କଟକ: ୨୦୧୯ ମାର୍ଚରୁ ସଂସ୍କୃତ ଶିକ୍ଷକ ଡକ୍ଟର କାଳୀପ୍ରସନ୍ନ ଶତପଥୀଙ୍କ ଅବସର ପରେ ଆଉ ସଂସ୍କୃତ ଶିକ୍ଷକ ନିଯୁକ୍ତି ହୋଇ ନାହାନ୍ତି। ଶିକ୍ଷକ ଅଭାବ କାରଣରୁ ଓଡ଼ିଆ ଶିକ୍ଷକ ପଢ଼ାଉଥିଲେ ସଂସ୍କୃତ। ଏଇ ମାସରେ ସଂପୃକ୍ତ ଓଡ଼ିଆ ଶିକ୍ଷକ ଦର୍ପଗଞ୍ଜନ ସାହୁ ଅବସର ନେବା ପରେ ଓଡ଼ିଆ ସହିତ ସଂସ୍କୃତ ଶିକ୍ଷକଙ୍କ ଅଭାବ ରହିଲା। ସେହିପରି ୨୦୧୨ରୁ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବରିଷ୍ଠ ଇଂରାଜୀ ଶିକ୍ଷକ ଦୈତ୍ୟାରୀ ସାହୁଙ୍କ ଅବସର ପରେ ଆଉ ଇଂରାଜୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ମୋଟାମୋଟି କହିବାକୁ ଗଲେ ସ୍କୁଲରେ ଭାଷା ଶିକ୍ଷକ ନାହାନ୍ତି। ଏମିତିକା ଦୟନୀୟ ସ୍ଥିତିରେ ଚାଲିଛି ‌ଓଡ଼ିଶାର ସ୍ବନାମଧନ୍ୟ ଶିକ୍ଷାୟତନ ‌‘ସେକେଣ୍ଡାରି ବ‌ୋର୍ଡ ହାଇସ୍କୁଲ’। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟାଳୟ ସମ୍ମୁଖରେ ଥାଇ ମଧ୍ୟ ବୋର୍ଡ ଦ୍ବାରା ଅବହେଳିତ ହୋଇ ରହିଛି ଏହି ସ୍କୁଲ।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲ ରାଜ୍ୟ ଏକ ପ୍ରତି‌ଷ୍ଠିତ ହାଇସ୍କୁଲ। ଏହି ଶିକ୍ଷାୟତନରେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି।

Advertisment

ଏବେ ମୋଟ ଛାତ୍ରଛାତ୍ରୀ ପାଖାପାଖି ୬୩୦ ଜଣ। ପ୍ରତିଷ୍ଠା ହେବା ଦିନରୁ ଆଜିଯାଏ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରୁଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ଏହି ଅନୁଷ୍ଠାନକୁ ଅବହେଳିତ କରୁଥିବା ଦେଖାଯାଇଛି। ତିନିବର୍ଷ ହେଲା ସଂସ୍କୃତ ଶିକ୍ଷକ ନାହାନ୍ତି। ଓଡ଼ିଶା ଶିକ୍ଷକ ସଂସ୍କୃତ ପଢ଼ାଉଥିଲେ। ଓଡ଼ିଆ ଶିକ୍ଷକ ଏଇ ମାସରେ ଅବସର ନେଲେ। ସେହିପରି ବହୁଦିନରୁ ସ୍ଥାୟୀ ଇଂରାଜୀ ଶିକ୍ଷକ ନିଯୁକ୍ତି ନାହିଁ। ୬୩୦ପିଲାଙ୍କୁ ପଢ଼ାଇବାକୁ ମାତ୍ର ୩ଜଣ ଗଣିତ ବିଜ୍ଞାନ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଏସବୁର ସ୍ଥାୟୀ ସମାଧାନ କରିବା ବଦଳରେ କାମଚଳା ଢ଼ଙ୍ଗରେ ୬ ଜଣ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଏବେ ବୋର୍ଡ ସ୍କୁଲରେ ୧୫ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଛାତ୍ରଶିକ୍ଷକ ଅନୁପାତ ଠିକ୍ ରହିଥ‌ିଲେ ମଧ୍ୟ ସେକ୍ସନ୍‌ ଓ ବିଷୟ ଦୃଷ୍ଟିରୁ ଶିକ୍ଷାଦାନରେ ଘୋର ସମସ୍ୟା ଦେଖାଦେଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଅଭିଭାବକଙ୍କ ଆଗ୍ରହ ଓ ଶିକ୍ଷାନୁଷ୍ଠାନର ଗ‌ୌରବ ଦୃଷ୍ଟିରୁ ବୋର୍ଡ କର୍ତ୍ତୃପକ୍ଷ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।