ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କେତେ ଡାକ୍ତର ପଦବି ଖାଲି ପଡିଛି ଓ ପୂରଣ ପାଇଁ କେତେ ସମୟ ଲୋଡ଼ା ସ୍ପଷ୍ଟ କର: ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ଗୁଡିକରେ ଖାଲି ପଡିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଏହି ପ୍ରସଂଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରି ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟ ସେବା (ଓଏମଏଚଏସ) ଏବଂ ଓଡ଼ିଶା ମେଡିକାଲ ଶିକ୍ଷା ସେବା (ଓଏମଇଏସ୍) କ୍ୟାଡର୍‌ରେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ପଦବି ଖାଲି ପଡିଛି ସେ ନେଇ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରିବେ। ଖାଲି ପଡିଥିବା ଡାକ୍ତର ପଦବି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପୂରଣ ପାଇଁ କଣ ପଦକ୍ଷେପ ନେବାକୁ ପ୍ରସ୍ତାବ ରହିଛି ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜୁଲାଇ ୨ରେ ହାଇକୋର୍ଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଦାଖଲ ସତ୍ୟପାଠରେ କେତେକ ଡାକ୍ତର ପଦବି ପୂରଣ ପାଇଁ ଅନୁମୋଦନ ପ୍ରସଂଗରେ ଉଲ୍ଲେଖ କରାଯାଇଥିବା ବେଳେ ଏବେ କଣ ସ୍ଥିତି ରହିଛି ସେ ନେଇ ସତ୍ୟପାଠରେ ତଥ୍ୟ ଦାଖଲ କରାଯିବ। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରାଯିବ ଓ ଏହା ଉପରେ ଆବେଦନକାରୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଜାନୁଆରି ୩ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଖାଲି ପଡିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ବାରୋପ କରିଥିଲେ। ଖାଲି ପଡିଥିବା ପଦବି ପୂରଣ ପାଇଁ ସରକାରଙ୍କୁ କେତେ ସମୟ ଲୋଡ଼ା ସେ ନେଇ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟା ୬ ମାସ ଭିତରେ ଶେଷ ହେବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଥିଲେ। ୨୦୨୧, ମାର୍ଚ୍ଚ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାଲି ପଡିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜୁନ୍ ୨୪ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଓ ଜୁଲାଇ ୨ରେ ଓପିଏସସି ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା।

ଗତ ମେ ୧୩‌େର ଓପିଏସସି ପକ୍ଷରୁ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବିରେ ନିଯୁକ୍ତି ପାଇଁ ୭୮୬ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରାଯାଇଥିଲା। ଏହାପରେ ସରକାରଙ୍କ ତରଫରୁ ୭୫୧ ଜଣ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଗତ ଜୁନରେ ପ୍ରଦାନ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବି ଛଡ଼ା ଅନ୍ୟ ପଦବି‌ ଗୁଡିକରେ ନିଯୁକ୍ତି ପାଇଁ ଓପିଏସସିର ଅନୁମୋଦନ ପ୍ରସଂଗରେ ସ୍ବତନ୍ତ୍ର ସଚିବଙ୍କ ସତ୍ୟପାଠରୁ କିଛି ସ୍ପଷ୍ଟ ହୋଇ ନଥିଲା। ସେହିଭଳି ଭାବେ ସରକାରୀ ମେଡିକାଲ କଲେଜରେ ମଞ୍ଜୁରୀପ୍ରାପ୍ତ ଫାକଲ୍‌ଟିଙ୍କ ମଧ୍ୟରୁ ଏବେ ୧୬୬୧ ଜଣ ରହିଛନ୍ତି। ୩୩୭ ପଦ ଖାଲି ପଡିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ପଦବି ପୂରଣ ପ୍ରସଂଗରେ କୌଣସି ସମୟସୀମା ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ତେଣୁ ଏହି ପ୍ରସଂଗରେ ଅନୁଧ୍ୟାନ କରି ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର