କଟକ: ରଥଯାତ୍ରାରେ ପୁରୀ ଠାରେ ୧୦ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇବେ କଟକର ଦୁଇ ଭଉଣୀ ବିଜୟଲକ୍ଷ୍ମୀ ମହାରଣା(ଚିଙ୍କି) ଓ ବିଦ୍ୟାଲକ୍ଷ୍ମୀ ମହାରଣା(ଲିଙ୍କି)। ଦୁଇ ବର୍ଷ ପରେ ରଥଯାତ୍ରା ପୂର୍ବ ପରି ହେବାକୁ ଯାଉଥିବା ବେଳେ ଭକ୍ତଙ୍କ ସମାଗମକୁ ନଜରରେ ରଖି ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦୁଇ ଭଉଣୀ କରିଛନ୍ତି ନିଆରା ଉଦ୍ୟମ। ତେବେ କୋଭିଡ଼ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ବେଶ ଚର୍ଚ୍ଚାରେ ରହିଥିଲେ ଏହି ଦୁଇ ଭଉଣୀ। କଟକ ସିଡ଼ିଏ ସେକ୍ଟର-୯ରେ ବାସ କରୁଥିବା ବିଜୟ ମହାରଣା ଓ ପୁଷ୍ପଲତା ମହାରଣାଙ୍କ ଝିଅ ହେଉଛନ୍ତି ବିଜୟଲକ୍ଷ୍ମୀ ମହାରଣା(୨୨) ଓ ବିଦ୍ୟାଲକ୍ଷ୍ମୀ ମହାରଣା(୧୮)। ଯୁକ୍ତ ଦୁଇ ଯାଏଁ ପଢିଥିବା ବିଜୟଲକ୍ଷ୍ମୀ ଜଣେ ଅଭିନେତ୍ରୀ। ସେହିପରି ବିଦ୍ୟାଲକ୍ଷ୍ମୀ ଖ୍ରୀଷ୍ଟ କଲେଜର ଯୁକ୍ତ ତିନି କଳାର ଛାତ୍ରୀ। ସେ ବି ଜଣେ କଣ୍ଠଶିଳ୍ପୀ। ଆଜିକୁ ୮ ବର୍ଷ ହେବ ସେମାନେ ଅସହାୟ ଲୋକଙ୍କୁ ଯୋଗାଉଛନ୍ତି ଖାଦ୍ୟ। ପ୍ରଥମେ ସେମାନେ ନିଜ ସଞ୍ଚୟ ଅର୍ଥରୁ ଲୋକଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କରିଥିଲେ। ପରେ ଦୁଇ ଝିଅଙ୍କ ଏପରି ନିଆରା ଉଦ୍ୟମ ଦେଖି ବାପା ବିଜୟ ମହାରଣା ମଧ୍ୟ ଦୁଇ ଝିଅଙ୍କୁ ସାହାଯ୍ୟ କରିଥିଲେ।
କୋଭିଡ଼ ସମୟରେ ପୁରା ପରିବାର ସହରର ବିଭିନ୍ନ ଅଞ୍ଚଳ ବୁଲି ପ୍ରତ୍ୟେକ ଦିନ ୪ଶହ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ। ତାଙ୍କର ମା’ ଓ ମାମୁଁ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏବେ ରଥଯାତ୍ରାଯେ ୧୦ ହଜାରରୁ ଅଧିକ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସେମାନେ ପୁରୀ ଜିଲ୍ଲା ପ୍ରଶାସନଠାରୁ ଅନୁମତି ବି ଆଣି ସାରିଛନ୍ତି। ପୁରୀ ସୁଭାଷ ବୋଷ ଛକରେ ସେମାନେ ଭକ୍ତଙ୍କୁ ଏହି ସେବା ଯୋଗାଇବେ। ଏଥି ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ୧୦ ହଜାର ଲୋକଙ୍କ ପାଇଁ ସେମାନେ ଅରୁଆ ଭାତ, ଡ଼ାଲମା, ଖଟା, ପାଣି ବୋତଲ ଓ ବିସ୍କୁଟ ବ୍ୟବସ୍ଥା କରିଛନ୍ତି। ଏପରି ନିଆରା କାର୍ଯ୍ୟ ପାଇଁ କିଛି ବ୍ୟକ୍ତି ବି ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି। ବିଜୟଲକ୍ଷ୍ମୀ କହିଛନ୍ତି ଯେ ଲୋକଙ୍କ ସେବା କରିବାରେ ତାଙ୍କୁ ଭଲ ଲାଗେ। ପ୍ରଥମଥର କରି ଏପରି ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେବା ପରେ ଏଥିପାଇଁ ମନରେ ଡ଼ର ରହିଛି ହେଲେ ଉତ୍ସାହିତ ଅଛୁ। କିପରି ଭାବେ ଭକ୍ତ ଠିକ ଭାବେ ଏହି ସେବା ଲାଭ କରିବେ ସେହି ଚିନ୍ତା ରହିଛି। ୩୦ ତାରିଖରୁ ପୁରୀରେ ପହଞ୍ଚି ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି ବିଜୟଲକ୍ଷ୍ମୀ। ସେହିପରି ବିଦ୍ୟାଲକ୍ଷ୍ମୀ କହିଛନ୍ତି ଯେ, ଏପରି ନିଆରା କାର୍ଯ୍ୟ କରି ଲୋକଙ୍କ ସେବାରେ ଆମେ ଦୁଇ ଭଉଣୀ ଆସି ପାରୁଛୁ ସେଥିପାଇଁ ଆମେ ଗର୍ବିତ। ଆଗକୁ ମଧ୍ୟ ଏପରି ନିଆରା କାର୍ଯ୍ୟ ଜାରି ରଖିବୁ।