କଟକ: ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ପରିମଳ ଟେଣ୍ଡର ଖୋଲିବାକୁ ଜାଣିଶୁଣି ସମୟ ଗଡାଉଥିବା ସିଏମସି ଅଧିକାରୀ ଶେଷରେ ଟେଣ୍ଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଏ ସଂପର୍କରେ ‘ସମ୍ବାଦ’ରେ ‘ଟେକ୍ନିକାଲ ବିଡ୍ ଖୋଲି ବସିଗଲେ, କାହା ସ୍ବାର୍ଥରେ ୬ ମାସ ହେବ ଅଟକିଛି ପରିମଳ ଟେଣ୍ଡର? ଶୀର୍ଷକ ଏକ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ସିଏମସି ପକ୍ଷରୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ଅପରାହ୍ନ ୪ଟା ବେଳେ ସିଏମସି ପରିମଳ ଟେଣ୍ଡରର ଫାଇନାନସିଆଲ ବିଡ ଖୋଲାଯିବ। ଫଳରେ ଦୀର୍ଘ ୬ ବର୍ଷ ଧରି ବିନା ଟେଣ୍ଡରରେ ଚାଲିଥିବା ପରିମଳ କାମ ଏଥର ଟେଣ୍ଡର ଜରିଆରେ ନିଷ୍ପତ୍ତି ହେବ। ସିଏମସିର ୫୯ଟି ୱାର୍ଡକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇଛି। ଭିନ୍ନ ଭିନ୍ନ ସଂସ୍ଥାକୁ ଜୋନ୍ ୱାରି ଟେଣ୍ଡର ପ୍ରଦାନ କରାଯିବ। ପ୍ରକାଶ ଯେ, ସିଏମସିର ବର୍ଜ୍ୟବସ୍ତୁ ପରିଚାଳନା( ପରିମଳ) ପାଇଁ ଗତ ଜାନୁଆରି ମାସରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଗତ ମେ ମାସରେ ଏହାର ଟେକ୍ନିକାଲ ବିଡ୍ ଖୋଲାଯାଇଥିଲା। ମାତ୍ର ଫାଇନାନ୍ସିଆଲ୍ ବିଡ୍ ଖୋଲା ଯାଉ ନଥିଲା। କିଛି ନିର୍ଦିଷ୍ଟ ସଂସ୍ଥାକୁ କାମ ଦେବା ପାଇଁ ଜାଣିଶୁଣି ଫାଇନାନ୍ସିଆଲ ବିଡ୍ ଖୋଲା ଯାଉନଥିଲା। ଏ ନେଇ ଏକ କମିଟି ଗଠନ କରାଯାଇ ଅଭିଯୋଗ ହୋଇଥିବା କିଛି ସଂସ୍ଥା ଉପରେ ତର୍ଜମା କରାଯାଉଥିଲା। ଏଥିପାଇଁ ଆଇନ ବିଭାଗରୁ କ୍ଲିୟରାନ୍ସ ଆଣିବାକୁ ସମୟ ନିଆଯାଇଥିଲା। କିଛି ସଂସ୍ଥାର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ସମୟ ଗଡାଇ ଚାଲିଥିଲେ। ମାତ୍ର ଏ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶପାଇବା ପରେ ଉପରିସ୍ଥ ଅଧିକାରୀ ବିଳମ୍ବ ପଛର କାରଣ ଖୋଜିବା ସହିତ ତୁରନ୍ତ ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ଏହି ନିଷ୍ପତ୍ତି ହୋଇଥିଲା। ତଥ୍ୟ ମୁତାବକ, ୨୦୧୧ରେ ସିଏମସି ପରିମଳ ଟେଣ୍ଡର ରାମକୀ ନାମକ ସଂସ୍ଥାକୁ ମିଳିଥିଲା।
ରାମକୀ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ କାମ କରିଥିଲା। ମାତ୍ର ୨୦୧୬ରେ କାମ କରିବାକୁ ରାଜି ହୋଇ ନଥିଲା। ମାତ୍ର ରାମକୀ ଆଉ ଦୁଇବର୍ଷ ପାଇଁ କାମ କରିଥିଲା। ୨୦୧୮ରେ ୪୫ ଦିନ ପୂର୍ବରୁ ନୋଟିସ୍ ଦେଇ ରାମକୀ କାମ ଛାଡି ଦେଇଥିଲା। ପରେ ବିବିଜି ସିଣ୍ଡିକେଟ୍ ନାମକ ସଂସ୍ଥାକୁ ୨୦୧୮ ମାର୍ଚ୍ଚରେ ସିଏମସି ପରିମଳ ପାଇଁ ଅସ୍ଥାୟୀ ଭାବେ ୱାର୍କ ଅର୍ଡର ମିଳିଥିଲା। ମାତ୍ର ଏହି ଅସ୍ଥାୟୀ ୱାର୍କ ଅର୍ଡର ପରେ ପରିବର୍ଦ୍ଧିତ ହୋଇ କାମ ଚାଲିଥିଲା। ୨୦୧୮ରୁ ୨୦୨୨ ମଧ୍ୟରେ ୨ଥର ଟେଣ୍ଡର କରାଯାଇଥିଲା। ମାତ୍ର ବିଭିନ୍ନ କାରଣ ଦର୍ଶାଇ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା। ୨୦୧୮ରୁ ଆଜି ପର୍ଯ୍ୟନ୍ତ ବିବିଜି ଏହି କାମ କରି ଆସୁଛି। ତେବେ ବିନା ଟେଣ୍ଡରରେ ହୋଇଥିବା ଏହି କାମରେ ବ୍ୟାପକ ଅନିୟମିତତା ହୋଇଛି। କୋଭିଡ ସମୟରେ ଆବଶ୍ୟକତାଠାରୁ ଅଧିକ ବିଲ୍ ନିଆଯାଇଥିଲା। ଗତ ୪ ବର୍ଷ ଭିତରେ ପଖାପାଖି ୩୦୦ କୋଟି ଟଙ୍କା ସଂପୃକ୍ତ ସଂସ୍ଥାକୁ ଦିଆଯାଇଛି। ଏହାର ଏକ ପୁନଃ ଅଡିଟ୍ କରାଇବାକୁ ଦାବି ହୋଇଛି। ଏ ନେଇ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ ପ୍ରମୁଖ ଭିଜିଲାନ୍ସର ଦ୍ବାରସ୍ଥ ହୋଇ ବିନା ଟେଣ୍ଡରରେ ବିବିଜି କରିଥିବା ପରିମଳ ଅନିୟମିତାର ତଦନ୍ତ କରିବାକୁ ଦାବି କରିଥିଲେ।