କଟକ: ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ତାମିଲନାଡୁର ଏକ ୧୩ ଜଣିଆ ପ୍ରତିନିଧି ଦଳ କଟକରେ ପହଞ୍ଚିଛନ୍ତି। ତାମିଲନାଡୁ ପୈାର ପ୍ରଶାସନର ଅତିରିକ୍ତ କମିସନର ଆର. ଲଳିତା ଏହି ଟିମ୍‌ର ନେତୃତ୍ବ ନେଉଛନ୍ତି। ଗତକାଲି ସେମାନେ ଭୁବନେଶ୍ବରରେ ପହଞ୍ଚି ବିଏମସିର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଆଜି ଏହି ଦଳ କଟକ ପୌର ନିଗମ(ସିଏମସି)ର ବିକାଶ ଭବନରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏହି ଦଳରେ ପୈାର ଯନ୍ତ୍ରୀ, ସ୍ବେରେଜ୍ ବିଶେଷଜ୍ଞ, ପ୍ରୋଗ୍ରାମ୍ ମ୍ୟାନେଜର ସାମିଲ ଅଛନ୍ତି। ପ୍ରଥମେ ପ୍ରତିନିଧି ମଣ୍ତଳି ସିଏମସି କଲ୍ ସେଣ୍ଟର ପରିଦର୍ଶନ କରି ସେଠାକୁ ଆସୁଥିବା ଅଭିଯୋଗ କିପରି ସମାଧାନ କରାଯାଉଛି ସେ ସଂପର୍କରେ ଅନୁଧ୍ୟାନ କରିଥିଲେ।

Advertisment

ବିଶେଷକରି ସହରରେ କିପରି ଦୂଷିତ ଜଳ ଓ ମଳ ନିଷ୍କାସନ ହେଉଛି ସେମାନେ ତାହାର ଅନୁଧ୍ୟାନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିନିଧି ମଣ୍ତଳି ବାଲିସାହିରେ ପହଞ୍ଚି ସେଠାରେ ଗୋଷ୍ଠୀ ଶୈାଚାଳୟ କିପରି କାର୍ଯ୍ୟ କରୁଛି ତାହା ଦେଖିଥିଲେ। ପାଇଖାନା ଟାଙ୍କି କିପରି ସଫା ହେଉଛି ତାହା ସେମାନେ ଦେଖିବା ସହ ସେସ୍‌ପୁଲ୍ ଗାଡି ଚାଳକ ଓ ଲୋଡରମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ। ସେହିପରି ପ୍ରତିନିଧି ଦଳ ସ୍ବଚ୍ଛକର୍ମୀ ଓ ସ୍ବଚ୍ଛ ସାଥୀମାନଙ୍କ ସହ ଆଲୋଚନା କରିଥିଲେ। ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥାର ମଧ୍ୟ ସେମାନେ ଅନୁଧ୍ୟାନ କରିଥିଲେ। ସିଏମସି ପରିମଳ ବିଭାଗର ଅଧିକାରୀ ତଥା ଡେପୁଟି କମିସନର ସଂଜୀବିତା ରାୟ, ସହକାରୀ କମିସନରଙ୍କ ସମେତ ସଫେଇ ବିଭାଗର ବହୁ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପ୍ରତିନିଧି ଦଳକୁ ସହଯୋଗ କରିଥିଲେ।