କଟକ: ସହରର ତାପମାତ୍ରା ଗତ ଏକ ସପ୍ତାହ ଧରି ୪୦ ଡିଗ୍ରି ଆଖପାଖରେ ରହୁଛି। ପ୍ରବଳ ଖରା ଯୋଗୁଁ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ରାସ୍ତାଘାଟ ଜନଶୂନ ହୋଇଯାଉଛି। ଖରା ତାତି ସହିତ ଗରମ ପବନରେ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ସେପଟେ ସହରର ପାରଦ ଉପରକୁ ଯାଇଥିଲେ ବି ସିଏମ୍ସି କିମ୍ବା ଜନସ୍ବାସ୍ଥ୍ୟ ବିଭାଗ (ୱାଟ୍କୋ) ପକ୍ଷରୁ ସହରରେ ଟାଙ୍କି ସାହାଯ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯାଇ ନାହିଁ। ବିଭିନ୍ନ ସାମାଜିକ ଅନୁଷ୍ଠାନଙ୍କ ପକ୍ଷରୁ କରଯାଇଥିବା ଜଳଛତ୍ର ସହରବାସୀ ଓ କଟକକୁ ଆସୁଥିବା ବାହାର ଲୋକଙ୍କ ପାଇଁ ଖରାରେ ଏକମାତ୍ର ସାହାରା ପାଲଟିଛି। ୱାଟ୍କୋ ପକ୍ଷରୁ ପାଣି ଟାଙ୍କି ବସାଇବା ବଦଳରେ ସହରର କିଛି ବ୍ୟାଙ୍କକୁ ଜଳଛତ୍ର ଖୋଲିବାକୁ କୁହାଯାଇଥିବା ବେଳେ ତାହା କରାଯାଉ ନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଖରା ବଢିବା ପୂର୍ବରୁ ସିଏମ୍ସି ଅଞ୍ଚଳର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ଶେଷ ସୁଦ୍ଧା ପାଣି ଟାଙ୍କି ବସାଯାଏ। ମାତ୍ର ଚଳିତବର୍ଷ ଏବେ ସୁଦ୍ଧା ପାଣି ଟାଙ୍କି କେଉଁଠାରେ ବସିଲା ନାହିଁ। ସେପଟେ ସହରର ସମସ୍ତ ଥଣ୍ଡା ପିଇବା ପାଣି ପୋଷ୍ଟ୍ଗୁଡିକ ଦୀର୍ଘବର୍ଷ ଧରି ଖରାପ ହୋଇ ପଡ଼ିଥିବା ବେଳେ ସାଧାରଣ ଲୋକେ ପିଇବା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ୱାଟ୍କୋ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଜଳଛତ୍ର ଖୋଲିବାକୁ କୁହାଯାଇଥିଲା। ମାତ୍ର ଏବେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇଥିବା ଦେଖିବାକୁ ମିଳୁନାହିଁ। ଖରା ବଢୁଥିବାରୁ ଅଧିକ ସଂଖ୍ୟାରେ ପାଣି ଟାଙ୍କି ସହର ମଧ୍ୟରେ ବସାଇବାକୁ ସାଧାରଣରେ ଦାବି ହୋଇଛି।