କଟକ: ଅବିକଳ ଝାଡଖଣ୍ଡ ଜମତାରା ଠକଙ୍କ ଶୈଳୀରେ ବ୍ୟାଙ୍କ ଗ୍ରାହକଙ୍କୁ ଠକୁଥିବା ଗ୍ୟାଙ୍ଗର ଆଉ ଜଣେ ଠକକୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଛି। ୫ ତାରିଖରେ ଚାଉଳିଆଗଞ୍ଜ ଥାନା ପୁଲିସ ଯେଉଁ ଠକ ସୁପ୍ରଭାତ ମହାପାତ୍ରକୁ ଗିରଫ କରିଥିଲା ସେ ବାଦାମବାଡ଼ି ଥାନାର ଏକ ଠକେଇ ମାମଲାରେ ବି ସମ୍ପୃକ୍ତ ଅଛି। ସୁପ୍ରଭାତକୁ ବାଦାମବାଡ଼ି ଥାନା ପୁଲିସ ନିଜ ମାମଲାରେ ଯୋଡ଼ିବା ସହିତ ଅନ୍ୟତମ ସହଯୋଗୀ ଭୁବନେଶ୍ବର ଇଡକୋ କଲୋନିରେ ରହୁଥିବା ପ୍ରିୟଜିତ ବେଉରାକୁ ଗିରଫ କରିଛି। ପୁଲିସ ପ୍ରିୟଜିତ ନିକଟରୁ ୬୪ ହଜାର ଟଙ୍କା ଜବତ କରିଛି। ତେବେ ସୁପ୍ରଭାତ ପୁରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ଅନଲାଇନରେ ଲୁଟ୍ ହେଉଥିବା ଟଙ୍କା ଜମା କରିବା ପାଇଁ ୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଆଣିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଜାମତାରା ଗ୍ୟାଙ୍ଗ୍ ବି ଏଭଳି ଧରା ନପଡ଼ିବା ପାଇଁ ଅନ୍ୟ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଭଡ଼ାରେ ଆଣି ଲୁଟ୍ ଟଙ୍କା ଜମା କରୁଛନ୍ତି।
ସୂଚନା ଅନୁଯାୟୀ, ବାଦାମବାଡ଼ି ମହତାବ ରୋଡରେ ରହୁଥିବା ସାଲିନୀ ଜୈନଙ୍କ ଶ୍ବଶୁର ୭୧ ବର୍ଷୀୟ ଖଗେନ୍ଦ୍ର ବୋକାରିଆଙ୍କ ମୋବାଇଲକୁ ଗଲା ୫ ତାରିଖ ସନ୍ଧ୍ୟାରେ ଏକ ଅଜଣା ନମ୍ବରକୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଝାଞ୍ଜିରୀମଙ୍ଗଳାର ଏଲଆଇସି ଅଫିସ ବ୍ରାଞ୍ଚ ମ୍ୟାନେଜର ପରିଚୟ ଦେଇଥିଲା। ଏଲଆଇସି ମାଚ୍ୟୁରିଟି ହୋଇଯାଇଥିବାରୁ ଖଗେନ୍ଦ୍ରଙ୍କ ନାଁରେ ୧ ଲକ୍ଷ ଟଙ୍କା ଆସିଥିବା କହିଥିଲା। ଟଙ୍କା ପଠାଇବା ପାଇଁ ଗୁଗୁଲ ପେ ନମ୍ବର ମାଗିଥିଲେ। ନମ୍ବର ମାଗିବାରୁ ସେ ତାଙ୍କ ବୋହୂ ସାଲିନିଙ୍କୁ ଫୋନ୍ ଦେଇଥିଲେ। ସାଲିନିଙ୍କୁ ଗୁଗୁଲ ପେ ରେ ଟଙ୍କା ପଠାଇବା ବଦଳରେ କୌଶଳକ୍ରମେ ତାଙ୍କ ଗୁଗୁଲ ପେରୁ ୧ ଲକ୍ଷ ଟଙ୍କା ଓଲଟି ଗାଏବ୍ କରି ଦେଇଥିଲା ଠକ। ଏ ସଂକ୍ରାନ୍ତରେ ସାଲିନି ବାଦାମବାଡ଼ି ଥାନାରେ ୫ ତାରିଖରେ ଏତଲା ଦେଇଥିଲେ। ପୁଲିସ ଉକ୍ତ ଅଜଣା ନମ୍ବର ଓ ଗୁଗୁଲ ପେ ରୁ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଛି, ଉଭୟକୁ ତଦନ୍ତ ପରିସରଭୁକ୍ତ କରିଥିଲା। ସେହି ଆକାଉଣ୍ଟ ପ୍ରିୟଜିତର ବୋଲି ପୁଲିସ ଜାଣିବାକୁ ପାଇଥିଲା। ପ୍ରିୟଜିତ ମାଟ୍ରିକ୍ ଯାଏ ପଢ଼ିଥିବା ବେଳେ ଭୁବନେଶ୍ବରରେ ରହି ଏବେ ଓଲା ଗାଡ଼ିରେ ଡ୍ରାଇଭର ଅଛି। ପୁଲିସ ତାକୁ ଆଜି ଗିରଫ କରିଥିବା ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ତଦନ୍ତ ପରେ ପ୍ରିୟଜିତ ପୁରୀ ଜିଲ୍ଲା ସତ୍ୟବାଦୀର ସୁପ୍ରଭାତ ମହାପାତ୍ର ସହିତ ଏଭଳି ଅନଲାଇନ୍ ଠକେଇ ଅପରାଧରେ ସାମିଲ ଥିବା ଜଣାପଡ଼ିଥିଲା। ଏମାନଙ୍କ ସହିତ ଅନ୍ୟତମ ସହଯୋଗୀ ଜଗତସିଂହପୁର ଜିଲ୍ଲା ବିରିଡ଼ିର ତନ୍ମୟ କୁମାର ବେହେରା ବି ସାମିଲ ଅଛି।
ସୁପ୍ରଭାତ ଓ ତନ୍ମୟକୁ ଚାଉଳିଆଗଞ୍ଜ ଥାନା ପୁଲିସ ଏକ ଠକେଇ ମାମଲାରେ ଗଲା ୫ ତାରିଖରେ ଗିରଫ କରିଥିଲା। ଏହି ଗ୍ୟାଙ୍ଗ୍ ଚାଉଳିଆଗଞ୍ଜ ନୂଆବଜାର ଅଞ୍ଚଳର ରବି ନାରାୟଣ ମହାପାତ୍ରଙ୍କୁ ଗଲା ୩ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ଫୋନ୍ କରି ନିଜକୁ ଏସବିଆଇ ବ୍ରାଞ୍ଚ ମ୍ୟାନେଜର୍ ପରିଚୟ ଦେଇଥିଲେ। ଏକ ପଲିସି ମ୍ୟାଚୁରିଟି ହୋଇଯାଇଥିବାରୁ ଚେକ୍ କ୍ଲିଅରାନ୍ସ ଦେଲେ ଅନଲାଇନରେ ଟଙ୍କା ମିଳିଯିବ କହି ୪୫ ହଜାର ଟଙ୍କା ଟଙ୍କା ଠକିନେଇଥିଲେ। ଉଭୟ ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନା ପୁଲିସର ଦୁଇଟି ମାମଲାରେ ଏହି ଠକ ଗ୍ୟାଙ୍ଗ୍ ମୋଟ ୧ ଲକ୍ଷ ୪୫ ହଜାର ଟଙ୍କା ଠକିଥିଲେ।
ସୁପ୍ରଭାତ ଗ୍ୟାଙ୍ଗ୍ ଲିଡର୍ ବୋଲି କୁହାଯାଉଛି। ସୁପ୍ରଭାତ ଜଣେ ଡିପ୍ଲୋମା ଛାତ୍ର ହୋଇଥିବା ବେଳେ ଦୈନିକ ପାଖାପାଖି ୩୦ରୁ ୪୦ଟି ଅଜଣା ନମ୍ବରକୁ ଫୋନ୍ କରି ନିଜକୁ ବ୍ୟାଙ୍କ୍ ମ୍ୟାନେଜର କିମ୍ବା ଏଲଆଇସିର ବ୍ରାଞ୍ଚ ମ୍ୟାନେଜର୍ ପରିଚୟ ଦେଉଥିଲା। ପୁଲିସ ସୁପ୍ରଭାତର ମୋବାଇଲ୍ ସିଡିଆର୍(କଲ୍ ଡିଟେଲ୍ ରେକର୍ଡ) ଯାଞ୍ଚ ପରେ ଏଭଳି ତଥ୍ୟ ସାମନାକୁ ଆସିଛି। ଯଦି କେହି ବୟସ୍କ ଲୋକ ଫୋନ୍ ଉଠାଉଥିଲେ, ତେବେ ତାଙ୍କୁ ଫସାଇବା ଅଧିକ ସହଜ ହେଉଥିବା ସୁପ୍ରଭାତ ପୁଲିସକୁ ସୂଚନା ଦେଇଛି। ଯେଉଁ ଟଙ୍କା ଗ୍ରାହକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ସୁପ୍ରଭାତ ଲୁଟେ ସେହି ଟଙ୍କା ସେ ସିଧାସଳଖ ଭଡ଼ାରେ ଆଣିଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର୍ କରେ। ଭୁବନେଶ୍ବରର ପ୍ରିୟଜିତ ଓ ତନ୍ମୟର ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର୍ କରୁଥିଲା। ଏମାନଙ୍କ ବାଦ୍ ଆହୁରି ୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲାଗିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୁପ୍ରଭାତ କୌଣସି ବ୍ୟାଙ୍କ ଗ୍ରାହକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଲୁଟିବା ପରେ ଭଡ଼ାରେ ଆଣିଥିବା ଏହି ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଉଥିଲା।
ପରେ ଉକ୍ତ ଆକାଉଣ୍ଟରୁ ଏଟିଏମ୍ କାର୍ଡ ମାଧ୍ୟମରେ ଟଙ୍କା ଉଠାଉଥିଲା। ତେବେ ପ୍ରତି ୧ ଲକ୍ଷ ଟଙ୍କା ଟ୍ରାନଜାକ୍ସନରେ ସୁପ୍ରଭାତ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲଗାଇଥିବା ସହଯୋଗୀଙ୍କୁ ୩୦ ହଜାର ଟଙ୍କା ଦେଉଥିଲା। ସୁପ୍ରଭାତ ୨୦୧୨ ମସିହାରୁ ଅପରାଧ ଦୁନିଆ ସହିତ ଯୋଡ଼ି ହୋଇଛି। ପ୍ରଥମେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନାରେ ୨୦୧୨ ଜୁନ ୨୨ ତାରିଖରେ ଏକ ଚୋରି ମାମଲାରେ ପୁଲିସ ରେକର୍ଡକୁ ଆସିଥିଲା। ତା ବିରୋଧରେ ପୁରୀ ସମେତ ମୟୁରଭଞ୍ଜ, ସମ୍ବଲପୁର, ଯାଜପୁର, ଢେଙ୍କାନାଳ, ଭୁବନେଶ୍ବର, କଟକ କମିସନରେଟ ପୁଲିସରେ ମୋଟ ୨୪ଟି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/IMG-.jpg)