ପାଣିରେ ବୁଡ଼ିଲା ମାଲଗୋଦାମ; ୩୦ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ

କଟକ: ମଙ୍ଗଳବାର ରାତିରେ ହୋଇଥିବା ବର୍ଷାରେ ଆଜି ମାଲଗୋଦାମରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ତିନି ଫୁଟ ଉଚ୍ଚତାର ପାଣି ମାଲଗୋଦାମରେ ଜମି ରହିବାରୁ ବିଭିନ୍ନ ଦୋକାନ ଭିତରେ ପାଣି ପଶି ପ୍ରାୟ ୩୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗୋଦାମରେ ନଷ୍ଟ ହୋଇଛି। ଜାମ ହୋଇଥିବା ଡ୍ରେନ ସିଏମସି ସଫା କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବଣିକ ସଂଘ ଅଭିଯୋଗ କରିଛି। ସୂଚନା ଅନୁଯାୟୀ, ବଣିକ ସଂଘ ସଭାପତି ଲକ୍ଷ୍ମୀଧର ସାହୁଙ୍କ ଗୋଦାମ ଗଳିରୁ ପାଣି ଆସି ମୁଖ୍ୟ ରାସ୍ତରେ ଥିବା ଅନନ୍ତ ଶୟନ ମନ୍ଦିର ଅତିକ୍ରମ କରି ରେଭେନ୍ସା କଲେଜ ନିକଟରେ ଥିବା ମୁଖ୍ୟ ଡ୍ରେନରେ ପଡ଼େ। ଗଲା ୩ ବର୍ଷ ହେବ ପାଣି ଜାମ ହେଉଛି। ପାଣି ଯିବାକୁ ଯେଉଁ ପାଇପ ପଡିଛି, ଏହି ପାଇପ ଜାମ ହୋଇଯାଇଛି। ବର୍ଷା ପାଣି ଯାଇ ପାରୁନଥିବାରୁ ଏହି ଗଳିରେ ଥିବା ପାଖାପାଖି ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି। ଗୋଦାମ ଭିତରେ ପାଣି ପଶିଯାଇଛି। ୨୦୧୯ରେ ଯେତେବେଳେ ଜିଲ୍ଲାପାଳ ଗୋପଦ ଅଭିଯାନରେ ମାଲଗୋଦାମ ଆସିଥିଲେ ସେତେବେଳେ ଜାମ ହୋଇଥିବା ପୋଲ ସଫା କରିବାକୁ କୁହାଯାଇଥିଲା। ୬ ମାସ ଭିତରେ କାମ ଶେଷ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୋଲ ସଫା ହେଲାନି। ୩ ଥର ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ବି ଆଜି ଏଭଳି ଗୁରୁତର ସ୍ଥିତି ଉପୁଜିଛି।

ସେହିଭଳି ପୁଷ୍ପାଞ୍ଜଳି ହୋଟେଲ ଗଳି ଦେଇ ମାଲଗୋଦାମର କିଛି ପାଣି ମୁଖ୍ୟ ଡ୍ରେନକୁ ଯାଉଥିଲା। ହୋଟେଲ ପାର୍ଶ୍ଵରେ ବସ୍ତି ଉଚ୍ଛେଦ ସମୟରେ ଡ୍ରେନ ଜାମ କରିଦେବାରୁ ପାଣି ଯାଇପାରୁ ନାହିଁ। ଆଜି ରାତି ପ୍ରାୟ ୮ଟା ଯାଏ ମାଲଗୋଦାମରେ ପାଣି ଜମି ରହିଥିଲା। ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଓ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର କହିଛନ୍ତି ଯେ ଜିଲ୍ଲା ପ୍ରଶାସନକୁ ଘଟଣା ସମ୍ପର୍କରେ ୪ ଥର ଅଭିଯୋଗ କରାଯାଇଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି। ବଣିକ ସଂଘ ନିଜ ଖର୍ଚ୍ଚରେ ଏବେ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବ।

ସମ୍ବନ୍ଧିତ ଖବର