ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗର ତଦନ୍ତ କଲେ ଉଷା ଦେବୀ

‘ମୁଖ୍ୟମନ୍ତ୍ରୀ ଫେରିଲେ ରିପୋର୍ଟ ଦେବି’

କଟକ/ମାହାଙ୍ଗା,ନିଶ୍ଚିନ୍ତକୋଇଲି/ସାଲେପୁର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳୀୟ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କରିଥିବା ଅଭିଯୋଗର ତଦନ୍ତ କରିଛନ୍ତି କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଉଷା ଦେବୀ। ଆଜି ଉଷା ଦେବୀ ମାହାଙ୍ଗା ନିର୍ବାଚନମଣ୍ଡଳୀର ମାହାଙ୍ଗା, ନିଶ୍ଚିନ୍ତକୋଇଲି ଓ ସାଲେପୁରରେ ଦଳୀୟ କର୍ମୀଙ୍କୁ ସାକ୍ଷାତ କରିଥିଲେ। କର୍ମୀମାନଙ୍କୁ ଜଣ ଜଣ କରି ଡାକି ରୁଦ୍ଧଦ୍ୱାର ବୈଠକରେ ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ତଦନ୍ତ ସାରି ଫେରିବା ପରେ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ‘‘ମୁଁ କର୍ମୀମାନଙ୍କ ଠାରୁ ମତାମତ ନେଇଛି, ମୁଖ୍ୟମନ୍ତ୍ରୀ ଫେରିଲେ ରିପୋର୍ଟ ଦେବି’’ ବୋଲି କହିଛନ୍ତି।

ପ୍ରଥମେ ମନ୍ତ୍ରୀ ଉଷା ଦେବୀ ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଗୌଡପଡ଼ା ଡାକବଙ୍ଗଳାରେ ନିର୍ବାଚିତ ଦଳୀୟ ଜନପ୍ରତିନିଧି ଓ କର୍ମୀଙ୍କୁ ସାକ୍ଷାତ କରି ମତ ସଂଗ୍ରହ କରିଥିଲେ। ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ମାହାଙ୍ଗା ବ୍ଲକ୍‌ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀରାମ ପାଣ୍ଡେ, ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଦଳୀୟ ସରପଞ୍ଚ, ସମିତି ସଭ୍ୟ ଏବଂ କର୍ମୀଙ୍କୁ ଭେଟିଥିଲେ। ଏହାପରେ ମନ୍ତ୍ରୀ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଦଳୀୟ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ।

ସୁକରପଡା ଡାକବଙ୍ଗଳାରେ ବିଜେଡି ବ୍ଲକ୍‌ ସଭାପତି ରମାକାନ୍ତ ମହାନ୍ତି, ବ୍ଲକ୍‌ ଅଧ୍ୟକ୍ଷା ସବିତା ଓଝା, ଉପାଧ୍ୟକ୍ଷା ସବିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସବିତା ସାମଲ, ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ଗିରୀଶ୍‌ ରଂଜନ ମହାପାତ୍ର, ପୂର୍ବତନ ଯୁବ ବିଜେଡି ସଭାପତି ଅଶୋକ ଓଝା, ବ୍ଲକ୍‌ ଯୁବ ବିଜେଡି ସଭାପତି ମିହିର କୁମାର ମିଶ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବରିଷ୍ଠ କର୍ମୀଙ୍କର ସେ ମତ ନେଇଥିଲେ। ଅଞ୍ଚଳରୁ ସର୍ବାଧିକ ଭୋଟ ପାଇ ମଧ୍ୟ ସାଂସଦ ଦଳୀୟ କର୍ମୀଙ୍କୁ ଉପେକ୍ଷା କରିବା ସହ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଧରି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଶେଷରେ ସାଲେପୁର ଶିଶୁଆ ଡାକବଙ୍ଗଳାରେ ପହଞ୍ଚିଥିଲେ ମନ୍ତ୍ରୀ ଉଷା ଦେବୀ। ମନ୍ତ୍ରୀ ଏକ ରୁଦ୍ଧଦ୍ୱାର କୋଠରୀ ମଧ୍ୟରେ ପଞ୍ଚାୟତସ୍ତରୀୟ ଦଳୀୟ କର୍ମୀମାନଙ୍କୁ ଜଣ ଜଣ କରି ଡାକି ମତାମତ ନେଇଥିଲେ। ଏହି ରୁଦ୍ଧଦ୍ୱାର ବୈଠକରେ କଟକ ଜିଲ୍ଲାପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ଜିଲ୍ଲାପରିଷଦ ସଭାପତି ଜ୍ୟୋତିରେଖା ନାୟକ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର