ଭିନ୍ନକ୍ଷମଙ୍କ ସାହାରା ଭିନ୍ନକ୍ଷମ ତ୍ରିଲୋଚନ

ବାଙ୍କୀ: ଭିନ୍ନକ୍ଷମ ହିଁ ଜାଣେ ଭିନ୍ନକ୍ଷମଙ୍କ ଦୁଃଖ। ଅଙ୍ଗେ ନିଭାଉଥିବା ଦୁଃଖ ଓ କଷ୍ଟ ଯେପରି ଅନ୍ୟ ଭିନ୍ନକ୍ଷମ ନ ପାଇବେ ସେହି ନିଶାରେ ଜୀବନକୁ ଉତ୍ସର୍ଗ କରିଛନ୍ତି। ସୀମିତ ରୋଜଗାରରେ ଅନ୍ୟର ଦୁଃଖ ଦୂର କରିବା ପାଇଁ ସେବା ଜାରି ରଖି ଭିନ୍ନକ୍ଷମଙ୍କ ସାହାରା ପାଲଟିଛନ୍ତି ଭିନ୍ନକ୍ଷମ ତ୍ରିଲୋଚନ। ଏଭଳି ସେବା ମନୋଭାବ ବାଙ୍କୀ ସହରାଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବାଙ୍କୀ ସିଂହନାଥପୁରର ସ୍ବର୍ଗତ ରାଘବ ସାହୁଙ୍କ ପୁଅ ତ୍ରିଲୋଚନ ସାହୁ। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଅଷ୍ଟମ ଶ୍ରେଣୀରୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଥିଲା। ପରିବାର ଭରଣପୋଷଣ ପାଇଁ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ ସେ। ୨୦୦୮ ମସିହାରେ ଋଣ କରି ଏକ ଅଟୋରିକ୍ସା କିଣିଥିଲେ। ଏହାକୁ ଚଳାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ, ଅସହାୟଙ୍କୁ ସହାୟତା ଯୋଗାଇଦେବାର ଜିଜ୍ଞାସା ସର୍ବଦା ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଅଟୋଚାଳନା ସମୟରେ ଭିନ୍ନକ୍ଷମ, ଅସହାୟ ଲୋକ ଓ ବରିଷ୍ଠ ନାଗରିକଙ୍କୁ ଦେଖିଲେ ତୁରନ୍ତ ସହାୟତା ଯୋଗାଇ ଦେଉଥିଲେ। ଆବଶ୍ୟକସ୍ଥଳେ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇ ସେମାନଙ୍କୁ ଘରେ ମଧ୍ୟ ଛାଡ଼ୁଥିଲେ ବୋଲି କୁହନ୍ତି ତ୍ରିଲୋଚନ। ମାତ୍ର, ବିଧିରବିଧାନ ଅଲଗା ଥିଲା। ୨୦୧୨ ମସିହାରେ ତ୍ରିଲୋଚନ ଏକ ସଡ଼କ ଦୁର୍ଘଟଣାର ଶିକାର ହେଲେ।

ମେରୁଦଣ୍ଡରେ ଗୁରୁତର ଆଘାତ ଯୋଗୁଁ ଅଧା ଶରୀର ଅଚଳ ହୋଇଗଲା। ୬୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଗଲେ ତ୍ରିଲୋଚନ। ସଂଚିତ ଅର୍ଥ ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ସହ ଦୃଢ଼ ମନୋବଳ ଯୋଗୁଁ ଦୁଇବର୍ଷର ଚିକିତ୍ସା ପରେ ଆଶାବାଡ଼ି ଧରି ନିଜ କାମ ନିଜେ କରିବା ପାଇଁ ସେ କିଛି ମାତ୍ରାରେ ସଫଳ ହୋଇଥିଲେ। ହେଲେ, ଭିନ୍ନକ୍ଷମମାନଙ୍କୁ ସେବା ଯୋଗାଇ ଆସୁଥିବା ତ୍ରିଲୋଚନ ନିଜେ ଭିନ୍ନକ୍ଷମ ହୋଇଯାଇଥିଲେ। ଏହାସତ୍ତ୍ବେ ଭିନ୍ନକ୍ଷମମାନଙ୍କୁ ସହାୟତା ପାଇଁ ତାଙ୍କର ସେବା ମନୋଭାବରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ପୂର୍ବପରି ସେ ଅନ୍ୟ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ କରି ଆସୁଛନ୍ତି। ଏପରି କି, ଭିନ୍ନକ୍ଷମମାନଙ୍କ ପାଇଁ ପ୍ରମାଣପତ୍ର ଆବେଦନ, ନିଜର ଉପାର୍ଜିତ ଅର୍ଥରୁ ସେମାନଙ୍କୁ ଆଶାବାଡ଼ି ଓ ତିନିଚକିଆ ସାଇକେଲ ପ୍ରଦାନ, ବିଭିନ୍ନ ବଦାନ୍ୟ ଅନୁଷ୍ଠାନ ସହ ଯୋଗାଯୋଗ କରି କୃତ୍ରିମ ଅଙ୍ଗ ଲଗାଇବା, ମାଗଣାରେ ଚିକିତ୍ସାଳୟକୁ ନେବାଆଣିବା କରୁଛନ୍ତି ତ୍ରିଲୋଚନ। ପରିବେଶ ଓ ପଶୁପକ୍ଷୀଙ୍କ ସୁରକ୍ଷା ତଥା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସେ ଜାରି ରଖିଛନ୍ତି। ଏହି ସେବାକାର୍ଯ୍ୟ କାହିଁକି କରୁଛି ଜାଣିନି; କିନ୍ତୁ ନ କରି ରହିପାରୁନି ବୋଲି ପ୍ରକାଶ କରିଛନ୍ତି ତ୍ରିଲୋଚନ। ତାଙ୍କର ଏତାଦୃଶ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର