କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ନିର୍ବାଚନ, ସଂଜୟଙ୍କ ବ୍ୟତୀତ ବିଜେଡି ପ୍ୟାନେଲ୍‌ର ସମସ୍ତେ ବିଜୟୀ

୧୫ ନିର୍ଦ୍ଦେଶକରୁ ୧୪ରେ ବିଜେଡି ବିଜୟୀ

କଟକ: କଟକ ଅର୍ବାନ୍‌ ବ୍ୟାଙ୍କ ନିର୍ବାଚନ ରୋଚକ ଫଳାଫଳ ଆଣିଛି। ସମସ୍ତ ୧୫ଟି ଆସନରେ ଜିତିବ ବୋଲି ବିଜେଡି ଆକଳନ କରୁଥିବା ବେଳେ ୨ ନଂ. ଜୋନ୍‌ରୁ ପ୍ରାର୍ଥୀ ହୋଇଥିବା ଦଳର ସଂଜୟ ଜେନାଙ୍କୁ ଛାଡ଼ି ଅନ୍ୟମାନେ ବିଜୟୀ ହୋଇଛନ୍ତି। ସଂଜୟଙ୍କ ପରାଜୟ ଦଳକୁ ବ୍ୟାକ୍‌ଫୁଟ୍‌କୁ ନେଇଛି। ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳଙ୍କ ମଳାଶୁର ସଂଜୟଙ୍କୁ ପ୍ରାର୍ଥୀ କରାଯିବା ସମୟରୁ ଦଳ ଭିତରେ ତାଙ୍କ ପ୍ରାର୍ଥିତ୍ବକୁ ଘଣ୍ଟାଚକଟା ଚାଲିଥିଲା। ପୂର୍ବରୁ କଂଗ୍ରେସ ଓ ବିଜେପିରେ ରହି ଶେଷ ମୁହୂର୍ତ୍ତରେ ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇଥିବାରୁ ସଂଜୟଙ୍କ ପ୍ରାର୍ଥିତ୍ବକୁ ନେଇ ଅନେକଙ୍କ ଭ୍ରୁକୁଞ୍ଚନ ହୋଇଥିଲା। ତାଙ୍କ ବିଜୟ ଓ ପରାଜୟ ଉପରେ ସମସ୍ତଙ୍କ ନଜର ରହିଥିଲା। ଶେଷରେ, ଆଜିର ଫଳାଫଳରେ ସଂଜୟ ପରାଜିତ ହୋଇଥିବା ବେଳେ ବିଜେଡି ୧୫ରୁ ୧୫ ଆସନ ଜିତିବା ପାଇଁ କରିଥିବା ଆକଳନ ବି ଫେଲ୍‌ ମାରିଛି। ଅର୍ବାନ୍‌ ବ୍ୟାଙ୍କ ନିର୍ବାଚନରେ ଆଜି ବିଜେଡି ପ୍ୟାନେଲ୍‌ର ପ୍ରାର୍ଥୀମାନେ ବାଜିମାତ୍‌ କରିଛନ୍ତି। ୧୧ଟି ନିର୍ଦ୍ଦେଶକ ପଦ ପାଇଁ ହୋଇଥିବା ନିର୍ବାଚନରେ କେବଳ ୨ ନମ୍ବର ଜୋନ୍‌ରେ ବିଜେଡିର ସଂଜୟ ଜେନା ପରାଜିତ ହୋଇଛନ୍ତି। ଶ୍ରୀ ଜେନା ୨୪ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଅନ୍ୟ ୧୦ଟି ଆସନରେ ଦଳୀୟ ନିର୍ଦ୍ଦେଶକମାନେ ବିଜୟୀ ହୋଇଛନ୍ତି। ପୂର୍ବରୁ ୪ଟି ଆସନରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିଲେ। ବର୍ତ୍ତମାନର ଫଳାଫଳ ଅନୁସାରେ ୧୫ଟି ନିର୍ଦ୍ଦେଶକ ପଦରୁ ୧୪ଟି ବିଜେଡି ହାତରେ ରହିଛି। ୧ ନମ୍ବର ଜୋନ୍‌ରୁ ବିଜେଡି ସମର୍ଥିତ ଇମ୍ରାନ୍‌ ଖାନ୍‌ ୧୦୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ୨ରୁ ବିଜେଡି ସମର୍ଥିତ ସଞ୍ଜୟ କୁମାର ଜେନା ୨୪ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ଏହି ଜୋନ୍‌ରୁ ସୁରେନ୍ଦ୍ର କୁମାର ଦାସ ୮୯ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।

୩ ନମ୍ବର ଜୋନ୍‌ରୁ ବିଜେଡି ସମର୍ଥିତ ନୀଳମଣି କର ୧୧୬ଖଣ୍ଡ, ୪ରୁ ବିଜେଡି ସମର୍ଥିତ ପୂର୍ବତନ କର୍ପୋରେଟର୍‌ ରଞ୍ଜିତା କାହାଳୀ ୧୬୨ ଖଣ୍ଡ, ୫ନମ୍ବର ଜୋନ୍‌ରୁ ବିଜେଡି ସମର୍ଥିତ ସୌମ୍ୟଦ୍ବୀପ ଘୋଷ ୯୪ଖଣ୍ଡ, ୬ରୁ ବିଜେଡି ସମର୍ଥିତ ପ୍ରମୋଦ କୁମାର ଦାସ ୮୯ଖଣ୍ଡ, ୭ରୁ ବିଜେଡି ସମର୍ଥିତ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ୪୨ଖଣ୍ଡ, ୧୨ରୁ ବିଜେଡି ସମର୍ଥିତ ପୂର୍ବତନ କର୍ପୋରେଟର୍‌ ନବକିଶୋର ସ୍ବାଇଁ ୧୨୯ଖଣ୍ଡ, ୧୩ରୁ ଧର୍ମେଶ ନାୟକ ୧୫୪ ଖଣ୍ଡ, ୧୪ ରୁ ପୂର୍ବତନ ନିର୍ଦ୍ଦେଶକ ବିଜେଡି ସମର୍ଥିତ ପ୍ରଫୁଲ୍ଲ କୁମାର ମହାପାତ୍ର ୧୧୪ଖଣ୍ଡ ଓ ୧୫ ନମ୍ବର ଜୋନ୍‌ରୁ ବିଜେଡି ସମର୍ଥିତ ପୂର୍ବତନ ନିର୍ଦ୍ଦେଶକ ଲାଲା ପ୍ରତାପ ରାୟ ୧୨୩ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ତେବେ ସବୁଠାରୁ ଉଦ୍‌ବେଗଜନକ ଘଟଣା ଯେ, ଆଜି ଭୋଟିଂ ହାର ମାତ୍ର ୫ ପ୍ରତିଶତ ରହିଛି। ୪୨ହଜାର ୮୨ ଭୋଟରଙ୍କ ମଧ୍ୟରୁ ମାତ୍ର ୨ହଜାର ୧୦୯ ଜଣ ଭୋଟ୍‌ ଦେଇଥିବା ଜଣାପଡିଛି। ୩୯ହଜାର ୯୭୩ଜଣ ଭୋଟର କାହିଁକି ଭୋଟ୍‌ଦାନରୁ ବିରତ ରହିଲେ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା। ଆଜିର ନିର୍ବାଚନ ଓ ଫଳାଫଳ ଘୋଷଣା ପରେ କିଏ ବ୍ୟାଙ୍କ ସଭାପତି ଆସନରେ ବସିବେ ତାକୁ ନେଇ ଚର୍ଚ୍ଚା ଓ ଲବି ଆରମ୍ଭ ହୋଇଛି। ଅନ୍ୟପଟେ ଅର୍ବାନ ବ୍ୟାଙ୍କର ୧୫ଟି ନିର୍ଦ୍ଦେଶକ ପଦ ମଧ୍ୟରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୪ଟି ଜୋନ୍‌ର ନିର୍ଦ୍ଦେଶକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୧୦ ନମ୍ବର ଜୋନ୍‌ରୁ ପୂର୍ବତନ ବ୍ୟାଙ୍କ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ୧୧ ନମ୍ବର ଜୋନରୁ ସଙ୍ଗୀତା ଦାସ, ୮ ନମ୍ବରରୁ ବିଶ୍ବରଞ୍ଜନ ଘଡେଇ, ୯ନମ୍ବରରୁ ପୂର୍ବତନ ନିର୍ଦ୍ଦେଶକ ତଥା କର୍ପୋରେଟର୍‌ ପ୍ରମିଳା ମହାନ୍ତି ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର