ଗିରଫ ହେଲେଣି ୬ ନାବାଳକ; ନିଶା ଖାଇବାକୁ ଲୁଟୁଛନ୍ତି ନାବାଳକ ଗ୍ୟାଙ୍ଗ୍‌

କଟକ: ବିଡ଼ାନାସୀ ଅଞ୍ଚଳରେ ସିରିଜ୍ କ୍ୟାବିନ୍ ଚୋରି କମିସନରେଟ୍ ପାଇଁ ଯେତିକି ଚିନ୍ତାଜନକ ନୁହେଁ, ଏହି ଲୁଟ୍‌ରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ନାବାଳକ ହୋଇଥିବାରୁ ଏହା ପୁଲିସ ପାଇଁ ଅଧିକ ଚିନ୍ତାଜନକ ହେଲାଣି। ଗଲା ୮ ମାସ ଭିତରେ ସମାନ ଧରଣର ଯେଉଁ ୬ଟି କ୍ୟାବିନ୍ ଚୋରି ଘଟଣା ସାମନାକୁ ଆସିଛି, ଏଥିରେ ସ୍କୁଲ ଛାତ୍ରଙ୍କ ସମ୍ପୃକ୍ତି ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସ୍କୁଲ୍ ବନ୍ଦ ଥିବା ବେଳେ ନିଶା ଖାଇବାକୁ ଏଭଳି ଲୁଟ୍ କରୁଥିବା କୁହାଯାଉଛି। ବସ୍ତି ଅଞ୍ଚଳରେ ରହୁଥିବା ନାବାଳକ ମୁଖ୍ୟତଃ ଏ ପ୍ରକାର ଅପରାଧରେ ସାମିଲ ହେଉଛନ୍ତି। ଗଲା ୨୭ ତାରିଖରେ ବିଡ଼ାନାସୀ ନୂଆସାହିରେ ସମାନ ଧରଣର ଅପରାଧ ଘଟିବା ପରେ ପୁଲିସ ଏବେ ନାବାଳକ ଦୁର୍ବୃତ୍ତଙ୍କୁ ଠାବ କରିବାକୁ ତନାଘନା ଆରମ୍ଭ କରିଦେଇଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ନାବାଳକ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇସାରିଲେଣି।

ସୂଚନା ଅନୁଯାୟୀ,  କରୋନା କାଳରେ ନାବାଳକ ଲୁଟେରାଙ୍କ ଟାର୍ଗେଟରେ ରହୁଛି ଶୂନ୍‌ଶାନ୍‌ ସ୍ଥାନରେ ଥିବା କ୍ୟାବିନ୍‌। କ୍ୟାବିନ୍‌ରେ କରୋନା ସମୟରେ କେହି ଦୋକାନୀ ରହୁ ନ ଥିବା ବେଳେ ତାଲା ପକାଇ ଘରକୁ ପଳାଉଛନ୍ତି। ସାଧାରଣତଃ କ୍ୟାବିନରେ ଗୋଟିଏ ତାଲା ପଡ଼ୁଥିବାରୁ ଏହି ମଉକାରେ ନାବାଳକ ଦୁର୍ବୃତ୍ତମାନେ କ୍ୟାବିନ୍ ତାଲା ଭାଙ୍ଗି ଲୁଟ୍ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଗୋଟିଏ ପଟେ ପରିବାରର ଆର୍ଥିକ ସମସ୍ୟା ଥିବା‌ ସାଙ୍ଗକୁ ସ୍କୁଲ ଛୁଟି ଥିବାରୁ ନିଶା ଖାଇବାକୁ ନାବାଳକମାନେ କ୍ୟାବିନ୍ ଚୋରି ଗ୍ୟାଙ୍ଗ୍‌ରେ ସାମିଲ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ୨୦୨୦ ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ଚହଟା ଶିବ ମନ୍ଦିର ଅଞ୍ଚଳରୁ ତ୍ରିଲୋଚନ ବେହେରାଙ୍କ କ୍ୟାବିନ୍‌ ତାଡ଼ି ଲୁଟିଥିଲେ। କରୋନା ସମୟରେ ସହରର ପ୍ରଥମେ କ୍ୟାବିନ୍ ତାଡ଼ି ଲୁଟ୍ ଘଟଣା ପୁରୀଘାଟ ଅଞ୍ଚଳରେ ଘଟିଥିଲା। ପୁରୀଘାଟ ଆଇନକ୍ସ ସିନେମା ହଲ୍‌ ସାମନାରେ ଥିବା ନାଲୁ ପ୍ରସାଦଙ୍କ ଏକ କ୍ୟାବିନରୁ ୧୬ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ଏହି ମାମଲାରେ ଅକ୍ଟୋବର ୮ ତାରିଖରେ ମଠସାହିର ମଣ୍ଟୁ ନାଏକକୁ ପୁଲିସ ଗିରଫ କରିଥିଲା।

ସେପ୍ଟେମ୍ବର ୨୩ ତାରିଖରେ ସତୀଚଉରାରେ ଥିବା ତୁଳସୀପୁର ପୁଲିସ କଲୋନିର ଅମରେଶ ସ୍ବାଇଁଙ୍କ ଏକ କ୍ୟାବିନରୁ ପ୍ରାୟ ୧୦ ହଜାର ଟଙ୍କାର ସାମଗ୍ରୀ ଚୋରି କରିନେଇଥିଲେ। ଏହି ମାମଲାରେ ଝାଞ୍ଜିରୀମଙ୍ଗଳା ଓ ବାମ୍ଫିସାହିର ଜଣେ ସପ୍ତମ ଓ ଦୁଇଜଣ ଅଷ୍ଟମ ଶ୍ରେମୀ ସ୍କୁଲ ଛାତ୍ର ଅକ୍ଟୋବର ୨୩ ତାରିଖରେ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ୫ ହଜାର ଟଙ୍କା ଜବତ ହୋଇଥିଲା। ଅକ୍ଟୋବର ୧୦ ତାରିଖରେ ବିଡ଼ାନାସୀ ପୁଲିସ କଲୋନିସ୍ଥିତ ସିଗନାଲ ଅଫିସ ନିକଟରେ ଥିବା ଦେଉଳସାହିର ଅଭୟ ଚରଣ ସାହୁଙ୍କ କ୍ୟାବିନ୍ ତାଲା ଭାଙ୍ଗି ୨୪ ହଜାର ଟଙ୍କା ସମେତ ଫ୍ୟାନ୍, ସିଗାରେଟ, କେକ୍‌ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଚୋରି ହୋଇଥିଲା। ଏହି ମାମଲାରେ ୧୨ ତାରିଖରେ ତଅଁଳା ସାହିର ୩ ଜଣ ନାବାଳକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୨୪ ହଜାର ଟଙ୍କା ସମେତ ୧୦ ହଜାର ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଥିଲା।

ଅକ୍ଟୋବର ୧୫ ତାରିଖରେ ବିଡ଼ାନାସୀ ମଣ୍ଟେଶ୍ବରୀ ଗଡ଼ା ନିକଟରେ ଥିବା ନୂଆସାହିର ବିଜୟ କୁମାର ରାଉତରାୟଙ୍କ ଏକ କ୍ୟାବିନ୍ ତାଡ଼ି ୪ ହଜାର ଟଙ୍କା ଲୁଟ ହୋଇଥିଲା। ଅକ୍ଟୋବର ୨୮ ତାରିଖରେ ଚହଟା ଶିବମନ୍ଦିର ନିକଟରେ ଥିବା ଏକ କ୍ୟାବିନ୍ ତାଡ଼ି ଲୁଟିଛନ୍ତି। କ୍ୟାବିନରେ ଥିବା ନଗଦ ୨ ହଜାର ଟଙ୍କା ସମେତ ପାନ, ବିଡ଼ି, ସିଗାରେଟ୍, ଚକଲେଟ୍ ଦୁର୍ବୃତ୍ତ ଲୁଟି ନେଇଥିଲେ। ବିଡ଼ାନାସୀ ନୂଆସାହିରେ ଗଲା ୨୭ ତାରିଖରେ ବାସୁଦେବ ବେହେରାଙ୍କ କ୍ୟାବିନ୍‌ରୁ ଚୋରି ହୋଇଛି। ଏହି ନାବାଳକ ଦୁର୍ବୃତ୍ତ ବିଡ଼ାନାସୀ ବନ୍ଧ କଡ଼ ବସ୍ତି, ତୁଳସୀପୁର ବସ୍ତି, ସତୀଚଉରା ନିକଟ ବସ୍ତିରେ ରହୁଛନ୍ତି। ଏମାନେ କମ୍ ବୟସରେ ନିଶା ସେବନ କରୁଥିବା ବେଳେ ନିଶା ପାଇଁ ଏଭଳି ଲୁଟରେ ସମ୍ପୃକ୍ତ ରହୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର