ସ୍କୁଲରେ ଷଷ୍ଠ-ସପ୍ତମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ: ଅଧିକାଂଶ ସ୍କୁଲରେ ଶ୍ରେଣୀ ଗୃହ- ଶିକ୍ଷକ ଅଭାବ

କଟକ: କେଉଁଠି ହାଇସ୍କୁଲ ପାଇଁ ସଂସ୍କୃତ, ହିନ୍ଦୀ, ବିଜ୍ଞାନ ଶିକ୍ଷକ ପଦ ଖାଲି ପଡ଼ିଛି ତ କେଉଁଠି ପୁଣି ତଳ କ୍ଲାସ୍ ପିଲାଙ୍କୁ ପଢ଼ାଇବାକୁ ଟିଆଇ, ଟିଏମ୍ ଶିକ୍ଷକ ନାହାନ୍ତି। କୌଣସି ସ୍କୁଲରୁ ଶିକ୍ଷକଙ୍କ ଅବସର ଗ୍ରହଣ ପରେ ବା ପଦୋନ୍ନତି ପାଇ ଅନ୍ୟତ୍ର ଯିବା ପରେ ‌ସେଠାରେ ଆଉ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ଏମିତି ଦେଖିଲେ, କଟକ ଜିଲ୍ଲା ସମେତ ମହାନଗରର ସବୁ ସ୍କୁଲରେ ଶିକ୍ଷକ ପଦ ଖାଲିପଡ଼ିଛି। ପୁଣି କରୋନା କଟକଣା ପାଇଁ‌ ଗୋଟିଏ କ୍ଲାସ୍‌ରେ ସର୍ବାଧିକ ୨୫ଜଣ ଛାତ୍ରଛାତ୍ରୀ ବସୁଥିବାରୁ ଏହା ଶିକ୍ଷକ ଅଭାବ ସମସ୍ୟା ଅଧିକ ଜଟିଳ କରୁଛି। ପୂର୍ବରୁ ନବମ, ଦଶମ, ଅଷ୍ଟମ ପାଠପଢ଼ା ଯଥାକଥାରେ ଚାଲୁଥିବା ବ‌େଳେ ଆଜି ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଅଫ୍‌ଲାଇନ୍ କ୍ଲାସ ଆରମ୍ଭ ହୋଇଯାଇଛି। ଏତେ ଶିକ୍ଷକ ‌କେଉଁଠୁ ଆସିବ ଓ ଏତେ ସଂଖ୍ୟକ କ୍ଲାସ ରୁମ୍ ମଧ୍ୟ କେଉଁଠୁ ଆସିବ ତାହା ଏବେ ମୁଖ୍ୟ ସମସ୍ୟା। ଏଭଳି ସ୍ଥିତିରେ ସେମାନଙ୍କ ପାଠପଢ଼ା କିପରି ହେବ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜିଲ୍ଲାରେ ସରକାରୀ, ନୂତନ ସରକାରୀ, ଅନୁଦାନପ୍ରାପ୍ତ ଆଦି ବିଭିନ୍ନ ବର୍ଗର ମୋଟ ୩୦୯ଟି ହାଇସ୍କୁଲ ରହିଛି। ଏମାନଙ୍କ ମଧ୍ୟରେ ଅନେକ ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ବ୍ୟବସ୍ଥା ରହିଛି। ଏପରିକି ସ୍କୁଲ ମିଶ୍ରଣ ପ୍ରକ୍ରିୟାରେ ଦୁଇ/ତିନିଟି ସ୍କୁଲକୁ ଏକାଠି କରାଯାଇଛି। ସେହି ଅନୁସାରେ ଆଉ ନୂଆ କ୍ଲାସ୍‌ରୁମ୍ କିମ୍ବା ନୂଆଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ‌ଜିଲ୍ଲାରେ ଟିଏମ୍‌(ମାଟ୍ରିକ୍ ସିଟି), ଟିଆଇ(ଆଇଏ ସିଟି), ଟିଜି(ଟ୍ରେନଡ୍ ଗ୍ରାଜୁଏଟ) ବର୍ଗର ୬ଶହରୁ ଅଧିକ ଶିକ୍ଷକ ପଦ ଫାଙ୍କା ପଡ଼ିଛି। ଏପରିକି ବହୁ ହାଇସ୍କୁଲରେ ପ୍ରଧାନଶିକ୍ଷକ ନଥିବାରୁ କିଛି ପ୍ରଧାନଶିକ୍ଷକଙ୍କୁ ଦୁଇଟି ସ୍କୁଲର ଦାୟିତ୍ବ ଦିଆଯାଇଛି।

ପରିସଂଖ୍ୟାନ ଦୃଷ୍ଟିରୁ ବିବେଚନା କଲେ, ଗୋଟିଏ ସ୍କୁଲରେ ହାରାହାରି ଦୁଇଟି ଶିକ୍ଷକ ପଦ ଖାଲି। ଜଟିଳ ସମସ୍ୟା ହେଉଛି, ଅନେକ ସ୍କୁଲରେ କ୍ଲାସିକାଲ୍‌ ଶିକ୍ଷକ(ହିନ୍ଦୀ, ସଂସ୍କୃତ), ବିଜ୍ଞାନ ଶିକ୍ଷକ(ପିସିଏମ୍‌, ସିବିଜେଡ୍), ଇଂରାଜୀ ଭଳି ବିଷୟର ଶିକ୍ଷକ ନାହାନ୍ତି। ପୁଣି କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ, ଗୋଟିଏ ଶ୍ରେଣୀରେ ୨୫ଜଣ ଛାତ୍ରଛାତ୍ରୀ ବସୁଥିବାରୁ ଗୋଟିଏ ଗୋଟିଏ ସେକ୍ସନ୍‌କୁ ଏକାଧିକ ଭାଗ କରିବାକୁ ପଡ଼ୁଛି। ଏହା ଶିକ୍ଷକ ସଂକଟକୁ ଆହୁରି ସାଂଘାତିକ କରୁଛି। ପୁଣି ସେହି ଅନୁସାରେ ଅଧିକ କ୍ଲାସ୍‌ରୁମ୍ ଆବଶ୍ୟକ। ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକୀୟ କ୍ଲାସ୍‌ରୁମ୍‌ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲୁଛି। ତେବେ ପାଠପଢ଼ା କିପରି ହେବ, ତାହା ଚିନ୍ତାର ବିଷୟ। ସହରର ଏକ ପ୍ରମୁଖ ହାଇସ୍କୁଲର ଜଣେ ଶିକ୍ଷକଙ୍କ କହିବା ଅନୁସାରେ, ତାଙ୍କ ସ୍କୁଲ ସମେତ ବହୁ ସ୍କୁଲରେ ସଂସ୍କୃତ ଶିକ୍ଷକ ଅବସର ନେବା ପରେ ଆଉ ସଂସ୍କୃତ ଶିକ୍ଷକ ନାହାନ୍ତି। ଓଡ଼ିଆ ଶିକ୍ଷକ ନବମ ଓ ଦଶମରେ ସଂସ୍କୃତ ପଢ଼ାଉଥିଲେ। ଅଷ୍ଟମ ଖୋଲିବା ପରେ ସେ ଦିନକୁ ୫/୬ସେକ୍ସନରେ ସଂସ୍କୃତ ପଢ଼ାଉଛନ୍ତି। ତେଣୁ ପଢ଼ା ବାଧାପ୍ରାପ୍ତ ହେବା ସ୍ବାଭାବିକ‌ ବୋଲି ସଂପୃକ୍ତ ଶିକ୍ଷକ ସୂଚନା ‌ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ କୃ୍ଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ଶିକ୍ଷକ ଅଭାବ ଥିବା ହାଇସ୍କୁଲରେ ଏବେ ଏଲିମେଣ୍ଟାରି ଶିକ୍ଷକଙ୍କୁ ପଢ଼ାଇବାକୁ କୁହାଯାଇଛି। ଏହା ବ୍ୟତୀତ ବିଭିନ୍ନ ସ୍କୁଲରେ ପାଖାପାଖି ୨୩୫ଜଣ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ତେଣୁ ଶିକ୍ଷକମାନେ ଚାହିଁଲେ ପାଠପଢ଼ା ଠିକ୍‌ରେ ଚାଲିପାରିବ‌ ‌ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର