କଟକିଆଙ୍କୁ ଟିକା ଯନ୍ତ୍ରଣା, ଆସୁନି ପର୍ଯ୍ୟାପ୍ତ ଟିକା

୧୮ରୁ ୪୪ବର୍ଷ ବର୍ଗଙ୍କ ପାଇଁ ଆସିଲା ୭୭ହଜାର ଟିକା; ୪୫ରୁ ଅଧିକ ବୟସ ବର୍ଗଙ୍କ ପାଇଁ ମାତ୍ର ୧୪ହଜାର

କଟକ:  କଟକିଆଙ୍କୁ କେବେ ମିଳିବ ଟିକା ଯନ୍ତ୍ରଣାରୁ ମୁକ୍ତି? ଆସୁନି ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଟିକା। ଯେତିକି ଆସୁଛି ତା’ ସମୁଦ୍ରକୁ ଶଙ୍ଖେ। ଜିଲ୍ଲାକୁ ରବିବାର ୧୮ରୁ ୪୪ବର୍ଷ ବର୍ଗ (କେବଳ ସିଏମ୍‌ସିରେ ଅଞ୍ଚଳରେ ଟିକାକରଣ ହେଉଛି) ପାଇଁ ୭୭ହଜାର ଟିକା ଆସିଛି। ଏଥିସହ ଜିଲ୍ଲାର ୪୫ରୁ ଅଧିକ ବୟସ ବର୍ଗଙ୍କ ପାଇଁ ମାତ୍ର ୧୪ହଜାର ଟିକା ଆସିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ଯା’ ଫଳରେ ନିଅଣ୍ଟିଆ ଟିକାକୁ ନେଇ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ବ୍ୟବସ୍ଥା କରୁଥିବା ଜଣାପଡିଛି। ସୋମବାର ସିଏମ୍‌ସିର ୧୬ରୁ ଅଧିକ କେନ୍ଦ୍ରରେ ସ୍ଲଟ୍‌ ବୁକିଂ କରିଥିବା ୧୮ରୁ ୪୪ବୟସବର୍ଗ ତଥା ସହର ଓ ଗ୍ରାମାଞ୍ଚଳର ପାଖ‌ାପାଖି ୩୦ଟି କେନ୍ଦ୍ରରେ ୪୫ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଟିକାଦାନ କାର୍ଯ୍ୟକ୍ରମ କରାଯାଇଛି। କିନ୍ତୁ କେଉଁ କେନ୍ଦ୍ରକୁ କେତେ ଟିକା ଯିବ ସେ ସଂପର୍କରେ ରିପୋର୍ଟ ସକାଳ ସୁଦ୍ଧା ପ୍ରସ୍ତୁତ କରାଯାଇ ଟିକା କେନ୍ଦ୍ରଗୁଡିକୁ ଟିକା ପଠାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, କଟକ ଜିଲ୍ଲାରେ ଟିକା ଅଭାବ  ପାଇଁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଥିବାବେଳେ ଅସନ୍ତୋଷ ମଧ୍ୟ ବଢ଼ିଚାଲିଛି। ପ୍ରତିଦିନ ୧୫ହଜାର ଟିକାର ଆବଶ୍ୟକତା ରହିଥିବାବେଳେ ଆଜି ଆସିଛି ୧୪ହଜାର ଟିକା। ଏଭଳି ସ୍ଥିତିରେ ଟିକାର ସୁନିୟନ୍ତ୍ରିତ ବ୍ୟବସ୍ଥା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ସିଏମ୍‌ସି ପକ୍ଷରୁ କରାଯାଇଥିବା ୧୮ରୁ ୪୪ବର୍ଷ ବର୍ଗଙ୍କ ପାଇଁ ଆଜି ସୁଦ୍ଧା ୧୧ହଜାର ୪୦୭ଜଣ ଟିକା ନେଇଥିବାବେଳେ ସ୍ଲଟ୍‌ ମଧ୍ୟ ୫/୬ଦିନ ପାଇଁ ବୁକିଂ ସରିଥିବା ଜଣାପଡ଼ିଛି। ସେହିପରି ୪୫ବର୍ଷରୁ ଅଧିକ ବୟସ ବର୍ଗ ପାଇଁ ମାତ୍ର ୧୪ହଜାର ଟିକା ଆସିଥିବାବେଳେ ସହର ଓ ଗ୍ରାମାଞ୍ଚଳର ୩୦ରୁ ଅଧିକ କେନ୍ଦ୍ରରେ ଏହି ଟିକାଦାନ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। ତେବେ ଦ୍ବିତୀୟ ଡୋଜ୍‌ ଅବଧି ବୃଦ୍ଧି ପରେ ଏବେ ପ୍ରଥମ ଡୋଜ୍‌ ଟିକାକରଣ ଅଭିଯାନକୁ ପ୍ରଶାସନ ଅଧିକ ପ୍ରାଥମିକତା‌ ଦେ‌ବ ବୋଲି ଜଣାପଡ଼ିଛି। କିନ୍ତୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ‘ଡ୍ରାଇଭ୍‌ ରନ୍‌’ ମାଧ୍ୟମରେ ଯିଏ ବି ଗାଡ଼ିରେ ଆସିଲା ତାଙ୍କୁ ଗାଡ଼ି ଭିତରେ ବସିଥିବା ଅବସ୍ଥାରେ ଟିକା ଦିଆଯାଉଥିବାରୁ ଅଧିକ ଭିଡ଼ ହେଉନି କି ଲୋକଙ୍କୁ ସମସ୍ୟା ଦେଖାଯାଉନି। କିନ୍ତୁ କଟକରେ ଏହି ଡ୍ରାଇଭ୍‌ ରନ୍‌ ପାଇଁ ପ୍ରଶାସନ ଯଦିଓ ଯୋଜନା କରୁଛି କିନ୍ତୁ ତା’ ମଧ୍ୟ ହୋଇପାରୁନି।

ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ଅଭିଯାନ ମଧ୍ୟ କଟକରେ ବିଫଳ ହୋଇଛି। କେବେ କଟକିଆଙ୍କୁ ଟିକା ଯନ୍ତ୍ରଣାରୁ ମୁକ୍ତି ମିଳିବ ତାକୁ ନେଇ ବିଭିନ୍ନ ସଂଗଠନ ଏବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କଲେଣି। ‌କେବଳ ସେତିକି ନୁହେଁ, ଯଦି ଭୁବନେଶ୍ବର ପାଇଁ ଏତେ ଯୋଜନା ହୋଇପାରୁଛି କଟକକୁ କଡ଼ଣ ପାଇଁ ସରକାର ଟିକା ଯୋଗାଣ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନେକ ସଙ୍ଗଠନ। ଆଗାମୀ ଦିନରେ ଟିକା ଯନ୍ତ୍ରଣାକୁ ନେଇ କଟକରେ ପୁଞ୍ଜିଭୂତ ହେଉଥିବା ଅସନ୍ତୋଷ ବଡ଼ଧରଣର ରୂପ ନେବାକୁ ଯାଉଥିବା ଆଶଙ୍କା ଜଳଜଳ ଦେଖା‌ଯାଉଛି। କଟକର ଜନପ୍ରତିନିଧିମାନେ ଉଦ୍ୟମ କରି କଟକକୁ ଅଧିକ ଟିକା ଯୋଗାଣ ଓ ଟିକା ବ୍ୟବସ୍ଥାର ସୁନିୟନ୍ତ୍ରଣ ପାଇଁ ସ୍ବର ଉଠାନ୍ତୁ ବୋଲି ବିଭିନ୍ନ ସଂଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର