କଟକ: ପୌର ନିଗମ ପକ୍ଷରୁ ସହରରେ ଆସନ୍ତା ୨୦୨୪ ମାର୍ଚ୍ଚ ମଧ୍ୟରେ ୩୭୦ କୋଟି ଟଙ୍କାରେ ବିଭିନ୍ନ କାମ କରାଯିବ। ସେଥି ମଧ୍ୟରେ ରାସ୍ତା, ଡ୍ରେନ୍, ଆଲୋକ, ପାଠାଗାର, କଲ୍ୟାଣମଣ୍ଡପ, ଜଳାଶୟ, ଶ୍ମଶାନ, ବାଲିଯାତ୍ରା ପଡ଼ିଆ, ସ୍କୁଲ ରୂପାନ୍ତରଣ ପରି ବିଷୟ ରହିଛି। ଚଳିତବର୍ଷ ସେପ୍ଟେମ୍ବର୍ରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ଚିଠା ପ୍ରସ୍ତୁତ ହୋଇଛି। ଏଥିରେ ବିଶେଷ ଭାବେ ରାସ୍ତା ଓ ଡ୍ରେନ୍ ମରାମତି ସହିତ ସହିଦଭବନର ଉନ୍ନତୀକରଣ ଓ ନୂଆ ପାଠାଗାର ପରି ବିଷୟକୁ ଗୁରୁତ୍ବ ଦିଆଯାଇଛି। ସହରର ଚିତ୍ର ଆସନ୍ତା ଦେଢ଼ବର୍ଷ ମଧ୍ୟରେ ବଦଳାଇବା ପାଇଁ ନିଗମ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ୩୭୦ କୋଟି ଟଙ୍କାର ବଜେଟ୍ରେ ବହୁ ନୂତନ କାର୍ଯ୍ୟ ହାତକୁ ନିଆଯାଇଛି। ସେଥି ମଧ୍ୟରେ ସହରର ବାଲିସାହି, ନିମପୁର, ତଅଁଳାସାହି ପରି ୬ଟି ବସ୍ତିରେ ୨.୬୦ କୋଟି ଟଙ୍କାରେ ୬ଟି ପାଠାଗାର ଖୋଲାଯିବ। ଏହାସହ ଅନୁଗୁଳ ବସଷ୍ଟାଣ୍ଡରେ ୨୦ କୋଟି ଟଙ୍କାରେ କେନ୍ଦ୍ରୀୟ ବିଶ୍ବନାଥ ପାଠାଗାର ନିର୍ମାଣ ହେବ।
ସହରର ୫ଟି ମୁଖ୍ୟରାସ୍ତା ଯଥା ଦୋଳମୁଣ୍ଡେଇରୁ ନନ୍ଦିସାହି, ବ୍ଲୁ-ଲଗୁନ୍ ହୋଟେଲରୁ ଜୁବୁଲି ଟାୱାର୍ ପରି ରାସ୍ତାର ମରାମତି ପାଇଁ ୨୮.୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ଟି ବିଏସ୍ଡବ୍ଲୁସି ଡ୍ରେନ୍ ସହ ୭ଟି ବଡ଼ ଡ୍ରେନ୍ର ମରାମତି ପାଇଁ ୩୮.୫୦ କୋଟି ଟଙ୍କା ରହିଛି। ୩.୫୦ କୋଟି ଟଙ୍କାରେ ସହରର ଆଲୋକୀକରଣ ବାବାଦରେ ଖର୍ଚ୍ଚ ହେବ। ୧୨ଟି ଶ୍ମଶାନ ଓ କବରସ୍ଥାନର ମରାମତି ଓ ନବୀକରଣ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ସେହିପରି ୮କୋଟି ଟଙ୍କାରେ ସହରର ୨୦ଟି ସ୍କୁଲକୁ ୫-ଟି ସ୍କୁଲ ରୂପାନ୍ତକରଣ ଯୋଜନାରେ ସାମିଲ କରାଯାଇଛି। ବିଜୁ ଭବନ ପରିସରରେ ଥିବା ପୁରୁଣା କୋଠାକୁ ଭାଙ୍ଗି ୧୦ କୋଟି ଟଙ୍କାରେ ନୂଆ କାର୍ଯ୍ୟାଳୟ କରିବା ଓ ସହିଦ ଭବନର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୩୦ କୋଟି ଟଙ୍କା ରଖାଯାଇଛି। ସେହିପରି ସିଡିଏ ଅଞ୍ଚଳରେ ୩ଟି ନୂତନ କଲ୍ୟାଣମଣ୍ଡପ ନିର୍ମାଣ ସହ ଚୌଧୁରୀବଜାର କଲ୍ୟାଣମଣ୍ଡପ ମରାମତି ପାଇଁ ମୋଟ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ସହରରେ ୭ଟି ଜଳାଶୟର ପୁନରୁଦ୍ଧାର ପାଇଁ ୧୮ କୋଟି ଟଙ୍କା ରଖାଯାଇଥିବା ବେଳେ ବାଲିଯାତ୍ରା ପଡ଼ିଆର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ ପାଇଁ ୧୦ କୋଟି ଟଙ୍କା ବରାଦ କରାଯାଇଛି। ୩୭୦ କୋଟି ଟଙ୍କା ମଧ୍ୟରେ ସାହିବସ୍ତିର ରାସ୍ତା, ଡ୍ରେନ୍ ସହ ଆମିଷ ମାର୍କେଟ୍, ଭେଣ୍ଡିଂ ଜୋନ୍, ମାର୍କେଟ କମ୍ପ୍ଲେକ୍ସ, ଏମ୍ସିସି, ଏମ୍ଆର୍ଏଫ୍, କୁକୁର ବନ୍ଧ୍ୟାକରଣ କେନ୍ଦ୍ର, ବୁଲାପଶୁଙ୍କ ଚିକିତ୍ସା ଓ ଆଶ୍ରୟ କେନ୍ଦ୍ର, ଯାତ୍ରୀ ନିବାସ, ପୋଖରୀ ଓ ନଦୀ ତୁଠ ମରାମତି ପରି କାର୍ଯ୍ୟ ରହିଛି।