ସିଏମ୍‌ସି ସାମ୍‌ନାରେ ଗଣ୍ଡଗୋଳ ଘଟଣା : ପୁଣି ତିନି ବିଜେପି ନେତା ଗିରଫ

କଟକ : ସିଏମ୍‌ସି କାର୍ଯ୍ୟାଳୟ ଘେରାଉ ବେଳେ ବିଜେପି ପକ୍ଷରୁ ଗଣ୍ଡଗୋଳ ଘଟଣାରେ ପୁଣି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀଘାଟ ଥାନା ପୁଲିସ । ପୁଲିସକୁ ଆକ୍ରମଣ ଅଭିଯୋଗରେ କଟକ ନଗର ବିଜେପି ଓବିସି ମୋର୍ଚ୍ଚା ସଭାପତି ଲାଲବାଗ ଥାନା ଶେଖବଜାର ଅଞ୍ଚଳର ହେମନ୍ତ ବେହେରା(୪୧), ବିଜେପି କର୍ମୀ ପୁରୀଘାଟ ଥାନା ବଙ୍ଗାଳିସାହିର ବିଶ୍ୱନାଥ ଜ୍ୟୋତକି(୪୫) ଏବଂ ମାଲ୍‌ଗୋଦାମ ଥାନା ଯୋବ୍ରା ପାରେଶ୍ୱର ସାହିର ମଣ୍ଟୁ ଓରଫ ହିମାଂଶୁ ଶେଖର ନାୟକ(୩୦)ଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ପରେ ଚୌଦ୍ୱାର ଜେଲ୍‌ ହାଜତକୁ ପଠାଯାଇଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ। ପୁଲିସ ମୋଟ ୨୦ ଜଣଙ୍କ ବିରୋଧରେ ଲିଖିତ ଏତଲା ରୁଜୁ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୭ ଜଣଙ୍କୁ ପୁଲିସ ଗିରଫ କରିସାରିଛି।

ଏଠାରେ ସୂଚନାଯୋଗ୍ୟ ଯେ, ଗଲା ୧୧ ତାରିଖରେ ବିଜେପି ପକ୍ଷରୁ ସିଏମ୍‌ସି କାର୍ଯ୍ୟାଳୟ ସାମ୍‌ନାରେ ବିକ୍ଷୋଭ ବେଳେ ଠେଲାପେଲାରେ ଦୁଇ ବିଜେପି କର୍ମୀଙ୍କ ସମେତ ଦୁଇ ପୁଲିସ ଅଧିକାରୀ ଆହତ ହୋଇଥିଲେ । ପୁରୀଘାଟ ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା । ପୂର୍ବରୁ ପୁଲିସ ବିଜେପିର ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ଦେବାଶିଷ ଘୋଷ ଓ ରାଜ୍ୟ ଯୁବ ବିଜେପି ଉପସଭାପତି ସିକନ୍ଦର ଅଲ୍ଲୀ, ଜ୍ୟୋତିରଂଜନ ପଲାଇଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର