‘ପଦ୍ମିନୀ କେୟାର୍‌’ରେ ସଫଳ ଅସ୍ତ୍ରୋପଚାର, ଦୁଇ ଜନ୍ମଗତ ଦିବ୍ୟାଙ୍ଗ ଶିଶୁ ପାଇବେ ନୂଆ ଜୀବନ

କଟକ: ଟାଙ୍ଗୀସ୍ଥିତ ‘ପଦ୍ମିନୀ କେୟାର’ ହସ୍‌ପିଟାଲ୍‌ରେ ଉପଲବ୍‌ଧ ଉନ୍ନତ ସ୍ବାସ୍ଥ୍ୟସେବା ଦୁଇ ଜନ୍ମଗତ ଦିବ୍ୟାଙ୍ଗ ଶିଶୁଙ୍କୁ ନୂଆଜୀବନ ଦେବାରେ ସଫଳ ହୋଇଛି। ହସ୍‌ପିଟାଲ୍‌ର ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶକ୍ତିପ୍ରସାଦ ଦାସଙ୍କ ତତ୍ତ୍ବାବଧାନରେ ଗତକାଲି ଏହି ଦୁଇ ଦିବ୍ୟାଙ୍ଗ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି ଓ ଶିଶୁଦ୍ବୟ ଏବେ ସୁସ୍ଥ ଅଛନ୍ତି। ଆସନ୍ତା ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରକ୍ରିୟା ପରେ ସେମାନେ ସ୍ବାଭାବିକ୍ ଜୀବନ ବିତାଇବେ ବୋଲି ପ୍ରଫେସର ଦାସ କହିଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଗଡ଼ମଧୁପୁର ଅନ୍ତର୍ଗତ କୁସ୍ତିରା ଗ୍ରାମର ସନ୍ତୋଷ ଦଳାଇଙ୍କ ପୁଅ ରୁଦ୍ରପ୍ରତାପ(୧୧)ଙ୍କର ଜନ୍ମରୁ ବକ୍ରପାଦ (ଡାହାଣ ଗୋଡ଼) ଥିଲା। ଫଳରେ ସେ ଚଲାବୁଲା କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିଲେ। ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଏବଂ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ପୁଅକୁ ବଡ଼ ଡାକ୍ତରଙ୍କ ପାଖକୁ ନେବା ସମ୍ଭବ ହେଉ ନଥିଲା। ଏଥିପାଇଁ ସେ ‘ପଦ୍ମିନୀ କେୟାର୍‌’ର ସହାୟତା ଲୋଡ଼ିଥିଲେ। ପରୀକ୍ଷା ନିରୀକ୍ଷା ପରେ ରୁଦ୍ରପ୍ରତାପଙ୍କର ଅସ୍ତ୍ରୋପଚାର ହୋଇଥିଲା।

ସେହିପରି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶକୁନ୍ତଳାପୁରର କାଳନ୍ଦୀ ମଲ୍ଲିକଙ୍କ ପୁଅ ବିକ୍ରମାଦିତ୍ୟ (୪) ଜନ୍ମଗତ ଅସ୍ଥିଶଲ୍ୟଜନିତ ଦିବ୍ୟାଙ୍ଗ ଥିଲେ। ଗୋଡ଼ରେ ଗୋଟିଏ ହାଡ଼ ନଥିବା ଯୋଗୁଁ ସେ ଠିଆହେବାକୁ ଅକ୍ଷମ ଥିଲେ। ତାଙ୍କର ଚିକିତ୍ସା ସମୟସାପେକ୍ଷ ଓ ବ୍ୟୟବହୁଳ ଥିଲା। ‘ପଦ୍ମିନୀ ରିହାବ୍ କେନ୍ଦ୍ର’ରେ ତାଙ୍କର ପ୍ରାରମ୍ଭିକ ଚିକିତ୍ସା ପରେ ଅସ୍ଥି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଡାକ୍ତରଖାନା ସୂତ୍ରରୁ ଜାଣିବାକୁ ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନେ ଉପକୃତ ହୋଇଥିବା ସୂଚନା ଦିଆଯାଇଛି। ଏଭଳି ଜଟିଳ ଅସ୍ତ୍ରୋପଚାରର ସଫଳତା ପାଇଁ ପ୍ରଫେସର ଡା. ଦାସ ଓ ତାଙ୍କ ଟିମ୍‌କୁ ହସ୍‌ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର