କଟକ: କଟକ କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିବା ‘ଫେରିବାଲା ଗ୍ରୁପ୍’ ଓ ‘କେଳା ଗ୍ରୁପ୍’ କୁ କାବୁ କରିବା ପାଇଁ ଗଠନ ହେଲା ‘କ୍ରାଇମ୍ ୟୁନିଟ୍’। କମିସନରେଟ୍ ପୁଲିସର ଥାନାଵାରି ସମ୍ପତ୍ତି ଲୁଟ୍ ଭଳି ଅପରାଧର ତଦନ୍ତ ଏହି ୟୁନିଟ୍ କରିବ। ନିଜ ଥାନା ସହିତ ପଡେ଼ାଶୀ ଥାନାର ପୁଲିସ ଅଧିକାରୀଙ୍କୁ ୟୁନିଟ୍ ସହଯୋଗ କରିବ। କରୋନା କାଳରେ ୧୨ ମାସ ଭିତରେ କେବଳ କଟକ ସହରରେ ୧ ହଜାର ୧୮୭ ଜଣଙ୍କ ସମ୍ପତ୍ତି ହଡ଼ପ୍ ହୋଇଛି। ପୁଲିସ ମାତ୍ର ୩୭୪ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହୋଇଛି। ଆହୁରି ୮୧୩ ଜଣଙ୍କ ଚାର୍ଜସିଟ୍ ପୁଲିସ ସମ୍ପତ୍ତି ହଡ଼ପ୍ ଭଳି ଅପରାଧିକ ମାମଲାରେ ଦାଖଲ କରିପାରି ନାହିଁ। ଦୁର୍ବୃତ୍ତଙ୍କୁ ଠାବ କରିବା କ୍ଷେତ୍ରରେ ପୁଲିସ କରୋନା ବର୍ଷରେ ଦୁର୍ବଳ ସ୍ଥିତିରେ ରହିଛି। ଗୋଟିଏ ବର୍ଷ ଭିତରେ ଲୁଟେରା, ଡକାୟତ ଓ ଚୋରଙ୍କ ଅରାଜକତା ଯେଭଳି କଟକରେ ଦ୍ରୁତ ବୃଦ୍ଧି ପାଇଛି ଓ ଏମାନଙ୍କୁ ଧରିବାରେ ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ପଛେଇ ଯାଇଥିବାରୁ ସହରବାସୀଙ୍କ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
କଟକ କମିସନରେଟ୍ ପୁଲିସରେ ୧୫ଟି ଥାନାରେ ଗଠନ ହୋଇଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍। ଏହି ୟୁନିଟ୍ରେ ଜଣେ ଲେଖାଏ ଡାଇରେକ୍ଟ ଏସ୍ଆଇ ନେତୃତ୍ବ ନେବେ। ତାଙ୍କୁ ସହଯୋଗ କରିବା ପାଇଁ ୪ ଜଣ ଦକ୍ଷ ଓ ଯୁବ ଏଏସ୍ଆଇ, କନଷ୍ଟେବଳ, ଓଏପିଏଫ୍ କନ୍ଷ୍ଟେବଳ ଓ ହୋମଗାର୍ଡଙ୍କୁ ସାମିଲ କରାଯିବ। ସହରରେ ମୋଟ ୬୦ ଜଣ ପୁଲିସ କର୍ମଚାରୀ ୟୁନିଟ୍ରେ ସାମିଲ ହେବେ।
ଥାନାସ୍ତରରେ ଗଠନ ହୋଇଥିବା ଏହି ସ୍କ୍ବାଡ୍ର ମୂଳ ଉଦ୍ଦେଶ୍ୟ ଚୋରି, ଡକାୟତି, ଲୁଟ୍, ଛିନତାଇ ଭଳି ସମ୍ପତ୍ତି ଲୁଟ୍ ଅପରାଧର ତଦନ୍ତ କରିବ। ଥାନାସ୍ତରରେ ଦୁର୍ବୃତ୍ତଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସ˚ଗ୍ରହ ଏବ˚ ଲୁଟ୍ ସମ୍ପତ୍ତି ଠାବ ସହିତ ଅଭିଯୁକ୍ତଙ୍କୁ ଗିରଫ କରିବେ। ଦ୍ବିତୀୟରେ ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଏବେ ଜଗତପୁର ଗୋଲେଇ ଛକ, ବାରଙ୍ଗ ବଜାର, ମାଛୁଆ ବଜାର, ପଟ୍ଟାପୋଲ, ହାଡ଼ିଆ ପଠା ଅଞ୍ଚଳରେ ସକ୍ରିୟ ହୋଇଥିବାରୁ ନିଶା କାରବାର ରୋକିବା କ୍ଷେତ୍ରରେ ବି ସ୍କ୍ବାଡ୍ କାମ କରିବ। ପଶ୍ଚିମବଙ୍ଗ ମୁର୍ସିଦାବାଦ୍ର ‘ଫେରିବାଲା ଗ୍ରୁପ୍’, ଗଞ୍ଜାମ ଓ ଯାଜପୁରରେ ରହୁଥିବା ‘କେଳା ଗ୍ରୁପ୍’ ଏବେ କଟକ କମିସନରେଟ୍ ପୁଲିସ ନିଦ ହଜାଇ ଦେଇଛନ୍ତି। କଟକ କମିସନରେଟ ପୁଲିସରେ ସର୍ବାଧିକ ମଧୁପାଟଣା ଥାନାରେ ୧୧ଟି ଲୁଟ୍ କରିଥିବା ବେଳେ ବାଦାମବାଡ଼ିରେ ଦୁଇଟି ଓ ବିଡ଼ାନାସୀରେ ଗୋଟିଏ ଘଟାଇଛନ୍ତି। ଏହି ଗ୍ୟାଙ୍ଗ୍କୁ ଠାବ କରିବାକୁ ପ୍ରାଥମିକତା ଦେବ କ୍ରାଇମ୍ ୟୁନିଟ୍। ଥାନାସ୍ତରରେ ଖୋଲିଥିବା କ୍ରାଇମ ୟୁନିଟ୍ ନିଜ ଥାନା ଅଧୀନରେ ସମ୍ପତ୍ତି ଲୁଟ୍ ମାମଲାରେ ତଦନ୍ତ କରିବା ସହିତ ଅନ୍ୟ ପଡେ଼ାଶୀ ଥାନାର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବେ। ପଡେ଼ାଶୀ ଥାନାକୁ ଗୁଇନ୍ଦା ତଥ୍ୟ ଯୋଗାଇ ଲୁଟେରାଙ୍କୁ ଧରାଇବାରେ ସହଯୋଗ କରିବେ। ପ୍ରତି ସପ୍ତାହରେ ଥାନାଵାରି ସମୀକ୍ଷା ବୈଠକ କରି ସମ୍ପତ୍ତି ଲୁଟ୍ ମାମଲାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବ।
ଯେଉଁ ପୁଲିସ କର୍ମଚାରୀ ଭଲ କାମ କରିବେ, ସେମାନଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପୁରସ୍କୃତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କଟକ କମିସନରେଟ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, କରୋନା କାଳରେ ୨୦୨୦ରେ ସମ୍ପତ୍ତି ଲୁଟ୍ ମାମଲା ସୀମା ପାର୍ କରିଯାଇଥିଲା। ୨୦୨୦ ଜାନୁଆରି ୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ୧୭ଟି ଥାନାରେ ୧୬ଟି ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ଚାର୍ଜସିଟ୍ ୧୪ଟି ମାମଲାର ହୋଇଥିଲା। ଲୁଟ୍ ମାମଲା ୧୩୦ଟି, ଚାର୍ଜସିଟ୍ ୮୬ଟି ଏବ˚ ୬୭.୧୯ ପ୍ରତିଶତ ଠାବ କରାଯାଇଥିଲା। ଛିନ୍ତାଇ ମାମଲା ୧୬୮ଟି ମାମଲା, ଚାର୍ଜସିଟ୍ ୬୨ଟି ଏବ˚ ୩୭.୧୩ ପ୍ରତିଶଥ ମାମଲା ପୁଲିସ ଠାବ କରିଥିଲା। ଚୋରି ମାମଲା ୫୪୨ଟି, ୨୧୨ଟି ଚାର୍ଜସିଟ୍ ଏବ˚ ୩୯.୭୭ ପ୍ରତିଶତ ଠାବ ହୋଇଥିଲା। ଠକେଇ ମାମଲା ୩୩୧ଟି, ୧୫୧ଟି ଚାର୍ଜସିଟ୍ ଏବ˚ ୪୬.୮୯ ପ୍ରତିଶତ ଠାବ ହୋଇଥିଲା। ସେହିଭଳି ୨୦୧୯ ବର୍ଷରେ ଡକାୟତି ମାମଲା ୨୦ଟି, ୧୯ଟି ଚାର୍ଜସିଟ୍ ଏବ˚ ୧୦୦ ପ୍ରତିଶତ ଅପରାଧ ଠାବ କରାଯାଇଛି। ଲୁଟ୍ ମାମଲା ୧୧୩ଟି, ୮୪ଟି ଚାର୍ଜସିଟ୍, ୭୪.୩୪ ପ୍ରତିଶତ ଠାବ ହୋଇଛି। ଛିନତାଇ ମାମଲା ୧୨୪ଟି, ୪୬ଟି ଚାର୍ଜସିଟ୍ ଏବ˚ ୩୭.୪୦ ପ୍ରତିଶତ ଠାବ କରାଯାଇଛି। ଚୋରି ୬୪୩ଟି, ୨୬୩ଟି ଚାର୍ଜସିଟ୍ ଏବ˚ ୪୧.୫୫ ପ୍ରତିଶତ ଠାବ କରାଯାଇଛି। ଠକେଇ ୨୬୭ଟି, ୧୬୭ଟି ଚାର୍ଜସିଟ୍ ଏବ˚ ୬୩.୨୬ ପ୍ରତିଶତ ଠାବ ହୋଇଛି। କରୋନା ପରେ ପରେ ଏବେ ଫେରିବାଲା ଗ୍ରୁପ ଯେଭଳି ମଧୁପାଟଣା ଅଞ୍ଚଳରେ ସିରିଜ୍ ଲୁଟ୍ ଘଟାଇଲେଣି, ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ଗୁଇନ୍ଦା କ୍ଷେତ୍ରରେ ଗୁରୁତ୍ବ ନଦେଲେ ଆଗାମୀ ଦିନରେ ସମ୍ପତ୍ତି ଜବତ କ୍ଷେତ୍ରରେ କଟକ କମିସନରେଟ୍ ପୁଲିସ ଅକଳରେ ପଡ଼ିପାରେ। ଗଠନ ହୋଇଥିବା ଏହି ୟୁନିଟ୍ ପାଇଁ ସମ୍ପତ୍ତି ହଡ଼ପ୍ ଅପରାଧ ନିୟନ୍ତ୍ରଣରେ ରଖିବା ବଡ଼ ଚ୍ୟାଲେଞ୍ଜ ହୋଇପାରେ।