କଟକ: ପେସାଦାର ବାଇକ୍ ଲୁଟେରା ଗ୍ୟାଙ୍ଗ୍ରେ କଟକ ବଡ଼ ଡାକ୍ତରଖାନାର ଜଣେ ସୁରକ୍ଷାକର୍ମୀ। ଏହି ସୁରକ୍ଷା କର୍ମୀଙ୍କ ସମେତ ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ସୁରକ୍ଷାକର୍ମୀ ଚଗୁଲୁ ଓରଫ ପ୍ରତାପ ସାମଲ ସୁରକ୍ଷା କର୍ମୀ ପୋଷାକରେ ମେଡିକାଲରୁ ବାଇକ୍ ଚୋରି କରି ଡାକ୍ତରଖାନା କ୍ୟାମ୍ପସ୍ ପାର୍ କରୁଥିଲା। କ୍ୟାମ୍ପସ୍ ବାହାରେ ଥିବା ଲୁଟେରା ଗ୍ୟାଙ୍ଗ୍ ସଦସ୍ୟଙ୍କୁ ବାଇକ୍ ଜିମା ଦେଉଥିଲା। ଏଭଳି ଲୁଟେରା ଗ୍ୟାଙ୍ଗ୍ ନିକଟରୁ ପୁଲିସ ଆଜି ୯ଟି ଗାଡ଼ି ଜବତ କରିଛି। ଆହୁରି ୮ ଜଣ ସଦସ୍ୟ ଏହି ଗ୍ୟାଙ୍ଗ୍ରେ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନା ଅନୁଯାୟୀ, ଗଲା ୨୦ ତାରିଖରେ ବଡ଼ ଡାକ୍ତରଖାନା ଫାଣ୍ଡିର ଏଏସ୍ଆଇ ମହେଶ୍ବର ମିଶ୍ର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବାଇକ୍ରେ ୬ ଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦଖିବାକୁ ପାଇଥିଲେ। ସେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ବାଇକ୍ ସହିତ ଖସି ପଳାଇଥିବା ବେଳେ ଅନ୍ୟ ୩ ଜଣ ଧରାପଡ଼ିଯାଇଥିଲେ। ସେମାନଙ୍କ ନିକଟରୁ ବିନା ନମ୍ବରପ୍ଲେଟ୍ରେ ଟିଭିଏସ୍ ଆପାଚି ଆରଟିଆର୍-୧୬୦ ଏବଂ ହିରୋ ମେଷ୍ଟ୍ରୋ ସ୍କୁଟର୍ ଜବତ ହୋଇଥିଲା। ଏହି ଦୁଇଟି ଚୋରା ବାଇକ୍ ବୋଲି ପୁଲିସ ସେମାନଙ୍କୁ ପଚରାଉଚରା ସମୟରେ ଜଣାପଡ଼ିଥିଲା। ସେମାନେ କଟକ ବଡ଼ ଡାକ୍ତରଖାନା କ୍ୟାମ୍ପସ୍ରୁ ଏଭଳି ଏକାଧିକ ବାଇକ୍ ଚୋରି କରିଥିବା ୩ ଅଭିଯୁକ୍ତ ପୁଲିସ ସାମନାରେ ସ୍ବୀକାର କରିଥିଲେ। ଏମାନେ ଥିଲେ ପେସାଦାର ବାଇକ୍ ଲୁଟେରା ଭଦ୍ରକର ଚଗୁଲୁ ଓରଫ ପ୍ରତାପ ସାମଲ, କଟକ ସଦର ଶ୍ରୀକୋଣର ପିଣ୍ଟୁ ଓରଫ ସୌରଭ ସ୍ବାଇଁ, ଖୋର୍ଧା ବାଲିଅନ୍ତାର ବାଗ୍ନିବଲ୍ଲଭ ଜେନା। ଚଗୁଲୁକୁ ପଚରାଉଚରା ପରେ ସେ ବଡ଼ ଡାକ୍ତରଖାନାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣାପଡ଼ିଥିଲା। ଗଲା ଏକବର୍ଷ ହେବ ଚଗୁଲୁ ମେଡିକାଲର ସୁରକ୍ଷାକର୍ମୀ ଦାୟିତ୍ବରୁ ବାହାରିବା ପରେ ଭୁବନେଶ୍ବରରେ କାମ କରୁଥିଲା। କଟକରୁ ଯିବା ପରେ ବି ଚଗୁଲୁ ସୁରକ୍ଷାକର୍ମୀ ପୋଷାକରେ ବଡ଼ ଡାକ୍ତରଖାନାକୁ ଆସି ବାଇକ୍ ଚୋରି କରିବା ପରେ ପିଣ୍ଟୁ, ବାଗ୍ନୀବଲ୍ଲଭ ସମେତ ଅନ୍ୟ ସହଯୋଗୀଙ୍କ ମାଧ୍ୟମରେ ସହର ପାର୍ କରୁଥିଲା।
ଯେହେତୁ ସେ ସୁରକ୍ଷାକର୍ମୀ ପୋଷାକରେ ରହୁଥିଲା, ତେଣୁ ତାକୁ କେହି ବଡ଼ ଡାକ୍ତରଖାନା କ୍ୟାମ୍ପସ୍ରେ ସନ୍ଦେହ କରୁ ନଥିଲେ। କଲେଜ ଛକରେ ଅଞ୍ଚଳରେ ଜଣେ ପଞ୍ଜାବୀ ଚାବି ମିସ୍ତ୍ରି ଏମାନଙ୍କୁ ନକଲି ଚାବି ଯୋଗାଉଥିଲା। ଏହି ମିସ୍ତ୍ରି ବାଇକ୍ ପିଛା ୩୦୦ ଟଙ୍କା ନେଉଥିଲା। ତାକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଏହି ଗ୍ୟାଙ୍ଗ୍ ଗଲା ଦୁଇବର୍ଷ ହେବ ଏଭଳି ଲୁଟ୍ କରିଆସୁଥିଲେ। ରାଣୀହାଟ ଅଞ୍ଚଳରୁ ଏକ ଅଟୋ ରିକ୍ସା ବି ଚୋରି କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହି ଲୁଟେର ଗ୍ୟାଙ୍ଗ୍ ମଙ୍ଗଳାବାଗ ସମେତ ବଡ଼ ଡାକ୍ତରଖାନା, ବାଦାମବାଡ଼ି ବସ୍ଷ୍ଟାଣ୍ଡ୍ ଅଞ୍ଚଳରେ ଚୋରି କରୁଥିଲେ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଲେଖାଏ ଅଟୋ ଓ ସ୍କୁଟି, ୭ଟି ଚୋରା ବାଇକ୍ ଜବତ କରିଛି। ଅଭିଯୁକ୍ତ ଚଗୁଲୁ ବିରୋଧରେ ମଙ୍ଗଳାବାଗ ଥାନାରେ ଗଲା ୧୫ ତାରିଖରୁ ୨୦ ତାରିଖ ଭିତରେ ୫ଟି ଚୋରି ମାମଲା ରୁଜୁ ହୋଇଛି। ପିଣ୍ଟୁ ବିରୋଧରେ ମଙ୍ଗଳାବାଗ ଥାନାରେ ୨୦୨୧ରେ ଦୁଇଟି ଓ ୨୦୨୨ ଏପ୍ରିଲ ୧୫ରୁ ୨୦ ଭିତରେ ୫ଟି ମାମଲା ରୁଜୁ ହୋଇଛି। ବାଗ୍ନୀବଲ୍ଲଭ ବିରୋଧରେ ମଙ୍ଗଳାବାଗ ଥାନାରେ ବି ୫ଟି ମାମଲା ରୁଜୁ ହୋଇଛି। ଏହି ଗ୍ୟାଙ୍ଗ୍ରେ ଆହୁରି ପ୍ରାୟ ୮ ଜଣ ଥିବା କୁହାଯାଉଛି। କେନ୍ଦ୍ରାପଡ଼ା ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ଚୋରା ବାଇକ୍ ପିଛା ୫ରୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି। ଏସିପି ଅଜୟ ଦାସ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚୋରି କାରବାର ସମ୍ପର୍କରେ ପର୍ଦ୍ଦାଫାସ କରିଥିବା ବେଳେ ବଡ଼ ଡାକ୍ତରଖାନାରେ ସୁରକ୍ଷାକର୍ମୀଙ୍କ ଅପରାଧିକ କାର୍ଯ୍ୟକଳାପ ଯାଞ୍ଚ ନକରି ଆଉଟସୋର୍ସିଂ ସଂସ୍ଥା ରଖୁଥିବାରୁ ଏମାନେ ଚୋରି ଓ ଦଲାଲିରେ ବିଭିନ୍ନ ସମୟରେ ସମ୍ପୃକ୍ତି ଅଭିଯୋଗରେ ଧରାପଡ଼ୁଥିବା କହିଛନ୍ତି। ଶ୍ରୀ ଦାସଙ୍କ ସମେତ ମଙ୍ଗଳାବାଗ ଥାନା ଦାୟିତ୍ବରେ ଥିବା ଏସିପି ଅମିତାଭ ମହାପାତ୍ର ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/MANGALABAG-THANA-DWARA-JABAT-CHORA-GADI-O-ASAMI-1.jpg)