କଟକ: ଜଣେ ବରିଷ୍ଠ ନାଗରିକଙ୍କଠାରୁ ୭୪ଲକ୍ଷ ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ କୋଲକାତାରୁ ଜଣେ ସାଇବର ଠକକୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଉଛି, କୋଲକାତା
ଅଲ୍ଲୀପୁର ଅଞ୍ଚଳର ପ୍ରଶାନ୍ତ ଦ୍ବିବେଦୀ। ତା’ ପାଖରୁ ଏଟିଏମ୍ କାର୍ଡ, ନକଲି ୱେବସାଇଟ୍ ତାଲିକା ଓ ଇ-ମେଲ ଆଇଡି ଜବତ କରାଯାଇଛି। ପ୍ରଶାନ୍ତ ବୀମା ବୋନସ୍ ରାଶି ଦୁଇଗୁଣା କରିଦେବା ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା।
ସୂଚନା ଅନୁଯାୟୀ, ଭୁବନେଶ୍ବର ଫରେଷ୍ଟପାର୍କ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ ଏକାଧିକ ମୋବାଇଲ ନମ୍ବରରୁ ସାଇବର ଠକ ଫୋନ୍ କରି ନିଜକୁ ବିଭିନ୍ନ ଘରୋଇ ବୀମା ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଉଥିଲା। ଉକ୍ତ ବୀମା ସଂସ୍ଥାରେ ଅର୍ଥ ବିନିଯୋଗ କଲେ ଦୁଇଗୁଣ ବୋନସ୍ ରିଟର୍ଣ୍ଣ ଆସିବାର ଲୋଭ ଦେଖାଇ ନିଜର ୱେବସାଇଟ୍ ଲିଙ୍କ୍ ମଧ୍ୟ ଦେଇଥିଲା। ବରିଷ୍ଠ ନାଗରିକଜଣଙ୍କ ଏଥିରେ ୭୪ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ବୋନସ ଫେରସ୍ତ ହୋଇ ନଥିଲା। ଏପରିକି, ବୀମା ସଂସ୍ଥାର ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତିଙ୍କ ଫୋନ୍ ବି ଲାଗି ନଥିଲା। ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ହେବାରୁ ସାଇବର ପୁଲିସ୍ ମାମଲାର ତଦନ୍ତ କରି ଉତ୍ତରପ୍ରଦେଶରୁ ଧର୍ମେନ୍ଦ୍ର କୁମାର ନାମକ ଜଣେ ଠକକୁ ଗିରଫ କରିଥିଲା। ଧର୍ମେନ୍ଦ୍ର ନାମରେ ଏକ ୱେବସାଇଟ୍ ରହିଥିଲା। କ୍ରାଇମ୍ବ୍ରାଞ୍ଚ ଧର୍ମେନ୍ଦ୍ରଙ୍କୁ ଜେରା କଲା ପରେ ସେ ଏହି ନକଲି ୱେବସାଇଟ୍ ଓ ଇ-ମେଲ ଆଇଡି ପ୍ରସ୍ତୁତ କରିଥିବା ବେଳେ ପ୍ରଶାନ୍ତକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ପ୍ରଶାନ୍ତ ଏପରି ନକଲି ୱେବସାଇଟ୍, ଇ-ମେଲ ଆଇଡି କିଣି ଏହାରି ମାଧ୍ୟମରେ ଲୋକଙ୍କୁ ଠକୁଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରଶାନ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି କଟକ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest.jpg)