ଦାୟିତ୍ବରେ ଅବହେଳାକୁ ନେଇ ‘ସିଏମ୍‌ସି’ର ଏମ୍‌ପିଏଚ୍‌ସିଙ୍କୁ ନିଲମ୍ବନ

କଟକ: ପୌର ନିଗମରେ କାର୍ଯ୍ୟରତ ମଲ୍‌ଟି ପର୍ପୋଜ ହେଲେଥ୍‌ ସୁପରଭାଇଜର ବା ଏସ୍‌ଆଇ ଭାବେ କାର୍ଯ୍ୟରତ ରୁଦ୍ର ନାରାୟଣ ମିଶ୍ରଙ୍କୁ ଚାକିରିରୁୁ ନିଲମ୍ବିନ କରାଯାଇଛି। ଦାୟିତ୍ବ ସଂପାଦନରେ ଅବହେଳା କରିଥିବାରୁ ଶ୍ରୀ ମିଶ୍ରଙ୍କ ବିରୋଧ‌ରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୌର ନିଗମର ୱାର୍ଡ ନମ୍ବର ୩୧, ୩୬, ୩୭, ୩୮ ଓ ୩୯ରେ ଶ୍ରୀ ମିଶ୍ର ମଲ୍‌ଟି ପର୍ପୋଜ ହେଲେଥ୍‌ ସୁପରଭାଇଜର(ଏମ୍‌ପିଏଚ୍‌ସି) ଭାବେ କାମ କରୁଥିଲେ। ତେବେ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାର କିଛି ଅଞ୍ଚଳ ଉକ୍ତ ୱାର୍ଡ ଅଧିନରେ ରହିଛି। ଗତ କିଛିଦିନ ତଳେ କେନାଲ ରାସ୍ତାରେ ଆବର୍ଜନା ‌ଗଦା ହୋଇଥିବାର କମିସନର ନିଖିଲ ପୱନ କଲ୍ୟାଣ ଦେଖିଥିଲେ। ଏହାକୁ ସଫା କରିବାକୁ କମିସନର ଶ୍ରୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ରାସ୍ତାରୁ ଆବର୍ଜନା ହଟି ଯାଇଥିବାର ଶ୍ରୀ ମିଶ୍ର କମିସନରଙ୍କୁ ସୂଚିତ କରିଥିଲେ।

ମାତ୍ର ପୂର୍ବପରି ଉକ୍ତ ରାସ୍ତାରେ ଆବର୍ଜନା ପଡି ରହିଥିବାର କମିସନର ଦେଖିବାକୁ ପାଇଥିଲେ। ୱାର୍ଡକୁ ନ ଆସି ଆବର୍ଜନା ସଫା ହୋଇ ଥିବାର ମିଥ୍ୟା ତଥ୍ୟ ଦେବାକୁ ନେଇ କମିସନରଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ଶ୍ରୀ ମିଶ୍ର ଏହା ଉପରେ କୌଣସି ଉତ୍ତର ରଖି ନଥିଲେ। ଶେଷରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଗମ ପକ୍ଷରୁ ରାଜ୍ୟ ଜନସ୍ବ‌ାସ୍ଥ୍ୟ ନିର୍ଦ୍ଦେଶକଙ୍କୁ କୁହାଯାଇଥିଲା। ଆଜି ନିର୍ଦ୍ଦେଶକଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବାର ଏକ ନୋଟିସ ନିଗମ ସ୍ବାସ୍ଥ୍ୟ ଅଦଧିକାରୀଙ୍କୁ ପଠାଯାଇଛି। ସୂଚନାଯୋଗ୍ୟ, ରୁଦ୍ର ନାରାୟଣ ମିଶ୍ର ପୁରୀ ଜିଲ୍ଲା ଚାରି ଛକ କମ୍ୟୁନିଟି ସେଣ୍ଟରେ ଏମ୍‌ପିଏଚ୍‌ସି ଭାବେ କାମ କରୁଥିବା ବେଳେ ଗତ ୪ବର୍ଷ ତଳେ କଟକ ପୌର ନିଗମକୁ ଡେପୁଟେସନ୍‌ରେ ଆସିଥିଲେ।

ସମ୍ବନ୍ଧିତ ଖବର