ବାରଙ୍ଗରେ ଟ୍ରେନ୍‌ରୁ ଯାତ୍ରୀଙ୍କୁ ଠେଲିବା ଘଟଣା : ଦୁଇ ଫେରାର କିନ୍ନର ଗିରଫ

କଟକ : ବାରଙ୍ଗରେ ଜଣେ ଯାତ୍ରୀଙ୍କୁ ଟ୍ରେନ୍‌ରୁ ଠେଲିବା ଏବଂ ଗତକାଲି ଜଣେ ଯୁବକଙ୍କୁ ବଗି ଭିତରେ ଆକ୍ରମଣ କରିବା ଘଟଣାରେ ପୁଲିସ ଦୁଇ କିନ୍ନରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ରିଚା ସାହୁ ଏବଂ ଖୋର୍ଦ୍ଧାର ସୋନାକ୍ଷୀ ରଥ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଭୁବନେଶ୍ୱର-କେନ୍ଦୁଝର ପାସେଞ୍ଜର ଟ୍ରେନ୍‌ରେ ଲଳିତ ପ୍ରସାଦ ଜେନା ନାମକ ଜଣେ ଯୁବକ କେନ୍ଦୁଝର ଯାଉଥିଲେ । ଟ୍ରେନ୍‌ ଭିତରେ ଦୁଇ ଜଣ କିନ୍ନର ତାଙ୍କୁ ଟଙ୍କା ମାଗିଥିଲେ। ଖୁଚୁରା ପଇସା ଦେବାରୁ କିନ୍ନରମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ। କିନ୍ନରଙ୍କ ଆକ୍ରମଣରେ ଲଳିତଙ୍କ ମୁହଁ, ଆଖି ଓ ବେକରେ ଗଭୀର କ୍ଷତ ହୋଇଥିଲା । ପାଖରେ ଥିବା ଅନ୍ୟ ସହଯାତ୍ରୀ ଜଣେ କିନ୍ନରକୁ କାବୁ କରିଦେବାରୁ ଅନ୍ୟ ଜଣେ ଭୟରେ ଡେଇଁ ପଳାଇଥିଲା । ଧରାପଡ଼ିଥିବା କିନ୍ନରକୁ ଯାତ୍ରୀମାନେ ଜିଆର୍‌ପି ଥାନା ପୁଲିସ୍‌ ଜିମା ଦେଇଥିଲେ।

ଏ ସଂକ୍ରାନ୍ତରେ ଲଳିତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଟକ ଥିବା ଅଭିଯୁକ୍ତ ରିଚା ସାହୁକୁ ପଚରାଉଚରା ପରେ ଖସିଯାଇଥିବା ସହଯୋଗୀ ସୋନାକ୍ଷୀ ରଥକୁ ଗିରଫ କରିଥିଲା । ଉଭୟଙ୍କୁ ଥାନାରେ ପଚରାଉଚରା ପରେ ସେମାନେ ୨୦୧୭ ଅକ୍ଟୋବର ୨୪ ତାରିଖ ଭୋରୁ ଚେନ୍ନାଇ-ହାଓ୍ଵାଡ଼ା ଟ୍ରେନ୍‌ରେ ଆସୁଥିବା ମୟୂରଭଞ୍ଜର ବନମାଳି ସିଂହଙ୍କୁ ବାରଙ୍ଗ ନିକଟରେ ଠେଲିବା ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା ।

ସମ୍ବନ୍ଧିତ ଖବର