ଅନ୍‌ଲାଇନ୍‌ରେ ସାବିତ୍ରୀ ପୂଜା ସାମଗ୍ରୀ ପହଞ୍ଚାଉଛନ୍ତି ତିନିଘରିଆ ମହିଳା

ମହାନଦୀବିହାର: ଦିନ କେଇଟା ପରେ ସାବିତ୍ରୀ ବ୍ରତ। କୋଭିଡ୍‌ ସଟ୍‌ଡାଉନ୍‌ ପାଇଁ ସାବିତ୍ରୀ ପୂଜା କେମିତି ହେବ ତାକୁ ନେଇ ଘରେ ଘରେ ଚିନ୍ତା। ଏପରି ସମୟରେ ଅନଲାଇନ୍‌ ମାଧ୍ୟମରେ ସାବିତ୍ରୀ ପୂଜାର ସମସ୍ତ ଆବଶ୍ୟକ ପୂଜା ସାମଗ୍ରୀ ପହଂଚାଇବାକୁ ନିଆରା ଉଦ୍ୟମ କରିଛନ୍ତି ତିନିଘରିଆ ଗ୍ରାମର କେତେଜଣ ମହିଳା। ଏହି ଗ୍ରାମର ଲିଜ଼ା ବସ୍ତିଆ ଓ ତାଙ୍କ ସହଯୋଗୀ ଅଞ୍ଜଳି ବସ୍ତିଆ, ରୀନାରାଣୀ ବସ୍ତିଆ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ସାମଗ୍ରୀକୁ ପ୍ୟାକେଟ୍‌ କରି ସ୍ୱଳ୍ପ ମୂଲ୍ୟରେ ଘରେ ଘରେ ପହଞ୍ଚାଉଛନ୍ତି। ମହିଳାମାନଙ୍କର ଏପରି ପ୍ରୟାସ ଅନେକ ସାବିତ୍ରୀଙ୍କୁ ଆଶ୍ବସ୍ତ କରିଛି।

ସାବିତ୍ରୀ ପୂର୍ବରୁ ଅନେକ ସାମଗ୍ରୀ ଆବଶ୍ୟକ ହେଉଥିବାବେଳେ ଲକ୍‌ଡାଉନ୍‌ ଯୋଗୁଁ ତାହା ପାଇବା କଷ୍ଟକର ହେଉଛି। କେବଳ ଫଳ ମୂଳ ଦୋକାନ ଖୋଲା ଥିଲେ ବି ଲୁଗାପଟା ଓ ପୂଜାର ଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ସବୁ ବନ୍ଦ ପଡ଼ିଛି। ଏପରି ସମୟରେ ତିନିଘରିଆ ଅଞ୍ଚଳର ଏହି ମହିଳାମାନେ ଅନ୍‌ଲାଇନ୍‌ରେ ଅର୍ଡର ନେଇ ପୂଜା ସରଞ୍ଜାମ ଲୋକଙ୍କୁ ଯୋଗାଇବା ସହିତ ନିଜେ ମଧ୍ୟ ଭଲ ରୋଜଗାର କରୁଛନ୍ତି। ପୂଜା ପାଇଁ ଆବଶ୍ୟକ ହେଉଥିବା ନଡ଼ିଆ, ଧୂପ, ଦୀପ ସହିତ ସାବିତ୍ରୀ ବ୍ରତ, ସିନ୍ଦୁର, ଅଳତା ଓ ବ୍ରତ ବହି ପ୍ରଭୃତି ସେମାନେ ଅନଲାଇନ୍‌ ମାଧ୍ୟମରେ ପଠାଇବାର ବ୍ୟବସ୍ଥା କରିଛନ୍ତି। fasttend.com ଅଥବା ୯୩୪୮୬୬୬୯୩୨ ନମ୍ବରରେ ଯୋଗାଯୋଗ କରି ଏହି ସାମଗ୍ରୀ ମଗାଯାଇ ପାରିବ। ସମସ୍ତ ସାମଗ୍ରୀର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ବର୍ତ୍ତମାନ ସମୟରେ ଅନଲାଇନ୍‌ ମାଧ୍ୟମରେ ଦିନକୁ ୫୦ରୁ ଅଧିକ ଅର୍ଡର ଆସୁଥିବାବେଳେ ଆଗକୁ ଏହା ଆହୁରି ବଢ଼ିବ ବୋଲି କହିଛନ୍ତି ଲିଜ଼ା ବସ୍ତିଆ।

ସମ୍ବନ୍ଧିତ ଖବର