କଟକ: ବିଶ୍ବସ୍ତରୀୟ ଏସ୍ସିବି ସଂପ୍ରସାରଣ ପାଇଁ କାଟିଦେଲେ ହଜାରେ ଗଛ। ଏବେ ପୁଣି କଟିବ ନୂଆବଜାର-ବିରିବାଟୀ ରାସ୍ତା ସଂପ୍ରସାରଣ ପାଇଁ। ଏହି ରାସ୍ତା ପାଇଁ କେତେ ଗଛ କଟିବ, ତାହାର ଯଦିଓ ଗଣତି ଆରମ୍ଭ ହୋଇନି, ତଥାପି ହଜାରେରୁ ଅଧିକ ଗଛ କଟିବ ବୋଲି କୁହାଯାଉଛି। ଅନ୍ୟପଟେ ରାସ୍ତା ନିର୍ମାଣ ପାଇଁ କେତେ ଗଛ କଟିବ ତାର ଯୁଗ୍ମ ଗଣନା ପାଇଁ ତାରିଖ ଧାର୍ଯ୍ୟ କରାଯାଉ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସଦର ତହସିଲଦାରଙ୍କୁ ଚିଠି କରାଯାଇଛି। ଗଛ କଟିବା ସଂପର୍କରେ ଗଣତି ପାଇଁ ତହସିଲ, ଜଙ୍ଗଲ ବିଭାଗ ଓ ପୂର୍ତ୍ତବିଭାଗର ଯୁଗ୍କ ତଦନ୍ତକାରୀ ଟିମ୍ ଗଣତି କରିବେ। ତେବେ, ଏସ୍ସିବି ସଂପ୍ରସାରଣ ପାଇଁ ଯେଉଁ ହଜାରେ ଗଛ କଟିଲା ସେଥିପାଇଁ ବିକଳ୍ପ ବନୀକରଣ ପାଇଁ ବନବିଭାଗ ଯୋଜନା କରିଛି। କିନ୍ତୁ କେଉଁଠି ଗଛ ଲଗାଇବେ ସେ ସଂପର୍କରେ ବନବିଭାଗ ଜାଗା ପାଉନି। ସେ ସଂପର୍କରେ ଯୋଜନା ପ୍ରସ୍ତୁତ ହୋଇପାରୁନି। ସେହିପରି ଏନ୍ଏଚ୍-୫୫ ପାଇଁ ମଧ୍ୟ ୨ହଜାର ଗଛ କଟିଥିଲେ ବି ତା’ର ବିକଳ୍ପ ବନୀକରଣ ଯୋଜନା କରାଯାଇପାରିନି। ଅନ୍ୟପଟେ କଟକ ସିଟି ରେଞ୍ଜ ପକ୍ଷରୁ ଗ୍ରିନ୍ ମହାନଦୀ ମିସନ୍ ପକ୍ଷରୁ ବ୍ରଜବିହାରୀପୁରଠାରେ ୮ହଜାର ଗଛ ଲଗାଯିବ। ନଦୀ ପଠାରେ ଲାଗିବ ବନୀକରଣ ଯୋଜନାରେ ୪୦ଲକ୍ଷ ଟଙ୍କାର ଗଛ। ଏଥିପାଇଁ ନୂତନ ଚାରା ପ୍ରସ୍ତୁତ କରାଯାଇ ଲଗାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ଭୁବନେଶ୍ବରରେ ବିଧାୟକଙ୍କ କ୍ବାର୍ଟର୍ ନିର୍ମାଣ ପାଇଁ ଗଛ କଟାଯିବା ଘଟଣା ହାଇକୋର୍ଟରେ ପହଞ୍ଚିବା ପରେ କଟକରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ କେତେ ଗଛ କଟାଯାଇଛି ଓ ଆଗକୁ କେତେ କଟାଯିବ ସେ ସଂପର୍କରେ ବନବିଭାଗ ସତର୍କତା ଅବଲମ୍ବନ କରୁଛି। ଯଦି ଫୁଟ୍ଫାଥ୍ରେ କିଛି ଗଛ ରହିଯାଉଛି ତେବେ ତାକୁ ନକାଟିବା ପାଇଁ ମଧ୍ୟ ପ୍ରସ୍ତାବ ବନବିଭାଗକୁ ଆସିଥିବା ଜଣାପଡିଛି। ସେପଟେ ଖୁଣ୍ଟୁଣୀ-ନରସିଂହପୁର ରାସ୍ତା ପାଇଁ ଯେଉଁ ୮ହଜାର ପାଖାପାଖି ଗଛ କଟାଯାଇଛି ରାସ୍ତା ନିର୍ମାଣର ୫ବର୍ଷ ପରେ ବି ବିକଳ୍ପ ନବୀକରଣ ଯୋଜନା ହୋଇପାରିନଥିବାରୁ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ବନବିଭାଗ କିଛି ସ୍ଥାନରେ ରାସ୍ତାପାର୍ଶ୍ବ ବନୀକରଣ କରିଥିଲେ ମଧ୍ୟ ସେସବୁ ଗଛ ଏବେ ନଥିବା ଜଣାପଡିଛି। ରକ୍ଷଣାବେକ୍ଷଣ କରା ନଯିବା ଏହା ପଛର କାରଣ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/guava-tree-farm.jpg)