ଗଞ୍ଜେଇ ଚାଲାଣରେ କଲେଜ ଛାତ୍ର

୩ ଗିରଫ, ଅଢ଼େଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ : ଗଞ୍ଜେଇ ଚାଲାଣ ର‍୍ୟାକେଟରେ ସାମିଲ ହୋଇଛନ୍ତି କଲେଜ ଛାତ୍ର। ଅବକାରୀ ବିଭାଗ କବଳରୁ ବର୍ତ୍ତିବା ପାଇଁ ଛାତ୍ରଙ୍କୁ ବ୍ୟବହାର କରୁଥିବା ଏକ ଗ୍ୟାଙ୍ଗର ଆଜି ପର୍ଦ୍ଦାଫାସ ହୋଇଛି । ୩ ଜଣ ଛାତ୍ରଙ୍କୁ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଛାତ୍ରମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କଟ୍ରିଙ୍ଗିଆର ପିଲୁ ଦିଗାଲ(୧୯), ଅନିଲ କୁମାର ମଲ୍ଲିକ(୨୦) ଏବଂ ରାମଚନ୍ଦ୍ର ଦିଗାଲ(୧୯)। ଅଭିଯୁକ୍ତ ଛାତ୍ରଙ୍କ ନିକଟରୁ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ୫୦ କେଜି ଗଞ୍ଜେଇ ସମେତ ଦୁଇଟି ମୋବାଇଲ୍‌ ଫୋନ୍‌ ଏବଂ ନଗଦ ଦୁଇ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ କନ୍ଧମାଳରୁ ଓଁ ମା ତାରିଣୀ ବସ୍‌ରେ ତିନି କଲେଜ ଛାତ୍ର କଟକ ବାଦାମବାଡ଼ିକୁ ସକାଳ ପ୍ରାୟ ୬ଟା ବେଳେ ଆସୁଥିଲେ । ଏଠି ବସ୍‌ରୁ ଓହ୍ଲାଇବା ପରେ କାଠୋଯୋଡ଼ିରୁ ଟ୍ରେନ୍‌ରେ ଭଦ୍ରକ ଏବଂ ବାଲେଶ୍ୱର ଯିବାର ଯୋଜନା ହୋଇଥିଲା । ସେଠି ଗଞ୍ଜେଇ ବିକ୍ରି କରିବାକୁ ବେପାରୀଙ୍କ ସହିତ କଥାବାର୍ତ୍ତ ହୋଇଥିଲା । ଆଜି ସକାଳେ ଲିଙ୍କରୋଡ୍‌ କାଠଯୋଡ଼ି ବ୍ରିଜ ନିକଟରେ ଅନିଲ ଓ ରାମଚନ୍ଦ୍ର ଗଞ୍ଜେଇ ସହିତ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ପିଲୁ ବାଦାମବାଡ଼ି ଯାଇଥିଲା । ପୂର୍ବରୁ ବାଦାମବାଡ଼ିରେ ଛକିିଥିବା ଅବକାରୀ ବିଭାଗ କର୍ମଚାରୀ ବସ୍‌ଷ୍ଟାଣ୍ଡରେ ପିଲୁକୁ କାବୁ କରିନେଇଥିଲା। ତାକୁ ଜେରା କରିବା ପରେ ଅନିଲ ଓ ରାମଚନ୍ଦ୍ରଙ୍କୁ କାଠଯୋଡ଼ି ବ୍ରିଜ ନିକଟରୁ ଉଠାଇ ନେଇଥିଲା ।

ବିଭାଗ କାର୍ଯ୍ୟାଳୟରେ ତିନି ଜଣଙ୍କୁ ଜେରା କରିବା ପରେ ସେମାନେ ତିନି ଜଣ କଲେଜ ଛାତ୍ର ବୋଲି ଜଣାପଡ଼ିଥିଲା । ପିଲୁ ଫୁଲବାଣୀ ଜିଲ୍ଲା ସ୍ୱୟଂ ଶାସିତ ସରକାରୀ କଲେଜରେ ଯୁକ୍ତ ଦୁଇ କଳା ଦ୍ୱିତୀୟ ବର୍ଷ ଛାତ୍ର ଥିବା ବେଳେ ଅନିଲ ଓଡ଼ଙ୍ଗା ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳାର ଛାତ୍ର। ସେହିପରି ରାମଚନ୍ଦ୍ର ଟିକାବାଲିର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ବୋଲି ଜେରାରୁ ଜଣାପଡ଼ିଥିଲା । ରାମ ବିରୋଧରେ ପୂର୍ବରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଆଜି ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ର ଏବଂ ଡେପୁଟୀ କମିସନର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗର ଭାରପ୍ରାପ୍ତ ଅଧିକାରୀ ଅମରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଇନ୍‌ସ୍ପେକ୍ଟର ବୈଜୟନ୍ତୀ ପଣ୍ଡା, ଜଗଦୀଶ ଚନ୍ଦ୍ର ସାମଲ, ଯୋଗମାୟା ମଲ୍ଲିକ, ନିରଞ୍ଜନ ବେହେରା, ଅଜୟ ଜେନା, ରାଜକିଶୋର ନାୟକ, ଆଲୋକ ଖଟୁଆ, କିଶୋର ଚନ୍ଦ୍ର ରାଉତ, ରଂଜନ ପାତ୍ର, ବିଶ୍ୱଜିତ ନାୟକ, ରାମଚନ୍ଦ୍ର ଜେନା, ଜଗନ୍ନାଥ ନାୟକ, ଥବିର ପଟ୍ଟନାୟକ, ରିତାରାଣୀ ସେଠୀ, ପୂର୍ଣ୍ଣଜିତ ମହାପାତ୍ର, ଚନ୍ଦ୍ରଭାନୁ ଦାସ ଏବଂ ରାଜେଶ କିଶାନ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର