ପୁଲିସକୁ ଲୁଟେରାଙ୍କ ଚାଲେଞ୍ଜ; କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଲୁଟ୍; ଜବତ ଶୂନ

ମଧୁପାଟଣାରେ ୭ ପରିବାର ଲୁଟେରାଙ୍କ ଶିକାର; ସିପି, ଡିସିପିଙ୍କୁ ଭେଟିଲା ପରେ ବି ହତାଶ

କଟକ: ଗଲା କିଛି ମାସ ଭିତରେ ଚୋର, ଲୁଟେରାଙ୍କ ଉପଦ୍ରବ ଚରମସୀମାରେ ପହଞ୍ଚିଛି। ଲୁଟେରା ଦଳ କେବଳ ମଧୁପାଟଣା ଅଞ୍ଚଳରେ ୭ ଜଣଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ବେଳେ କୌଣସି ଗୋଟିଏ ଘଟଣାର ବି ଟେର୍ ପାଇନି ପୁଲିସ। ଆଜି ‘ସମ୍ବାଦ’ରେ ‘୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଗୋଲ୍’ ଖବର ପ୍ରକାଶ ପାଇଥିଲା। କିନ୍ତୁ ଲୁଟେରା ଆହୁରି ୪ ଜଣଙ୍କ ଘରୁ ୩୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଲୁଟ୍‌ କରିଥିବା ଜଣା ପଡିଛି।

ଖପୁରିଆ ଲେବର କଲୋନି ଅଞ୍ଚଳରୁ ମିଳିଥିବା ଦୁର୍ବୃତ୍ତଙ୍କ ଫୁଟେଜ ଅଭିଯୋଗକାରୀମାନେ ମଧୁପାଟଣା ଥାନାରେ ଦେଇଥିଲେ ସୁଦ୍ଧା ପୁଲିସ ଦୁର୍ବୃତ୍ତଙ୍କୁ ଠାବ କରିପାରି ନାହିଁ। ଏହି ଫୁଟେଜ୍‌ରେ ଜଣେ ହାପ୍‌ ପ୍ୟାଣ୍ଟ ପିନ୍ଧା ଡେଙ୍ଗା ଯୁବକର ଚିତ୍ର ରହିଛି। ଲୁ‌ଟର ଶିକାର ହୋଇଥିବା ବ୍ୟକ୍ତି ପୁଲିସ କମିସନର ଓ ଡିସିପିଙ୍କ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେଲେଣି। କିନ୍ତୁ ନା ଲୁଟେରା ଧରା ପଡୁଛନ୍ତି ନା ମିଳୁଛି ଲୁଟ୍ ସଂପତ୍ତି।

ବ୍ୟବସାୟୀଙ୍କ ଘରୁ ପୋଛିନେଲେ ୧୬ ଲକ୍ଷ ଟଙ୍କା
ମଧୁପାଟଣା ଖପୁରିଆ ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଗନ୍ନାଥ ରୋଡ ଅଞ୍ଚଳର ଲୁହା ଆଲମିରା ପ୍ରସ୍ତୁତ ସଂସ୍ଥାର ମାଲିକ ଅମରେନ୍ଦ୍ର ସାହୁ ପରିବାର ସହିତ ଗଲା ଡିସେମ୍ବର ୩୦ ତାରିଖରେ କେନ୍ଦୁଝର ଶ୍ବଶୁର ଘରକୁ ଯାଇଥିଲେ। ଜାନୁଆରି ୩ ତାରିଖ ସକାଳେ ଘରେ ଚୋରି ହୋଇଥିବା ସମ୍ପର୍କରେ ଭଡ଼ାଟିଆ ସକାଳ ପ୍ରାୟ ୯ଟା ବେଳେ ସୂଚନା ଦେଇଥିଲେ। ଖବର ପାଇ ଅମରେନ୍ଦ୍ର ସେଦିନ ଦିନ ପ୍ରାୟ ୧୨ଟା ବେଳେ ଘରେ ପହଞ୍ଚି ଥିଲେ। ଜାନୁଆରି ୨ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରେ ପଶିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟଫାଟକ ସମେତ ଦୁଇଟି ବେଡ୍‌ ରୁମ୍‌ ଓ ଡ୍ରଇ˚ ରୁମ୍‌ କବାଟର ତାଲା ବି ଭଙ୍ଗାଯାଇଥିଲା। ଦୁଇଟି ବେଡରୁମ୍‌ରେ ଥିବା ଗଡ଼ରେଜ୍‌ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଅମରେନ୍ଦ୍ର। ଦୁର୍ବୃତ୍ତମାନେ ଘରୁ ପ୍ରାୟ ୪୦୦ ଗ୍ରାମର ସୁନା ଅଳଙ୍କାର ଲୁଟିଥିବା ସେ ଏତଲାରେ ଦର୍ଶାଇଛନ୍ତି।

ରୋଷେଇ ଘର ଓ ବେଡ୍‌ ରୁମ୍‌ର ସମସ୍ତ ଜିନିଷପତ୍ର ଖେଳା ହୋଇଥିବା ବେଳେ କୌଣସି ବି ପ୍ରମାଣ ଦୁର୍ବୃତ୍ତମାନେ ଛାଡ଼ି ନାହାନ୍ତି। ଧରାପଡ଼ିଯିବା ଭୟରେ ଅମରେନ୍ଦ୍ରଙ୍କ ଘରେ ଲାଗିଥିବା ସିସି କ୍ୟାମେରା ହାର୍ଡ ଡିସ୍କ ବି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅମରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ମଧୁପାଟଣା ଥାନା ପୁଲିସ ଏକ ମାମଲା(କେସ୍‌ ନ˚ ୨୯/୨୧) ରୁଜୁ କରିଥିଲେ ସୁଦ୍ଧା ଘଟଣାସ୍ଥଳକୁ ସନ୍ଧାନୀ କୁକୁର ଆସିନଥିଲା। କେବଳ ସାଇଣ୍ଟିଫିକ୍‌ ଟିମ୍ ଫିଙ୍ଗର‌୍‌ ପ୍ରିଣ୍ଟ ନେଇ ଫେରିଯାଇଛି। ଏ ସ˚କ୍ରାନ୍ତରେ ମଧୁପାଟଣା ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ଡିସିପି ପ୍ରତୀକ ସି˚ହ, ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀଙ୍କୁ ଭେଟିଛନ୍ତି ଅମରେନ୍ଦ୍ର। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଳିଲା ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଅମରେନ୍ଦ୍ର।

Sambad

ଔଷଧ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା
ନେତାଜୀନଗରରେ ରହୁଥିବା କେନ୍ଦ୍ରାପଡ଼ା ଚାନ୍ଦୋଳ ଦାନପୁରର ଔଷଧ ବ୍ୟବସାୟୀ ସୁବାସ ଚନ୍ଦ୍ର ମହାପାତ୍ର ପରିବାର ସହିତ ୨୦୨୦ ଡିସେମ୍ବର ୨୩ ତାରିଖ ସନ୍ଧ୍ୟାରେ ଲକ୍ଷ୍ମୀପୂଜା ପାଇଁ ଗାଁକୁ ଯାଇଥିଲେ। ୨୪ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରେ କଳାକନା ବୁଲାଇ ଦେଇଥିଲେ। ୨୫ ତାରିଖ ସକାଳ ପ୍ରାୟ ୯ଟା ବେଳେ ପଡେ଼ାଶୀ ଘଟଣା ସମ୍ପର୍କରେ ସୁବାସଙ୍କୁ ଜଣାଇଥିଲେ। ସୁବାସ ପହଞ୍ଚିଲା ପରେ ତାଙ୍କ ଘରର ମୁଖ୍ୟ ଫାଟକ ତାଲା ଭଙ୍ଗାଯାଇ ତଳେ ପଡ଼ିଥିଲା। ଡ୍ରଇ˚ ରୁମ୍‌ ଓ ବେଡ୍‌ ରୁମ୍‌ ତାଲା ବି ଭଙ୍ଗାଯାଇଥିଲା। ବେଡରୁମରେ ଥିବା ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୮ ଭରି ଓଜନର ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୫ ହଜାର ଟଙ୍କା ଲୁଟିନେଥିଲେ। ସୁବାସଙ୍କ ହଳେ ଚପଲ ବି ନଥିଲା। ୨୬ ତାରିଖରେ ମଧୁପାଟଣା ଥାନା ପୁଲିସ ଏକ ମାମଲା(କେସ ନ˚ ୨୮୨/୨୦୨୦) ରୁଜୁ କରିଥିଲା।

ଆଜି ସୁଦ୍ଧା ୫ ଥରରୁ ଅଧିକ ଥର ମଧୁପାଟଣା ଥାନାକୁ ଦୌଡ଼ିଥିଲେ ସୁଦ୍ଧା ପୁଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସୁବାସ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୨୦ ମାର୍ଚ୍ଚ ୭ ତାରିଖ ରାତି ପ୍ରାୟ ୮ଟା ବେଳେ ତାଙ୍କ ଘରକୁ ଦୁର୍ବୃତ୍ତ ପଶି ଲୁଟ୍‌ ଉଦ୍ୟମ କରିଥିଲେ। ଘରେ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଏକୁଟିଆ ଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୀତାଞ୍ଜଳି ଗୁରୁତର ଆହତ ହୋଇଥିଲେ। ଏ ସ˚କ୍ରାନ୍ତରେ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଯାଇଥିବା ସୁବାସ କହିଛନ୍ତି। ପ୍ରାୟ ୨୭ରୁ ୩୦ ବର୍ଷର ଜଣେ ଡେଙ୍ଗା ଯୁବକକୁ ସେ ଦେଖିଥିଲେ।

ବିବନକୁ ଧରି ନେଲେ ବେଲେଶ୍ବର ଡବଲ୍ ମର୍ଡର ଅଭିଯୁକ୍ତ କୁଆଡେ ଗଲେ?

ପୁଲିସର ଭଲ କାମକୁ ପ୍ରଶଂସା କରନ୍ତୁ….ଅଭିଯୋଗ ଶୁଣୁ ନଥିଲେ, କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲେ, ଦୁର୍ନୀତି ହେଉ ଥିଲେ ଅଭିଯୋଗ ଆଣନ୍ତୁ…

୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ଫେରାର ଅଭିଯୁକ୍ତ ବିବନ ବିଶ୍ବାଳକୁ ମୁମ୍ବାଇରୁ ଗିରଫ କରି ପାରିଲା ପୁଲିସ। ପୁଲିସ ଏହି କାର୍ଯ୍ୟକୁ ନେଇ ଖୁସି ହେଉଥିବା ବେଳେ ପ୍ରଶଂସା ବି ମିଳୁଛି। କିନ୍ତୁ ଏପଟେ ବେଲେଶ୍ବର ଡବଲ ମର୍ଡର ଘଟଣାରେ ଅପରାଧୀ ପୁରା ଉଭାନ୍ ହୋଇଯିବା ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଉଛି। ଚୋରି, ଲୁଟ୍, ଠକେଇରେ ଅଭିଯୁକ୍ତ ଧରା ପଡୁ ନାହାନ୍ତି। କେତେକ ସ୍ଥାନରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ବି ହେଉ ନାହିଁ। ଯଦି ପୁଲିସ କେଉଁଠି ପ୍ରଶଂସନୀୟ କାର୍ଯ୍ୟ କରୁଛି, ତେବେ ଆପଣ ଖବର କାଗଜ ଜରିଆରେ ତାହାକୁ ସାମନାକୁ ଆଣି ପ୍ରଶଂସା କରନ୍ତୁ। କିନ୍ତୁ ପୁଲିସ ଭୁଲ ବାଟରେ ଯାଉଥିଲେ, ଅଭିଯୋଗ ଶୁଣୁ ନଥିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲେ ଅଥବା ଦୁର୍ନୀତିର ପ୍ରମାଣ ଥିଲେ ଆପଣଙ୍କ ସ୍ବର ଉତ୍ତୋଳନ କରନ୍ତୁ। ଆପଣଙ୍କ ଅଭିଯୋଗ ଫୋନ୍ ଅଥବା ହ୍ବାଟସଆପ୍ ଜରିଆରେ ସୂଚନା ଦିଅନ୍ତୁ। ଆପଣଙ୍କ ଶାଣିତ ସ୍ବର ବ୍ୟବସ୍ଥାରେ ହୁଏତ ପରିବର୍ତ୍ତନ ଆଣିବାରେ ସହାୟକ ହେବ।

Sambad

ମସଲା କମ୍ପାନି କର୍ମଚାରୀଙ୍କ ଟଙ୍କା, ସୁନା, ସାଇକଲ, ପୋଷାକ ବି ଲୁଟି ନେଲେ
ଖପୁରିଆ ଲେବର କଲୋନି ଅଞ୍ଚଳରେ ରହୁଥିବା ମସଲା କମ୍ପାନି କର୍ମଚାରୀ ପ୍ରଦୀପ ମହାନ୍ତି ଗଲା ଜାନୁଆରି ୨୫ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଭୁବନେଶ୍ବର ବାଲିଅନ୍ତାରେ ଥିବା ଶ୍ବଶୁର ଘରକୁ ପରିବାର ଲୋକଙ୍କ ସହିତ ଯାଇଥିଲେ। ୨୬ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ପହଞ୍ଚିଲା ବେଳକୁ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସେଦିନ ରାତିରେ ହିଁ ଥାନାର ଏତଲା ଦିଆଯାଇଥିଲା। ଦୁର୍ବୃତ୍ତମାନେ ଘରର ମୁଖ୍ୟ ଫାଟକ ଓ ବେଡ୍‌ ରୁମ୍‌ ତାଲା ଭାଙ୍ଗି ଦେଇଥିଲେ। ଗଡରେଜ୍‌ ଭାଙ୍ଗି ୮୦ ହଜାର ଟଙ୍କାର ୧୮ ଗ୍ରାମ ସୁନା, ନଗଦ ୧୭ ହଜାର ଟଙ୍କା, ସାଇକଲ୍‌ ଓ ପୋଷାକ ଲୁଟି ନେଇଥିଲେ। ଘର ଭିତରେ ଦୁର୍ବୃତ୍ତ ଏକ ଲୁହା ରଡ୍‌ ଛାଡ଼ି ଯାଇଥିଲେ। ଥାନାରେ ଜାନୁଆରି ୨୬ ତାରିଖରେ ପ୍ରଦୀପ ଏତଲା ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଏତଲାର ନକଲ ବି ମିଳି ନଥିବା ସେ ଅଭିଯୋଗ କରିଛନ୍ତି।

କମ୍ପାନି କର୍ମଚାରୀଙ୍କ ୩ ଲକ୍ଷ ଚୋରି

ମଧୁପାଟଣା ଥାନା ନେତାଜୀ ନଗର ଅଞ୍ଚଳରେ ଟାଙ୍ଗୀ ଗୋବିନ୍ଦପୁରର ସୁରେଶ ଚନ୍ଦ୍ର ମହାରଣା ପରିବାର ସହିତ ରହୁଥିଲେ। ଘରୋଇ କମ୍ପାନିରେ କାମ କରୁଥିବା ସୁରେଶ ୨୦୨୦ ଡିସେମ୍ବର ୨୨ ତାରିଖରେ ପରିବାର ଲୋକଙ୍କ ସହିତ ଗାଁକୁ ଯାଇଥିଲେ। ୨୪ ତାରିଖ ବିଳମ୍ବିତ ରାତିରେ ଘରୁ ଚୋରି ହୋଇଥିଲା। ୨୫ ତାରିଖ ସକାଳ ପ୍ରାୟ ୭ଟା ବେଳେ ଘର ମାଲିକ ତାଙ୍କୁ ଫୋନ୍‌ କରି ଚୋରି ସମ୍ପର୍କରେ ସୂଚନା ଦେଇଥିଲେ। ସେ ଘରେ ସକାଳ ପ୍ରାୟ ୮ଟା ବେଳେ ପହଞ୍ଚି ଦେଖିଲା ବେଳକୁ ଘରର ମୁଖ୍ୟ କବାଟ ଓ ବେଡ୍‌ ରୁମ୍‌ ତାଲା ତଡ଼ା ହୋଇଥିଲା। ଦୁର୍ବୃତ୍ତମାନେ ଲୁହା ଆଲମାରି ଭାଙ୍ଗି ସେଥିରେ ଥିବା ୩ ଲକ୍ଷ ଟଙ୍କାର ୫୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା ଲୁଟିନେଇଥିଲେ। ଦୁର୍ବୃତ୍ତମାନେ ଗଡରେଜ୍‌ ଭାଙ୍ଗିବା ପାଇଁ ସେହି ଘରେ ଥିବା ମାର୍ତୁଲ୍‌, ପନିକି, କୋରଣା ଇତ୍ୟାଦି ବ୍ୟବହାର କରିଥିଲେ। ମଧୁପାଟଣା ଥାନା ପୁଲିସ ଏକ ମାମଲା(କେସ୍‌ ନ˚ ୨୮୧/୨୦୨୦) ରୁଜୁ କରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କେହି ଦୁର୍ବୃତ୍ତ ଧରାପଡ଼ିନଥିବା ସୁରେଶ ଅଭିଯୋଗ କରିଛନ୍ତି। ଡିସିପି ପ୍ରତୀକ ସି˚ହଙ୍କୁ ଭେଟି ଥାନାର ଅବହେଳା ସମ୍ପର୍କରେ ଅବଗତ କରାଇଥିଲେ। ଥାନାକୁ ବାରମ୍ବାର ଦୌଡ଼ିଲେଣି। କିନ୍ତୁ କୌଣସି ପ୍ରକାର ସୁଫଳ ମିଳି ପାରିନଥିବା ସୁରେଶ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର