ଚୌଦ୍ବାର : ଚୌଦ୍ବାର ପୌରନିର୍ବାଚନ ପାଇଁ ଆଜିଠାରୁ ବିଜେଡ଼ି, ବିଜେପି ଓ ସ୍ବାଧୀନ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ୱାର୍ଡରେ ଦଳୀୟ କାର୍ଯ୍ୟାଳୟ ଖୋଲା ଯାଇଛି। ଘରକୁ ଘର ବୁଲି ପ୍ରାର୍ଥୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଅସନ୍ତୁଷ୍ଟ ଭାବେ ଯେଉଁମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସେମାନଙ୍କୁ ମନାଇ ନିର୍ବାଚନରୁ ଓହରାଇ ନେବାକୁ ବିଜେଡ଼ି, ବିଜେପି ଓ ସ୍ବାଧୀନ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ବିଜେପି ପକ୍ଷରୁ ମହିଳା ନଗରପାଳ ପ୍ରାର୍ଥୀ ଇଂ. ଦେବସ୍ମିତା ନାୟକ ତାଙ୍କର ସମର୍ଥକଙ୍କ ସହ ୯ନଂ. ୱାର୍ଡ଼ସ୍ଥିତ ଜାଗୁଳାଇଦେଈ ଠାକୁରାଣୀ ଓ ଶିବାନନ୍ଦ ଆଶ୍ରମରୁ ପ୍ରଚାରକାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କ ସହ ବିଜେପି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ବାଇଁ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ହୋତା, ଅଜିତ୍ ସୁବୁଦ୍ଧିରାୟ, ସଂଜୟ ମହାରଣା, ସମାଜସେବୀ ଶିବନାରାୟଣ ନାୟକ, ପ୍ରକାଶ ବଡ଼ଜେନା ପ୍ରମୁଖ ସାମିଲ ହୋଇଛନ୍ତି। ବିଜେପି କଳିଙ୍ଗ ଛକ ଚୌଦ୍ବାର ମହିଳା ମହାବିଦ୍ୟାଳୟ ନିକଟରେ ପୌର ନିର୍ବାଚନ ପାଇଁ ମୁଖ୍ୟ କାର୍ଯ୍ୟାଳୟ ଖୋଲିଥିବା ବେଳେ ୨, ୩, ୧୩ ଓ ୧୫ନଂ. ୱାର୍ଡ଼ରେ ଦଳୀୟ କାର୍ଯ୍ୟାଳୟ ଖୋଲି ସାରିଛି। ଚୌଦ୍ବାର–କଟକ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତିଙ୍କ ତତ୍ବାବଧାନରେ ନିର୍ବାଚନୀ ପ୍ରଚାର ଓ ରଣକୌଶଳ ପ୍ରସ୍ତୁତ ହେଉଛି।
ଅନ୍ୟପକ୍ଷରେ ବିଜେଡ଼ି ମଧ୍ୟ ଗତକାଲି ଚୌଦ୍ବାର ଗ୍ରାମସ୍ଥିତ ଶ୍ରୀରାମ ମଣ୍ତପରେ ଏକ ମିଶ୍ରଣପର୍ବ ସହ ୧୯ଟି ୱାର୍ଡ଼ର ପ୍ରାର୍ଥୀମାନଙ୍କୁ ନେଇ ବୈଠକ କରିଥିଲା।
ସ୍ବାଧୀନ ସମର୍ଥିତ ଗୋଷ୍ଠୀର ପୂର୍ବତନ ନଗରପାଳ ଆଶାଲତା ସାହୁ ଓ ତାଙ୍କ ସ୍ବାମୀ ଅଭିରାମ ସାହୁ ପ୍ରମୁଖଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କୁ ସାମିଲ କରିବା ପରେ ଆଜି ୫ନଂ. ୱାର୍ଡ଼ରେ ବିଜେଡ଼ିର ଦଳୀୟ ନିର୍ବାଚନୀ କାର୍ଯ୍ୟାଳୟକୁ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ନେତୃତ୍ବରେ ଖୋଲାଯାଇଛି। ନଗର ସଭାପତି ବିଷ୍ଣୁଚରଣ ପରିଡ଼ାଙ୍କ ନେତୃତ୍ବରେ ୧ନଂ. ୱାର୍ଡ଼ରେ ମଧ୍ୟ ସ୍ବାଧୀନ ଗୋଷ୍ଠୀର କିଛି ସମର୍ଥକଙ୍କୁ ବିଜେଡ଼ିରେ ସାମିଲ କରାଯାଇଥିବା ବେଳେ ସ୍ଥାନୀୟ କଳାପ୍ରକାଶିନୀ କ୍ଲବରେ ଏକ ବିରାଟ ମହିଳା ସମାବେଶ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ବହୁ ସ୍ବାଧୀନ ସମର୍ଥକ ଗୋଷ୍ଠୀର ପୂର୍ବତନ କାଉନସିଲର ଯୋଗଦେଇଛନ୍ତି। ଅନୁରୂପ ଭାବେ ୧୦ ଓ ୧୯ନଂ. ୱାର୍ଡ଼ରେ ଏକ ମହିଳା ସମାବେଶ ସ୍ଥାନୀୟ ଯଯାତୀ କେଶରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଦୁଇଟି ମହିଳା ସମାବେଶ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ମହିଳା ନଗରପାଳ ପ୍ରାର୍ଥୀ ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ଜିଲ୍ଲା ଉପସଭାପତି ପ୍ରେମଚାନ୍ଦ ନାୟକ, ୧୯ନଂ. ୱାର୍ଡ଼ ପ୍ରାର୍ଥୀ ଶୁଭେନ୍ଦୁ ସାମଲ ଓ ୧୦ନଂ. ୱାର୍ଡ଼ ପ୍ରାର୍ଥୀ ବିଜୟ ମଲ୍ଲିକଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ସ୍ବାଧୀନ ସମର୍ଥିତ ଗୋଷ୍ଠୀର ନେତା ଦୀପକ ବାରିକ ମଧ୍ୟ ନିଜର ଦଳୀୟ କାର୍ଯ୍ୟାଳୟ ଗାନ୍ଧିଛକରେ ଖୋଲିବା ସହ ୧୯ଟି ୱାର୍ଡ଼ରେ ତାଙ୍କର ପ୍ରାର୍ଥୀ ପ୍ରଚାର କାର୍ଯ୍ୟକୁ ଓହ୍ଲାଇଛନ୍ତି। ଏପର୍ଯ୍ୟନ୍ତ କିନ୍ତୁ ଶ୍ରୀ ବାରିକ ମହିଳା ନଗରପାଳ ପ୍ରାର୍ଥୀ ଓ ବିଭିନ୍ନ ୱାର୍ଡ଼ର ତାଙ୍କ ସମର୍ଥିତ କାଉନସିଲର ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ କରି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Choudwar_1.jpg)