ବିଜ୍ଞାନରେ ଏଲ୍‌ଆର୍‌ ଡିଏଭିର ପୀୟୂଷ, ବାଣିଜ୍ୟରେ ସିଡିଏ ଡିଏଭିର ଐଶ୍ବର୍ଯ୍ୟା, କଳାରେ ଡିପିଏସ୍ କଳିଙ୍ଗର ଅନନ୍ୟା ଟପର୍‌

ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାଫଳ

କଟକ: ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ବି କଟକର ସମସ୍ତ ସ୍କୁଲ୍ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଜ୍ଞାନରେ ଗଣ୍ଡରପୁରସ୍ଥିତ ଏଲ.ଆର.ଡିଏଭି ପବ୍ଲିକ୍ ସ୍କୁଲ ଛାତ୍ର ପୀୟୂଷ ଷଡ଼ଙ୍ଗୀ ୯୯.୬୦ ପ୍ରତିଶତ ନମ୍ବର ରଖି କଟକ ଟପର ହୋଇଥିବା ବେଳେ ସିଡିଏ ଡିଏଭିର ମୋହିତ ମହାପାତ୍ର ୯୯.୪୦ ପ୍ରତିଶତ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ଏବଂ ଏଲ.ଆର ଡିଏଭିର ନିକିତା ମହାନ୍ତି ୯୯ ପ୍ରତିଶତ ନମ୍ବର ରଖି କଟକରେ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ସିଡିଏ ଡିଏଭି ଛାତ୍ରୀ ଐଶ୍ବର୍ଯ୍ୟା ପାଣିଗ୍ରାହୀ ୯୭.୬୦ ପ୍ରତିଶତ ନମ୍ବର ରଖି ବାଣିଜ୍ୟରେ କଟକ ଟପର୍ ହୋଇଥିବା ବେଳେ ହ୍ୟୁମାନିଟିଜ୍ (କଳା)ରେ ଡିପିଏସ୍ କଳିଙ୍ଗ ଛାତ୍ରୀ ଅନନ୍ୟା ପଟ୍ଟନାୟକ ୯୬.୮ ପ୍ରତିଶତ ନମ୍ବର ରଖି କଟକ ଟପର୍ ହୋଇଛନ୍ତି।

ସିଡିଏ ଡିଏଭିରେ ବିଜ୍ଞାନରେ ୭୧ ଜଣ ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ-କଟକ, ୨୨।୭(ଇମିସ): ଆଜି ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳରେ ସିଡିଏ ଡିଏଭିର ଶତ ପ୍ରତିଶତ ପାସ ହାର ରହିଛି। ବାଣିଜ୍ୟରେ ଐଶ୍ବର୍ଯ୍ୟା ପାଣିଗ୍ରାହୀ କଟକ ଟପର ହୋଇଛନ୍ତି। ସେ ୯୭.୬୦ ପ୍ରତିଶତ ନମ୍ବର ରଖିଛନ୍ତି। ସେହିଭଳି ବିଜ୍ଞାନରେ ମଧ୍ୟ ସିଡିଏ ଡିଏଭି ଭଲ ପ୍ରଦର୍ଶନ କରିଛି। ବିଜ୍ଞାନରେ ମୋହିତ ମହାପାତ୍ର ୯୯.୪୦ ପ୍ରତିଶତ ରଖି ସ୍କୁଲ ଟପର ହୋଇଛନ୍ତି। ବିଜ୍ଞାନରେ ୨୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସଫଳତା ହାର ଶତ ପ୍ରତିଶତ ରହିଛି। ୬ ଜଣ ଛାତ୍ରଛାତ୍ରୀ ୯୮ ପ୍ରତିଶତରୁ ଅଧିକ ରଖିଥିବା ବେଳେ ୨୯ ଜଣ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିଭଳି ୭୧ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟରେ ୪୮ ଜଣ ପରୀକ୍ଷା ଦେଇଥିଲେ। ସମସ୍ତ ୪୮ ଜଣ ସଫଳ ହୋଇଛନ୍ତି। ୪ ଜଣ ୯୫ ପ୍ରତିଶତରୁ ଅଧିକ ଓ ୧୬ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

Sambad

ଏଲ୍‌ଆର୍‌ ଡିଏଭିର ୨୮ ଜଣ ରଖିଛନ୍ତି ୯୫ ପ୍ରତିଶତରୁ ଅଧିକ: ସିବିଏସଇ ଦ୍ବାଦଶ ପରୀକ୍ଷାରେ ଗଣ୍ଡରପୁରସ୍ଥିତ ଲାଲା ଲଜପତ୍ ରଏ ଡି ଏ ଭି ସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଚଳିତ ବର୍ଷ ସ୍କୁଲର ୧୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସବୁ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାରେ ୨୮ ଜଣ ୯୫ ପ୍ରତିଶତରୁ ଅଧିକ ରଖିଥିବା ବେଳେ ସ୍କୁଲ ଟପର ପୀୟୂଷ ଷଡ଼ଙ୍ଗୀ ୯୯.୬୦ ପ୍ରତିଶତ ନମ୍ବର ରଖି କଟକ ଟପର ବି ହୋଇଛନ୍ତି। ସେହିଭଳି ନିକିତା ମହାନ୍ତି ୯୯ ପ୍ରତିଶତ ଓ ଅମିତ ପ୍ରସାଦ ସିଂହ ୯୮.୬୦ ପ୍ରତିଶତ ନମ୍ବର୍ ରଖିଛନ୍ତି। ସ୍କୁଲରେ ୯୦ ପ୍ରତିଶତରୁ ଅଧିକ ୪୯ ଜଣ, ୮୦ ପ୍ରତିଶତରୁ ଅଧିକ ୬୬ ଜଣ, ୭୫ ପ୍ରତିଶତରୁ ଅଧିକ ୨୦ ଜଣ, ୭୦ ପ୍ରତିଶତରୁ ଅଧିକ ୧୦ ଜଣ, ୬୦ ପ୍ରତିଶତରୁ ଅଧିକ ୧୧ ଜଣ ରଖିଛନ୍ତି। ପ୍ରିନ୍ସିପାଲ୍ ନିରଂଜନ ସ୍ବାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ ଚାରବାଟିଆ,  ସୌମ୍ୟରଂଜନ ବିଜ୍ଞାନ, ଓଜସ୍ମିତା ହ୍ୟୁମାନିଟିଜ୍ ଟପର୍‌

ଚୌଦ୍ବାର ଚାରବାଟିଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ୯୭.୮ ପ୍ରତିଶତ ନମ୍ବର ରଖି ସୌମ୍ୟରଂଜନ ସ୍ବାଇଁ ବିଦ୍ୟାଳୟର ବିଜ୍ଞାନ ଟପର ହୋଇଛନ୍ତି। ସେହିଭଳି ୯୫ ପ୍ରତିଶତ ନମ୍ବର ରଖି ରାଜଶ୍ରୀ ପ୍ରିୟଦର୍ଶିନୀ ରାଉତ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୯୪.୪ ପ୍ରତିଶତ ନମ୍ବର ରଖି ନିହାରିକା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ବିଦ୍ୟାଳୟର ହ୍ୟୁମାନିଟିଜ୍‌ରେ ୯୩ ପ୍ରତିଶତ ନମ୍ବର ରଖି ଓଜସ୍ବିତା ଦାସ ଟପର ହୋଇଛନ୍ତି। ଏହି ବିଦ୍ୟାଳୟରେ ମୋଟ ୧୦୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୮ଜଣ ପାସ୍‌ କରିଛନ୍ତି। ବିଦ୍ୟାଳୟର ପାସ୍‌ ହାର ଶତକଡ଼ା ୯୬.୮ ପ୍ରତିଶତ ରହିଛି। ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୩୫ ଜଣ ୭୫ରୁ ୯୦ ପ୍ରତିଶତ, ୪୬ ଜଣ ୬୦ରୁ ୭୫ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନ ଟପର ସୌମ୍ୟରଂଜନ ସ୍ବାଇଁ ହେଉଛନ୍ତି ଚୌଦ୍ବାର ଚଷାପଡ଼ା ଗ୍ରାମର ବାସିନ୍ଦା। ସେ ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ ସୁବାସ, ପ୍ରଶାନ୍ତ, ଅକ୍ଷୟ ଓ ମହାରଣା ସାରଙ୍କୁ ଦେଇଛନ୍ତି। ଦିନକୁ ୧୪ରୁ ୧୫ଘଣ୍ଟା ପରିଶ୍ରମ କରୁଥିବା ସୌମ୍ୟରଂଜନ ଭବିଷ୍ୟତରେ ଡାକ୍ତରୀ ପଢିବାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ହ୍ୟୁମାନିଟିଜ୍ ଟପର୍‌ ଓଜସ୍ମିତା ଦାସ ତାଙ୍କ ସଫଳତାର ଶ୍ରେୟ ପିତାମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି। ପ୍ରତ୍ୟେକ ଦିନ ୬ ରୁ ୭ଘଣ୍ଟା ସେ ପଢୁଥିବା ବେଳେ ଭବିଷ୍ୟତରେ ଆଇନ୍ ବୃତ୍ତିରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର