ଟ୍ରାଫିକ୍‌ ସମସ୍ୟାକୁ ନେଇ ଅତିଷ୍ଠ ଗ୍ରାମବାସୀ

ରାସ୍ତା ଉପରେ ଟ୍ରକ୍‌ ପାର୍କିଂ, ପୁଲିସ ନିରବଦ୍ରଷ୍ଟା

କଟକ: ମାତ୍ର ଦେଢ଼ କିଲୋମିଟର ଦୂରରେ ଟ୍ରକ୍‌ ଟର୍ମିନାଲ୍‌ ଅଛି। ହେଲେ, ବର୍ଷତମାମ୍‌ ରାସ୍ତା ଉପରେ ଟ୍ରକ୍‌ ପାର୍କିଂ ହେଉଛି। ଜଗତପୁର ପୁଲିସ କିନ୍ତୁ ଏହା ବିରୋଧରେ କୌଣସି ପଦକ୍ଷେପ ନେଉ ନାହିଁ। କଟକରୁ ଟ୍ରାଫିକ୍‌ ପୁଲିସ ଯାଇ କେତେବେଳେ କେମିତି ଟ୍ରକ୍‌ଗୁଡ଼ିକରୁ ଜରିମାନା ଆଦାୟ କରୁଛି ସିନା, ଜଗତପୁର ପୁଲିସ ଥରଟିଏ ବି ସେମାନଙ୍କ ବିରୋଧରେ କୌଣସିୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖାଯାଇନି। ପୁଲିସରେ କହି ନିରାଶ ହେବା ପରେ ଜଗତପୁର ଅଣ୍ଡେଇସାହି ଗ୍ରାମବାସୀ ଡିସିପିଙ୍କ ଦ୍ବାରସ୍ଥ ହୋଇ ଏଥିରେ ହସ୍ତକ୍ଷେପ କରିବା ପାଇଁ ଜଗତପୁର ପୁଲିସକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଗୟରପୁର ଅଣ୍ତେଇସାହି ବାସିନ୍ଦା ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ସାହିଠାରୁ ଜଗତପୁରର ଟ୍ର୍‌କ୍‌ ଟର୍ମିନାଲ୍‌ ମାତ୍ର ଦେଢ଼ କିଲୋମିଟରେ ଦୂରରେ ଅବସ୍ଥିତ।

ହେଲେ, ବହୁସଂଖ୍ୟକ ଟ୍ରକ୍‌ ସେଠାରେ ପାର୍କିଂ ନକରି ନିୟମିତ ରିଲାଏନ୍‌ସ ପପ୍ରଟୋଳ୍‌ ପମ୍ପ-ମୀରା ମସଲା କମ୍ପାନି ରାସ୍ତାରେ ପାର୍କିଂ କରୁଛନ୍ତି। ନିକଟରେ ଥିବା କେତେକ ଗୋଦାମ ମାଲିକ ନିୟମିତ ଏହି ରାସ୍ତାରେ ନିଜ ଟ୍ରକ୍‌ ପାର୍କିଂ କରୁଥିବାରୁ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହିତ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ ଗ୍ରାମବାସୀମାନେ ବହୁବାର ଜଗତପୁର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ସେଥିପ୍ରତି ନିରବଦ୍ରଷ୍ଟା​ ସାଜିଛି। ଅଞ୍ଚଳରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଟ୍ରାଫିକ୍‌ ଥାନା ପୁଲିସ ଥରେ-ଦୁଇଥର ଘଟଣାସ୍ଥଳରେ ପହଞ୍ଚି ବେଆଇନ ପାର୍କିଂ ହୋଇଥିବା ଟ୍ରକ୍‌ଗୁଡ଼ିକରୁ ଜରିମାନା ଆଦାୟ କରିଛି ସିନା, ଜଗତପୁର ଥାନା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବେଆଇନ୍‌ ପାର୍କିଂ ହୋଇଥିବା ଟ୍ରକ୍‌ଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ରାସ୍ତାକୁ ପାର୍କିଂମୁକ୍ତ କରିବାକୁ ସାହିବାସିନ୍ଦାମାନେ ଡିସିପିଙ୍କ ନିକଟରେ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର