ରାଜ୍ୟରେ ଅଭାବ ପଡ଼ୁଛି ଆବଶ୍ୟକତାର ୨୦ ପ୍ରତିଶତ ରକ୍ତ

ସେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ସଂଗ୍ରହ ହେଉଛି ୬୦ ପ୍ରତିଶତ

କଟକ: ଏବେ ବି ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ରକ୍ତର ଅଭାବ ରହିଛି। ରାଜ୍ୟରେ ଆବଶ୍ୟକ ପଡ଼ୁଥିବା ରକ୍ତର ୮୦ ପ୍ରତିଶତ ପୂରଣ ହୋଇପାରୁଛି। ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ (ଅକ୍ଟୋବର ୧ ତାରିଖ) ପାଳନ ଅବସରରେ ଏ ପ୍ରସଙ୍ଗରେ ମାନସମନ୍ଥନର ଆବଶ୍ୟକତା ପଡୁଥିବା ବେଳେ ‘ରକ୍ତ ଅଭାବରୁ ଯେଭଳି କାହାର ଜୀବନ ନ ଯାଏ ସେ ଦିଗରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ତ୍ବରାନ୍ବିତ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ତଥ୍ୟ ଅନୁଯାୟୀ ରାଜ୍ୟରେ ସବୁଠୁ ଅଧିକ ରକ୍ତ ଆବଶ୍ୟକତା ପଡ଼ିଥାଏ କଟକରେ। କଟକରେ ଦୁଇଟି ପ୍ରମୁଖ ରକ୍ତଭଣ୍ଡାର ରହିଥିବା ବେଳେ ସିଡିଏର ଅଶ୍ବିନୀ ହସ୍ପିଟାଲରେ ମଧ୍ୟ ଏକ ରକ୍ତ ଭଣ୍ଡାର ରହିଛି। ରାଜ୍ୟର ସର୍ବବୃହତ ରକ୍ତ ଭଣ୍ଡାର ଭାବେ ପରିଗଣିତ ହୋଇଆସୁଛି କଟକର କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାର। ଏହି ରକ୍ତ ଭଣ୍ଡାରରେ ବର୍ତ୍ତମାନ ସ୍ଥିତିରେ ବର୍ଷକୁ ହାରାହାରି ଭାବେ ୪୩ ହଜାର ୟୁନିଟ୍ ରକ୍ତ ସଂଗ୍ରହ ହେଉଛି। କିନ୍ତୁ ବର୍ଷକୁ ପ୍ରାୟ ୫୦ ହଜାର ୟୁନିଟ୍ ରକ୍ତ ଏଠାରେ ଆବଶ୍ୟକ ପଡୁଛି ବୋଲି କୁହନ୍ତି ସିଆରବିବିର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ। ଡାକ୍ତର ‌ଦାସ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସଂଗ୍ରହ ହେଉଥିବା ରକ୍ତର ୭୦ ପ୍ରତିଶତ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ଆସୁଥିବା ବେଳେ ବାକି ୩୦ ପ୍ରତିଶତ ରକ୍ତ ବଦଳ ଭାବେ ଆସୁଛି। ଅର୍ଥାତ ଜଣଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ଅନ୍ୟ ଜଣେ ଆସି ରକ୍ତ ଦେଉଛନ୍ତି। କିନ୍ତୁ ବ‌ର୍ଷକୁ ବର୍ଷ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ସଂଖ୍ୟା ବଢ଼ିବା ସହ ଏ କ୍ଷେତ୍ରରେ ଉତ୍ସାହ ବି ବଢୁଛି। କିନ୍ତୁ ଏହା ଆହୁରି ତ୍ବରାନ୍ବିତ ହେବା ଆବଶ୍ୟକ ବୋଲି ଡାକ୍ତର ଦାସ ମତ ଦେଇଛନ୍ତି।

ଅନ୍ୟପଟେ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ପରିସରରେ ଥିବା ରକ୍ତ ଭଣ୍ଡାରରେ ବର୍ଷକୁ ହାରାହାରି ଭାବେ ୩୪ ହଜାର ୟୁନିଟ୍ ରକ୍ତ ସଂଗ୍ରହ ହେଉଛି। କିନ୍ତୁ ଏଠାରେ ଆବଶ୍ୟକତା ରହୁଛି ୪୫ହଜାରରୁ ଅଧିକ ୟୁନିଟ୍। ଏଠାରେ ସଂଗୃହୀତ ହେଉଥିବା ରକ୍ତ ମଧ୍ୟରୁ ୫୨ପ୍ରତିଶତ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ମାଧ୍ୟମରେ ଆସୁଥିବା ବେଳେ ବାକି ରକ୍ତ ବଦଳ ଭାବେ ଆସୁଥିବା ଏସସିବି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସୁରକ୍ଷିତ ରକ୍ତଦାନ ଏବଂ ରକ୍ତ ଯେଭଳି ଅଯଥା କୌଣସି ସମୟରେ ନଷ୍ଟ ନ ହେବ, ସେ ଦିଗରେ ଗୁରୁତ୍ବ ଦିଆଯାଉଛି ବୋଲି ଡାକ୍ତର ମହାପାତ୍ର କହିଛନ୍ତି।
ଏ ସଂପର୍କରେ ମତ ରଖି ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ଯେ ରକ୍ତ ଦାନ କରୁଥିବା ବ୍ୟକ୍ତି କିଭଳି ଉଚ୍ଚରକ୍ତଚାପ, କ୍ୟାନସର୍, କୋଲେଷ୍ଟ୍ରଲ୍ ଭଳି ଅନେକ ରୋଗରୁ ସୁରକ୍ଷା ପାଆନ୍ତି, ସେ ଦିଗରେ ଅଧିକରୁ ଅଧିକ ସୂଚନା ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ଫଳରେ ରାଜ୍ୟରେ ରକ୍ତ ଅଭାବ ଜନିତ ସମସ୍ୟା ଦୂର ହୋଇ ପାରିବ।

ସାଧାରଣ ଭାବେ ମଣିଷଙ୍କ ଭିତରେ ୯ ପ୍ରକାର ରକ୍ତ ଗ୍ରୁପ୍ ରହିଥିବା କୁହାଯାଏ। ଏ ପଜିଟିଭ୍, ଏ ନେଗେଟିଭ୍, ବି ପଜିଟିଭ୍, ବି ନେଗେଟିଭ୍, ଏବି ପଜିଟିଭ୍, ଏବି ନେଗେଟିଭ୍, ଓ ପଜିଟିଭ୍, ଓ ନେଗେଟିଭ୍ ଏବଂ ବମ୍ବେ ଫେନୋ ଟାଇପ୍। ଏବି ନେଗେଟିଭ୍, ଓ ନେଗେଟିଭ୍ ଭଳି ରକ୍ତ ଗ୍ରୁପ୍‌କୁ ରେଆର୍ (ବିରଳ) ରକ୍ତ ଗ୍ରୁପ୍‌ ଭାବେ ପରିଗଣିତ କରାଯାଏ। ଏହି ଗ୍ରୁପର ରକ୍ତ ସହଜରେ ମିଳି ନଥାଏ। ତେଣୁ ଅନେକ ସମୟରେ ରେକର୍ଡ ଦେଖି ଆବଶ୍ୟକତା ସମୟରେ ସେହି ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଯୋଗାଯୋଗ କରି ରକ୍ତଦାନ ପାଇଁ ଡକାଯାଏ। ଅନ୍ୟପଟେ ସବୁଠୁ ବିରଳ ରକ୍ତ ଗ୍ରୁପ୍‌ ଭାବେ ବମ୍ବେ ଫେନୋ ଟାଇପ୍‌କୁ ବିଚାର କରାଯାଏ। ପ୍ରତି ଲକ୍ଷେ ଲୋକରେ ହୁଏତ ଏଭଳି ଗ୍ରୁପ୍‌ର ଜଣେ ବ୍ୟକ୍ତି ମିଳିଥା’ନ୍ତି। କଟକ ବଡ଼ ମେଡିକାଲରେ କାର୍ଯ୍ୟ କରୁଥିବା ଜଣେ ଆଟେଣ୍ଡାଣ୍ଟଙ୍କର ଏହି ରକ୍ତ ଗ୍ରୁପ୍ ଥିବା ଏସ୍‌ସିବି ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୋଟାମୋଟି ଭାବେ ଦେଖିଲେ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ଆବଶ୍ୟକତାର ୬୦ପ୍ରତିଶତ ପାଖାପାଖି ରକ୍ତ ସଂଗ୍ରହ ହେଉଥିବା ବେଳେ ଏହା ଶହେ ପ୍ରତିଶତରେ ପହଞ୍ଚି ପାରିଲେ ରକ୍ତ ଅଭାବ ଜନିତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇ ପାରିବ।

ସମ୍ବନ୍ଧିତ ଖବର