ବଙ୍ଗ ମାଫିଆଙ୍କୁ ଟାଙ୍ଗୀ ଟୋଲ୍‌ଗେଟ୍‌ ଡର, ସୀମା ଡେଇଁଲେ ବଦଳୁଛି ଗାଡ଼ି ନମ୍ବର୍‌ ପ୍ଲେଟ୍‌

କଟକ: ପଶ୍ଚିମବଙ୍ଗ ପଟୁ ଆସୁଥିବା ଗଞ୍ଜେଇ ମାଫିଆ ଏବେ ଟାଙ୍ଗୀ ଟୋଲ୍ ଗେଟ୍ ଡେଇଁବାକୁ ବି ଡରୁଛନ୍ତି। ଟାଙ୍ଗୀ ଟୋଲଗେଟରେ ଅବକାରୀ ବିଭାଗ ତୀକ୍ଷ୍‌ଣ ନଜର ରଖୁଥିବାରୁ ମାଫିଆମାନେ ରଣନୀତି ବଦଳାଇ ଦେଇଛନ୍ତି। କଟକ-ଯାଜପୁର ସୀମା ଛତିଆ ନିକଟରେ ଅଟକି ରହୁଛନ୍ତି। ଦକ୍ଷୀଣ ଓଡ଼ିଶା ଆଡ଼ୁ ଭୁବନେଶ୍ବର ଦେଇ ଆସୁଥିବା ଗଞ୍ଜେଇ ଗାଡ଼ିରେ କଟକ ଓ ଭୁବନେଶ୍ବରର ନମ୍ବର ପ୍ଲେଟ୍ ଗାଡ଼ିରେ ଲାଗୁଛି। ଏହି ଜିଲ୍ଲାର ନମ୍ବର ପ୍ଲେଟ୍ ଗାଡ଼ିରେ ଲାଗିଲେ ସାଧାରଣତଃ ଟାଙ୍ଗୀ ଟୋଲ୍ ଗେଟରେ ଅବକାରୀ ବିଭାଗର ସନ୍ଦେହକୁ ଆସୁ ନାହାନ୍ତି ମାଫିଆମାନେ। ଟୋଲ ଗେଟ୍ ଡେଇଁଲା ପରେ ସେପଟେ ଅପେକ୍ଷା କରିଥିବା ନିଶା ମାଫିଆଙ୍ଗ ଗାଡ଼ିରେ ଗଞ୍ଜେଇ ଅନଲୋଡ୍ ହେଉଛି। ପାଣିକୋଇଲି ଟୋଲଗେଟ ଖୋଲାମେଲା ପଡ଼ିଥିବାରୁ ନିଶା ମାଫିଆ ରାଜ୍ୟ ବାହାରକୁ ସହଜରେ ମାଲ୍ ଚାଲାଣ କରୁଥିବା ଭଳି ଗୁରୁତ୍ବପୂର୍ଣ୍ଣ ସୂଚନା ଏବେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦୃଷ୍ଟିକୁ ଆସିଥିବା ସୂଚନା ମିଳିଛି।
ଓଡ଼ିଶାର ଗଞ୍ଜେଇ ଉପରେ ପଶ୍ଚିମବଙ୍ଗ, ବିହାର ସମେତ ଝାରଖଣ୍ତ, ମୁମ୍ବାଇ ଓ ଦିଲ୍ଲୀ ଯାଏ ବି ଚାହିଦା ବଢ଼ିବାରେ ଲାଗିଲାଣି। ଗଞ୍ଜେଇ ଉତ୍ପାଦିତ ଜିଲ୍ଲା ଅନୁଗୁଳ ସମେତ ଗଜପତି, ବୌଦ୍ଧ, କନ୍ଧମାଳ, ମାଲ୍‌କାନଗିରି, ରାୟଗଡ଼ାର ଗୁଣୁପୁରରେ ଗ˚ଜେଇ କାରବାର ଅଧିକ ବୃଦ୍ଧି ପାଇଥିବା ବେଳେ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ିର ନମ୍ବର ପ୍ଲେଟ୍‌ ବି ଜାଲି କରିଦେଲେଣି। କୋରାପୁଟରୁ ଖୋର୍ଦ୍ଧା ଆଡ଼କୁ ଆନ୍ଧ୍ରପ୍ରଦେଶ ସୀମାରେ ଶୁଙ୍ଖି ଚେକ୍‌ ଗେଟ୍‌ ଦେଇ ଆସିଲା ବେଳେ ଆନ୍ଧ୍ର ସୀମାରେ ଉକ୍ତ ଗାଡ଼ିରେ ଆନ୍ଧ୍ର ନମ୍ବର ପ୍ଲେଟ୍‌ ଲଗାଯାଉଛି। ଆନ୍ଧ୍ର ସୀମା ଡେଇଁ ଇଚ୍ଛାପୁରର ଗିରିସୋଲା ଚେକ୍‌ ଗେଟ୍‌ ନିକଟରେ ଓଡ଼ିଶାକୁ ପଶିଲା ପୂର୍ବରୁ ଓଡ଼ିଶାର ନମ୍ବର ପ୍ଲେଟ୍‌ ଲାଗୁଛି। ସେହିପରି ଗଜପତିର କମଳାପୁର ଚେକ୍‌ ଗେଟ୍‌, ଗଞ୍ଜାମର ପୋଡ଼ାମାରି ଚେକ୍‌ ଗେଟ୍‌, ବୌଦ୍ଧ ଓ ଫୁଲବାଣୀରୁ ଆସିଲା ବେଳେ ନୟାଗଡ଼ର ରସୋଲା ଚେକ୍‌ ଗେଟ୍‌ରେ ଅବକାରୀ ବିଭାଗ ଜଗୁଥିବାରୁ ଗେଟ୍‌ ଅତିକ୍ରମ କରିବା ପୂର୍ବରୁ ନମ୍ବର ପ୍ଲେଟ୍‌ ବଦଳାଇ ଦିଆଯାଉଛି। ପରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଯିବା ରାସ୍ତାରେ କେବଳ ଟାଙ୍ଗୀ ଟୋଲଗେଟ୍‌ରେ ଅବକାରୀ ବିଭାଗ ଜଗୁଥିବା ବେଳେ ପାଣିକୋଇଲି ଟୋଲଗେଟରେ ଅବକାରୀ ବିଭାଗ ନଜର ରଖୁ ନଥିବା କୁହାଯାଉଛି। ତେଣୁ ମାଫିଆ ଦକ୍ଷୀଣ ଓଡ଼ିଶା ଆଡ଼ୁ ଆସିଲା ବେଳେ ଟାଙ୍ଗୀ ଟୋଲ୍ ଗେଟ୍ ପାର୍ ହେବା ପାଇଁ ଶେଷରେ କଟକର ଆର୍‌ଟିଓ କୋଡ୍(ଓଡି-୦୫) ଏବଂ ଭୁବନେଶ୍ବରର ଆରଟିଓ କୋଡ୍(ଓଡି-୦୨)ରେ ଗଞ୍ଜେଇ କଟକ ସୀମା ପାରି କରୁଛନ୍ତି। ସେପଟେ ପଶ୍ଚିମବଙ୍ଗର ମାଫିଆ କଟକ ସୀମାରେ ଯାଜପୁର ଜିଲ୍ଲୀର ଛତିଆରେ ଅଟକୁଛନ୍ତି। ଆଉ କିଛି ଚଣ୍ଡିଖୋଲରେ ବି ଅଟକୁଛନ୍ତି। ଏପଟୁ କଟକ ଓ ଭୁବନେଶ୍ବରର ନମ୍ବର ପ୍ଲେଟରେ ଗଞ୍ଜେଇ ଟାଙ୍ଗୀ ଟୋଲ୍ ଗେଟ୍ ଡେଇଁଲା ପରେ ଅବକାରୀ ବିଭାଗର ଗିରଫ ଭୟ ରହୁ ନାହିଁ।

ଛତିଆ ଓ ଚଣ୍ଡିଖୋଲରେ ପୂର୍ବରୁ ଛକିଥିବା ପଶ୍ଚିମବଙ୍ଗ ମାଫିଆ ଗଞ୍ଜେଇ ନିଜ ଗାଡ଼ିରେ ଅନଲୋଡ୍ କରି ପଶ୍ଚିମବଙ୍ଗ ଚାଲିଯାଉଛନ୍ତି। ଗଲା ୧ ତାରିଖରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଭୁବନେଶ୍ବର ଆର୍‌ଟିଓରେ ପଞ୍ଜୀକରଣ ହୋଇଥିବା ଏକ ଇଣ୍ଡିଗୋ ସିଏସ୍(ଓଆର୍-୦୨ ଏଏସ୍-୫୦୦୫) ସହିତ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ପରେ ଗାଡ଼ିରେ ଏଭଳି ନକଲି ନମ୍ବର ପ୍ଲେଟ୍ ଲଗାଇ ଗଞ୍ଜେଇ କାରବାର ଘଟଣା ସାମନାକୁ ଆସିଛି। ଏହି କାରବାରରେ ଗିରଫ କନ୍ଧମାଳର ଲମ୍ବୋଦର ମଲ୍ଲିକକୁ ଅବକାରୀ ଅଧିକାରୀ ପଚରାଉଚରା ଗଞ୍ଜେଇ କାରବାରର ନୂଆ କୌଶଳ ସମ୍ପର୍କରେ ସୂଚନା ଦେଇଛି। ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଓ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କାର୍ଯ୍ୟାଳୟ କଟକରେ ହୋଇଥିବାରୁ ଏହି ଦୁଇଟି ସଂସ୍ଥାର ନଜର ନିକଟସ୍ଥ ଟାଙ୍ଗୀ ଟୋଲ୍ ଗେଟ୍ ଉପରେ ରହୁଛି। କିନ୍ତୁ ପାଣିକୋଇଲି ଟୋଲ୍ ଗେଟ୍ ଦୂର ହେଉଥିବାରୁ ଏହି ଟୋଲ୍ ଗେଟ୍ ଉପରେ ନିୟମିତ ନଜର ରହିପାରୁ ନାହିଁ। ଯାଜପୁର ଜିଲ୍ଲା ଅବକାରୀ ବିଭାଗ ବି ପାଣିକୋଇଲି ଟୋଲ୍ ଗେଟ୍ ଉପରେ ଏତେଟା ସ୍ବତନ୍ତ୍ର ନଜର ରଖିପାରୁ ନାହିଁ। ଯାହା ଫଳରେ ମାଫିଆମାନେ ଏଭଳି କୌଶଳରେ ଗଞ୍ଜେଇ ରାଜ୍ୟ ପାର୍ କରିବାରେ ସଫଳ ହେଉଛନ୍ତି। ତେଣୁ ପାଣିକୋଇଲି ଟୋଲ୍ ଗେଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏକ କ୍ୟାମ୍ପ୍ ଖୋଲିବାକୁ ଯାଉଛି। ଏଠାରେ ନିୟମିତ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ସଜାଗ ରହିବ। ପଶ୍ଚିମବଙ୍ଗର ଗଞ୍ଜେଇ ମାଫିଆଙ୍କ ଗାଡ଼ି ଯେଭଳି କଟକ ଆଡ଼କୁ ଆସିବାକୁ ଦିଆଯିବ ନାହିଁ, ସେଥିପାଇଁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଆଉ କିଛି ପଶ୍ଚିମବଙ୍ଗର ମାଫିଆ ଭୁବନେଶ୍ବର ଓ କଟକ ଆଣୁଥିବା ଫୁଲ ଓ ଆଳୁ ବୋଝେଇ ଟ୍ରକରେ ଫେରିଲା ବେଳକୁ ଗଞ୍ଜେଇ ଚାଲାଣ ବି କରୁଛନ୍ତି।

ଯେଉଁ ଗଞ୍ଜେଇ ମାଲକାନଗିରି, କନ୍ଧମାଳ ଆଡ଼ୁ ଆସୁଥିଲା ଉକ୍ତ ଗଞ୍ଜେଇ ଖୋର୍ଦ୍ଧା ଏବ˚ ବରମୁଣ୍ତା ବସଷ୍ଟାଣ୍ତ ନିକଟ ଡିପୋରେ ଗଚ୍ଛିତ ରହୁଛି। ସେମାନଙ୍କ ନିକଟରୁ ପଶ୍ଚିମବଙ୍ଗରୁ ଆସୁଥିବା ଫୁଲ ଓ ଆଳୁ ବୋଝେଇ ଟ୍ରକ୍ କଟକ ଓ ଭୁବନେଶ୍ବରରେ ମାଲ୍ ଅନଲୋଡ୍ କରି ଫେରିଲା ବେଳକୁ ଗଞ୍ଜେଇ ନେଇକି ଯାଉଛି। ଏ ପ୍ରକାର ଘଟଣା ଜୁନ ୨୦ ତାରିଖରେ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ସାମନାକୁ ଆସିଥିଲା। କଲିକତାର ଏକ ଫୁଲ ବୋଝେଇ ଗାଡ଼ି ଭୁବନେଶ୍ୱରରେ ଫୁଲ ଅନଲୋଡିଂ କରିବା ପରେ ଗଞ୍ଜେଇ ନେଇ କଲିକତା ଫେରୁଥିଲା ବେଳେ ଟାଙ୍ଗୀ ଟୋଲ ଗେଟ ନିକଟରେ ୭ ଲକ୍ଷ ଟଙ୍କା ଗଞ୍ଜେଇ ସହିତ ଧରା ପଡ଼ିଥିଲା। ୨ ଜଣ ମାଫିଆଙ୍କୁ ଗିରଫ କରାଯାଇଥିଲା। ଦ୍ବିତୀୟ ଘଟଣା ଜୁନ ୨୪ ତାରିଖରେ ବି ଟାଙ୍ଗୀ ଟୋଲଗେଟ ନିକଟରେ ଘଟିଥିଲା। ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରର ଯୁକ୍ତ ତିନି ଛାତ୍ର ୨୨ ତାରଖରେ ଆଳୁ ବୋଝେଇ ପିକଅପ୍ ଭ୍ୟାନ୍ ଧରି ବ୍ରହ୍ମପୁର ଯାଇଥିଲା। ସେଠି ଆଳୁ ଅନଲୋଡ୍ କରିବା ପରେ ଗଜପତି ଯାଇ ସେଠାରୁ ୫ ଲକ୍ଷ ୨୫ ହଜାର ଟଙ୍କାର ଗଞ୍ଜେଇ ଧରି କଟକ ରାସ୍ତାରେ ପୁଣି ପଶ୍ଚିମବଙ୍ଗ ୨୪ ତରିଖରେ ଫେରିଯାଉଥିଲା। ଟାଙ୍ଗୀ ଟୋଲଗେଟ୍ ନିକଟରେ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ହାତରେ ଧରାପଡ଼ିଥିଲା। ଏଭଳି ଦୁଇଟି କୌଶଳ ମାଫିଆଙ୍କ ଧରାପଡ଼ିଯିବା ପରେ ଏବେ ପଶ୍ଚିମବଙ୍ଗର ଗାଡ଼ି ଉପରେ ପାଣିକୋଇଲି ଟୋଲଗେଟରୁ ନଜର ରଖିବାକୁ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର