କଟକ: କଟକ ସହରରେ ୬୫ଟି ଛକରୁ ୫୩ଟି ଛକରେ ଟ୍ରାଫିକ ପୋଷ୍ଟ ନାହିଁ। ଟ୍ରାଫିକ ପୋଷ୍ଟ ନଥିବାରୁ ପାଖାପାଖି ୧୬୦ ଟ୍ରାଫିକ କର୍ମଚାରୀ ଖରାରେ ସିଝନ୍ତି, ବର୍ଷାରେ ଭିଜନ୍ତି। ସେହିଭଳି ସହରରେ ୪୧ଟି ଗୁରୁତ୍ବପୂର୍ଣ୍ଣ ଟ୍ରାଫିକ ପୋଷ୍ଟରୁ ମାତ୍ର ୬ଟି ଟ୍ରାଫିକ ପୋଷ୍ଟରେ ସିଗନାଲ ବ୍ୟବସ୍ଥା ରହିଛି। ଆହୁରି ୩୫ଟି ଟ୍ରାଫିକ ପୋଷ୍ଟରେ ସିଗନାଲ୍ ବ୍ୟବସ୍ଥା ନାହିଁ। କଟକ ସହରରେ ଏଭଳି ସଂଘାତିକ ଅବ୍ୟବସ୍ଥାରେ ଚାଲୁଥିବା ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ସିଏମସିକୁ ଏକ ସର୍ଭେ ରିପୋର୍ଟ ଦିଆଯାଇଥିଲା। ଭୁବନେଶ୍ବର ଶୈଳୀରେ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ କରିବାକୁ ଚିଠି ହୋଇଥିବା ବେଳେ ଏହାକୁ କିନ୍ତୁ କାର୍ଯ୍ୟକାରୀ କରାଯାଉ ନାହିଁ। ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ ତିଆରି ହୋଇଛି। ଟ୍ରାଫିକ ପୋଷ୍ଟରେ ମୁଣ୍ଡ ଉପରେ ଫ୍ୟାନ ଲାଗିଛି। ଏହା ସହିତ ପୋଷ୍ଟ ନିକଟରେ ଏକ ଏଡ୍‌ ପୋଷ୍ଟ ରହିଛି। ଏଠି ଟ୍ରାଫିକ କର୍ମଚାରୀ ବିଶ୍ରାମ ନେବାର ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା ରହିଛି। ସୋଲାର୍ ପ୍ୟାନେଲ ମାଧ୍ୟମରେ ଏହି ଟ୍ରାଫିକ ପୋଷ୍ଟ ଓ ଏଡପୋଷ୍ଟ ପରିଚାଳିତ ହେଉଛି। ସେହି ଶୈଳୀରେ କଟକ ସହରରେ ଟ୍ରାଫିକ ପୋଷ୍ଟ ଓ ଏଡ ପୋଷ୍ଟ କାର୍ଯ୍ୟକାରୀ ହେବାର ଥିଲା। ଗଲା ମେ’ ମାସରେ କଟକ କମିସନରେଟ୍ ପୁଲିସରେ ଟ୍ରାଫିକ ଏସିପିଙ୍କ ପକ୍ଷରୁ ଏ ନେଇ ଏକ ସର୍ଭେ ବି କରାଯାଇଥିଲା। ବର୍ତ୍ତମାନ ସହରରେ ୧୨ଟି ଟ୍ରାଫିକ ପୋଷ୍ଟ ରହିଛି। କିନ୍ତୁ ଏଥିରେ କୌଣସି ଶୌଚାଳୟ, ଏଡ୍ ପୋଷ୍ଟ କି ଫ୍ୟାନ ବ୍ୟବସ୍ଥା ନାହିଁ। ଆହୁରି ସହରରେ ଥିବା ୫୩ଟି ଛକରେ ଟ୍ରାଫିକ ପୋଷ୍ଟ ଆଦୌ ନଥିବାରୁ ଟ୍ରାଫିକ ପୁଲିସ ଖୋଲାରେ ଛତା ଧରି ଛିଡ଼ା ହେଉଛନ୍ତି। ଆଉ ଏକ ବଡ଼ ସମସ୍ୟା ଥିବା ଟ୍ରାଫିକ ସିଗନାଲ୍ ବ୍ୟବସ୍ଥାରେ ସୁଧାର ହୋଇପାରିଲା ନାହିଁ। ବର୍ତ୍ତମାନ କଟକ ସହରରେ କଲେଜ ଛକ, ରାଣୀହାଟ, ବାଦାମବାଡ଼ି, ଲିଙ୍କରୋଡ, ସତୀଚଉରା, ବେଲଭ୍ୟୁ ଛକରେ କେବଳ ଟ୍ରାଫିକ ସିଗନାଲ୍ କାର୍ଯ୍ୟ କରୁଛି।

Advertisment

ଏହି ଟ୍ରାଫିକ ସିଗନାଲ୍ ମରାମତି ଦାୟିତ୍ବ ସିଏମସି ପକ୍ଷରୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନିକୁ ଦିଆଯାଇଛି। କିନ୍ତୁ ଉକ୍ତ ସଂସ୍ଥା ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରୁନାହିଁ। ଏହି ସିଗନାଲ୍ ସୌର ଶକ୍ତି ବଳରେ କାର୍ଯ୍ୟ କରୁଛି। ସିଗନାଲ୍ ଖୁଣ୍ଟି ଉପରେ ଥିବା ସୋଲାର୍ ପ୍ୟାନେଲରେ ଧୂଳି ଜମା ହୋଇଗଲେ ଚାର୍ଜ ହୋଇପାରୁ ନାହିଁ। ଧୂଳି ସଫା ନକଲେ ସିଗନାଲ୍ ଚାଲିପାରିବ ନାହିଁ। ଦାୟିତ୍ବ ନେଇଥିବା ସଂସ୍ଥା ନିୟମିତ ଏହାକୁ ମରାମତି କରୁନାହିଁ। ସପ୍ତାହକୁ ଥରେ ଲେଖାଏ ମରାମତି କରିବା କଥା। ମରାମତି ନହେଉଥିବାରୁ ଏହି ସିଗନାଲ୍ ବ୍ୟବସ୍ଥା ବି କାର୍ଯ୍ୟ କରୁନାହିଁ। ସହରରେ ନୂଆ ଟ୍ରାଫିକ ପୋଷ୍ଟ ଖୋଲିବା ପାଇଁ ସର୍ଭେ ସମୟରେ ନୂଆ ଟ୍ରାଫିକ ସିଗନାଲ୍ ଲଗାଇବାକୁ ମଧ୍ୟ ଏକ ସର୍ଭେ କରାଯାଇଛି। ଆହୁରି ୩୫ଟି ଟ୍ରାଫିକ ପୋଷ୍ଟରେ ସିଗନାଲ୍ ଲାଗିବାର ଆବଶ୍ୟକତା ଥିବା ନେଇ ଟ୍ରାଫିକ ପୁଲିସ ପକ୍ଷରୁ ସର୍ଭେ କରାଯାଇ ସିଏମସିକୁ ଚିଠି କରାଯାଇଛି। ଏହା ବି କାର୍ଯ୍ୟକାରୀ ହୋଇପାରୁ ନାହିଁ।
ଟ୍ରାଫିକ ଏସିପି ସୁଶାନ୍ତ କୁମାର ସିଂହଙ୍କ କହିବା ଅନୁଯାୟୀ, ଭୁବନେଶ୍ବର ଶୈଳୀରେ ଟ୍ରାଫିକ ପୋଷ୍ଟ ଓ ସିଗନାଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାୟିତ୍ବ ସିଏମସିର। ସିଏମସି ଏହାର ବ୍ୟୟବରାଦ କରି କାର୍ଯ୍ୟକ୍ଷମ କରିବା କଥା। ସର୍ଭେ ରିପୋର୍ଟ ସିଏମସିରେ ଦାଖଲ ହୋଇଥିବା ବେଳେ ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନହେବା ଚିନ୍ତାଜନକ ବୋଲି ଶ୍ରୀ ସିଂହ କହିଛନ୍ତି।