ଭିକାରିମୁକ୍ତ ସହର ପାଇଁ ସିଏମ୍‌ସିର ୨ ଆଶ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ, ୧୦ ଦିନରେ ଥଇଥାନ ହେଲେଣି ୪୫ ଭିନ୍ନକ୍ଷମ ଓ ୨୭ ବୟସ୍କ ଭିକ୍ଷୁକ

କଟକ: କଟକ ସହରକୁ ଭିକାରିମୁକ୍ତ କରିବା ଉଦ୍ଦେଶ୍ୟରେ ୩ଶହ ଭିକ୍ଷୁକଙ୍କୁ ୩ଟି କେନ୍ଦ୍ରରେ ଥଇଥାନ କରିବା ପାଇଁ ସିଏମ୍‌ସି ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨ଟି ଆଶ୍ରୟ କେନ୍ଦ୍ର ଖୋଲାଯାଇଛି। ଗତ ମାସ ୩୦ ତାରିଖରେ ଦୁଇଟି କେନ୍ଦ୍ର ଉଦ୍‌ଘାଟିତ ହୋଇଥିବା ବେଳେ ଆଜି ସୁଦ୍ଧା ସହରରେ ଭିକ୍ଷା ବୃତ୍ତି କରୁଥିବା ୭୨ ଜଣଙ୍କୁ ଉଦ୍ଧାର କରାଯାଇ ସେଠାରେ ଆଶ୍ରୟ ଦିଆଯାଇଛି। ମହାନଗର ନିଗମ ଅଞ୍ଚଳରେ ଭିକ୍ଷୁକଙ୍କ ପାଇଁ ୩ଟି ଆଶ୍ରୟ କେନ୍ଦ୍ର ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ସିଏମ୍‌ସିକୁ ଚିଠି କରାଯାଇଥିଲା। ଏବେ ନିଗମ ତରଫରୁ ୨ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋଟିଏ କେନ୍ଦ୍ର ୪୨ ମୌଜା ବେଣ୍ଟକାରଠାରେ ଆରମ୍ଭ ହୋଇଥିବା ବେଳେ ଅନ୍ୟଟି ସିଏମ୍‌ସିର କାଜିପାଟଣାରେ ଆରମ୍ଭ ହୋଇଛି।

ବେଣ୍ଟକାର କେନ୍ଦ୍ର ଦାୟିତ୍ବ ‘ଓଡ଼ିଶା ପତିତା ଉଦ୍ଧାର ସମିତି’ ନେଇଛି ଯେଉଁଠାରେ ୧୦ଜଣ ମହିଳା ଓ ୩୫ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ଜଣ ଭିନ୍ନକ୍ଷମ ଭିକ୍ଷୁକଙ୍କୁ ଗତ ୧୦ ଦିନ ମଧ୍ୟରେ ଥଇଥାନ କରଯାଇଛି। ସେହିପରି କାଜିପାଟଣା କେନ୍ଦ୍ର ଦାୟିତ୍ବ ‘ବିକାଶ’ ସଂସ୍ଥାକୁ ଦିଆଯାଇଛି, ଯେଉଁଠାରେ ୨୭ଜଣ ବୟସ୍କ ଭିକ୍ଷୁକଙ୍କୁ ରଖାଯାଇଛି। ସେମାନଙ୍କୁ ଦୈନିକ ଦୁଇଟି ମିଲ୍‌ ଓ ଦୁଇଟି ଜଳଖିଆ ଦିଆଯାଉଛି। ସହରର ବିଭିନ୍ନ ସ୍ଥାନରୁ ଭିକ୍ଷୁକଙ୍କୁ ଉଦ୍ଧାର କରିବା ପାଇଁ ‌ପ୍ରତି କେନ୍ଦ୍ରରେ ଏକ ୪ ଜଣିଆ ଟିମ୍‌ ଅଛନ୍ତି ଯେଉଁମାନଙ୍କ ସାହାଯ୍ୟରେ ପ୍ରତିଦିନ ୩/୪ଜଣ ଭିକ୍ଷୁକଙ୍କୁ ସହରରୁଏଠାକୁ ଅଣାଯାଉଛି। ଖୁବ ଶୀଘ୍ର ଆଉ ଏକ‌ କେନ୍ଦ୍ର ଖୋଲାଯାଇ ମୋଟ ୩ଶହ ଭିକ୍ଷୁକଙ୍କୁ ଥଇଥାନ କରାଯିବ ବୋଲି ନିଗମର ବସ୍ତି ଉନ୍ନୟନ ଅଧିକାରୀ ଶ୍ବେତପଦ୍ମା ଡି ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର