ପୁଣି ଜେଲ ଗଲେ ଉମାମଣି ହୋମ୍‌ କ୍ରିଏସନ ମୁଖ୍ୟ

ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ଆବେଦନ ଖାରଜ

କଟକ : ଉମାମଣି ହୋମ୍‌ କ୍ରିଏସନ୍‌ ପରିଚାଳନା ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ନାୟକଙ୍କୁ ପୁଣି ଜେଲ ଯିବାକୁ ପଡିଛି। ଅନ୍ତରୀଣ ଜାମିନ ମିଆଦ ସରିବା ପରେ ସେ ଆଜି କଟକ ସ୍ୱତନ୍ତ୍ର ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଅଦାଲତ ତାଙ୍କୁ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦେଇଛନ୍ତି। ୨୦୧୭, ଏପ୍ରିଲ ୧୧ରେ ନାରାୟଣଙ୍କୁ ହାଇକୋର୍ଟ ୩ ମାସ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଉମାମଣି ସଂସ୍ଥାରେ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଟଙ୍କା ଫେରାଇବା ପାଇଁ ପଦକ୍ଷେପ ନେଇ ବିବାଦ ସମାଧାନ ପାଇଁ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ସେ ପରବର୍ତ୍ତୀ ସମୟରେ ଆବେଦନ କରିଥିଲେ। ୨୦୧୭, ଜୁଲାଇ ୧୦ରେ ହାଇକୋର୍ଟ ତାଙ୍କ ଜାମିନ ମିଆଦ ୨ ମାସ ବୃଦ୍ଧି କରିଥିଲେ। ଏହା ପରେ ପୁଣି ୨୦୧୭, ସେପ୍ଟେମ୍ବର ୧୧ରେ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଦୁଇ ମାସ ବଢାଇବା ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ। ଏହା ପରେ ସେ ଆଉ ଥରେ ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ଆବେଦନ କରିଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ନାରାୟଣଙ୍କ ଆବେଦନ ଖାରଜ କରିଥିଲେ। ଏପରି ପରିସ୍ଥିତିରେ ନାରାୟଣ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି। ସ୍ୱତନ୍ତ୍ର ଅଦାଲତରେ ନାରାୟଣଙ୍କ ବିରୋଧରେ ଥିବା ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ ତାରିଖ ଦିନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହା ମାମଲାରେ ସାକ୍ଷ୍ୟ ଗ୍ରହଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଉମାମଣି ହୋମ କ୍ରିଏସନର ଏମଡି ନାରାୟଣ ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ତଥା ସଂସ୍ଥାର ନିର୍ଦ୍ଦେଶିକା ସୁନିତା ନରେନ୍ଦ୍ର ସିଂହ ଭୁବନେଶ୍ୱରର ଜୟଦେବ ବିହାର ନିକଟରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଯୋଜନା ମାଧ୍ୟମରେ ଜମି ଯୋଗାଇ ଦେବାକୁ କହି ସାଧାରଣ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ସଂସ୍ଥା ଜମାକାରୀଙ୍କୁ ଜମି ଯୋଗାଇ ଦେବାରେ ବିଫଳ ହୋଇଥିଲା। କ୍ରାଇମବ୍ରାଞ୍ଚ୍‌ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଏ ନେଇ ଅଭିଯୋଗ ହେବା ପରେ ଉମାମଣି ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ୍‌ ୨୦୧୩, ଜୁନ୍‌ ୫ରେ ନାରାୟଣଙ୍କୁ ଓ ୨୦୧୫, ଜାନୁଆରି ୭ରେ ସୁନିତାଙ୍କୁ ଗିରଫ୍‌ କରିଥିଲା। ପ୍ରାୟ ୧୩ କୋଟି ୧୦ ଲକ୍ଷ ଟଙ୍କାର ଠକେଇ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦାଖଲ କରିଥିବା ଚାର୍ଜସିଟରେ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ଉମାମଣି ହୋମ କ୍ରିଏସନର ସ୍ଥାବର ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର