ଗାନ୍ଧୀ ପ୍ରତିମୂର୍ତ୍ତି ଭଙ୍ଗା ଅଭିଯୋଗରେ ୨ଗିରଫ

ସ‌ାଲେପୁର/ରାଇସୁଙ୍ଗୁଡ଼ା : ସାଲେପୁର ଅଞ୍ଚଳରେ ଗାନ୍ଧୀ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ସାଲେପୁର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସାଲେପୁର ଥାନା ଅଧୀନ ଜପକୁଦ ଫାଣ୍ତି ପୁଲିସ୍ ଗିରଫ୍ କରିଛି। ଅନ୍ୟ ଜଣେ ଫେରାର ରହିଛି।

ଘଟଣାରୁ ପ୍ରକାଶ, ସାଲେପୁର ସିଢେ଼ା ପଞ୍ଚାୟତ ତାରିଣୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ଦେବା ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଘଟଣା ବିଷୟରେ ରମେଶ ଚନ୍ଦ୍ର ନାୟକ ଜପକୁଦ ଫାଣ୍ତିରେ ଅଭିଯୋଗ କରିବା ପରେ ଜପକୁଦ ଫାଣ୍ତି ପକ୍ଷରୁ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତ ଅବିନାଶ ମହାନ୍ତି ଓରଫ୍ ବିଗନ ଓ ଦେବାଶିଷ ବଳ ଓରଫ୍ ଦୀପୁକୁ ଗିରଫ୍ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ନବଘନ ଜେନା ଫେରାର୍ ରହିଛନ୍ତି। ତିନି ଜଣ ଅଭିଯୁକ୍ତ ଗାନ୍ଧୀମୂର୍ତ୍ତି ଭାଙ୍ଗିବା ପରେ ତାରିଣୀ ଛକରେ ଗାଳିଗୁଲଜ କରିବା ସହିତ ରମେଶ ଚନ୍ଦ୍ର ନାୟକଙ୍କ ଦୋକାନକୁ ଭାଙ୍ଗି ଦେଇଥିବା ଅଭ‌ିଯୋଗ ହୋଇଛି। ରମେଶଙ୍କ ବଡ଼ ଭାଇ ମୀନକେତନଙ୍କ ଉପରେ ୩ଜଣ ଦୁର୍ବୃତ୍ତ ଠେଙ୍ଗାରେ ଆକ୍ରମଣ କରିଥିବା ଓ ହତ୍ୟା ଧମକ ଦେଇଥିବା ‌ରମେଶ ଅଭ‌ିଯୋଗ କରିଛନ୍ତି। ଫେରାର ନବଘନକୁ ଖୁବ୍‌ଶୀଘ୍ର ଗିରଫ୍ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଗିରଫ୍ ଅବିନାଶଙ୍କ ମାଆ ଅନ୍ନପୂର୍ଣ୍ଣା ମହାନ୍ତି ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ବିଷୟରେ ଫାଣ୍ତିରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍‌-ନଂ–୯୯/୨୦ ଓ ୧୦୦/୨୦ରେ ଦୁଇଟି ମାମଲା ରୁଜୁ କରିଛି। ଗିରଫ୍ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ପୁଲିସ୍ ସୂଚନା‌ ‌ଦେଇଛି।

ସମ୍ବନ୍ଧିତ ଖବର