଣ୍ଡା କେନାଲ। ସେଥିରେ ଆଉ ପଶିବନି ଡ୍ରେନେଜ୍ ପାଣି କି ଆବର୍ଜନା। ଜଳପ୍ରବାହରେ ସ୍ବଚ୍ଛତା ଆସିବ। ତା ସହିତ ମୃତ୍ତିକା କ୍ଷୟକୁ ମଧ୍ୟ ରୋକାଯିବ। ଏଥିପାଇଁ ‘ସିମେଣ୍ଟିୟସ୍ ଭିୟୁ ସିନ୍ଥେଟିକ୍ କଂକ୍ରିଟ୍ ମେଟ୍ରେସ୍’ ବ୍ୟବହାର କରୁଛି ଓଡିଶା ନିର୍ମାଣ ନିଗମ(ଓସିସି)। ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ ରାସ୍ତାର ସଂପ୍ରସାରଣ ଓ ଏବେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି କାମ। ଏଥିପାଇଁ ୧୯ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ମାର୍ଚ୍ଚ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଯୋଜନା ରଖାଯାଇଛି। ବ୍ରିଟିସ୍ ଅମଳର ତାଳଦଣ୍ଡା କେନାଲକୁ ନୂଆ ରୂପ ଦେବା ପାଇଁ ଏବେ କେନାଲକୁ ଖନନ କରାଯାଉଛି। ୟୁରୋପୀୟ ଦେଶଗୁଡିକରେ ଜଳପ୍ରବାହର ସୁରକ୍ଷା ପାଇଁ ବ୍ୟବହାର କରାଯାଉଥିବା ଟେକ୍ନାଲୋଜି ଏଥିପାଇଁ ବ୍ୟବହାର କରାଯାଉଛି।
ରାଜ୍ୟରେ ପରୀକ୍ଷାମୂଳକଭାବେ ରେଙ୍ଗାଲି ରାଇଟ୍ କେନାଲରେ ଏହାର ବ୍ୟବହାର ହୋଇଛି। ଏଥିରେ ସୁଫଳ ମଧ୍ୟ ମିଳିଛି। ସେଥିପାଇଁ ତାଳଦଣ୍ଡାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହି ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। କେନାଲର ରାଣୀହାଟଠାରୁ ଯୋବ୍ରା ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଛି। ଏହା ସାଧାରଣ କଂକ୍ରିଟ୍ କାମଠାରୁ ଶୀଘ୍ର ହେବ ଓ ଆର୍ଥିକ ଦୃଷ୍ଟିରୁ ଏହାର ଖର୍ଚ୍ଚ ମଧ୍ୟ କମ୍ ହେବ। ଏଥିସହ ଜଳପ୍ରବାହର ପରିମାଣ ବଢିବ, ପୁରୁଣା କେନାଲ ହୋଇଥିବାରୁ ଏଭଳି କାର୍ଯ୍ୟ ଦ୍ବାରା କେନାଲ ସୁରକ୍ଷିତ ବି ରହିବ। ସ୍ଲୋପ୍ ହେବ ଓ ବେଡ୍ର ଦୁଇ ପାର୍ଶ୍ବରେ ୨ମିଟର ଯାଏ ଏହି ଟେକ୍ନାଲୋଜି ବ୍ୟବହାର କରି ସିମେଣ୍ଟିୟସ୍ ଭିୟୁ ସିନ୍ଥେଟିକ୍ କଂକ୍ରିଟ୍ ମେଟ୍ରେସ୍ ପକାଯିବ। କିନ୍ତୁ କେନାଲର ଭୂତଳ ଜଳସ୍ତର ରିଚାର୍ଜ (ଗ୍ରାଉଣ୍ଡ ୱାଟର ରିଚାର୍ଜ ) ପାଇଁ ତଳେ ଏହି ସିନ୍ଥେଟିକ୍ କଂକ୍ରିଟ୍ ମେଟ୍ରେସ୍ ପକାଯିବ ନାହିଁ। ଏହି ଟେକ୍ନାଲୋଜିର ବ୍ୟବହାର ଫଳରେ ଏହା ଅଲଟ୍ରାଭାଓଲେଟ୍ କିରଣକୁ ମଧ୍ୟ ଗ୍ରହଣ କରିବାର କ୍ଷମତା ରଖିବ। ଏହି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସମସ୍ତ ଉପକରଣ ଜାପାନରୁ ଓସିସି କିଣିଥିବାବେଳେ ଏହାର କାର୍ଯ୍ୟ ମଧ୍ୟ ନିଜେ କରୁଥିବା ନିର୍ମାଣ ଦାୟିତ୍ବରେ ଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି।