କଟକ: ଧାର୍ମମାସ ଭାବେ ପରିଚିତ କାର୍ତ୍ତିକ ମାସରେ ଏବେ ପରିବା ଦର ଆକାଶଛୁଆଁ। ଲୋକେ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ବେଳେ ପନି ପରିବାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ମାତ୍ର ଏବେ ଆଳୁଠାରୁ କଞ୍ଚା ପରିବା ଦରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି। ଆଳୁ ଦର କେଜି ପିଛା ଖୁଚୁରାରେ ୪୦ରୁ ୪୫ଟଙ୍କା ଥିବାବେଳେ ପିଆଜ ୬୦ରୁ ୭୦ଟଙ୍କା ମଧ୍ୟରେ ରହିଛି। ଆଗକୁ ଆହୁରି ଗୋଟିଏ ମାସରୁ ଅଧିକ ଦିନ ଧରି ଆଳୁ, ପିଆଜର ଦର ଉଚ୍ଛା ରହିବା ସହିତ କଞ୍ଚା ପରିବା ଦର ଆସନ୍ତା ୨୦ ଦିନ ମଧ୍ୟରେ କମିବାର ଆଶା ନଥିବା ସୂଚନା ମିଳିଛି।
ସର୍ବବୃହତ ପରିବା ମାର୍କେଟ ଛତ୍ରବଜାର ହୋଲସେଲ୍ରେ ପିଆଜ ୪୦ କେଜି ବସ୍ତା ପ୍ରତି ଦର ୧୯ଶହରୁ ୨ହଜାର ଟଙ୍କା ରହିଛି। ସେହିପରି ଆଳୁର ୫୦ କିଲୋ ବସ୍ତା ପ୍ରତି ଦର ୧୭ଶହରୁ ୧୮ ଶହ ଟଙ୍କା ରହିଛି। ଅନ୍ୟପଟେ କଞ୍ଚା ପରିବା ଦର ମଧ୍ୟ ଲୋକଙ୍କ ପକେଟକୁ ଖାଲି କରିବାରେ ଲାଗିଛି। ବିନ୍ସ କିଲୋ ପିଛା ୬୦ରୁ ୭୦ ଟଙ୍କା ଥିବାବେଳେ ସଜନା ଛୁଇ କିଲୋ ପିଛା ୧୨୦ ଟଙ୍କା, କଲରା ୫୦ରୁ ୬୦, ପୋଟଳ ୫୦ରୁ ୬୦, ବାଇଗଣ ୫୦ରୁ ୪୦, କାକୁଡ଼ି ୪୦ଟଙ୍କା, କଖାରୁ ଓ ବିଲାତି ୩୦ ଟଙ୍କା ରହିଛି। ସେହିପରି ଜହ୍ନି, ଭେଣ୍ଡି ଓ ଝୁଡଙ୍ଗ କେଜି ପିଛା ୩୦ରୁ ୫୦ ଟଙ୍କା ଓ ବନ୍ତଳ କଦଳୀ ଗୋଟା ପ୍ରତି ଦର ୬ରୁ ୧୨ ଟଙ୍କା ମଧ୍ୟରେ ରହିଛି।
ଆଳୁ, ପିଆଜ ଓ ପରିବା ଦରକୁ ଦେଖି ପୂର୍ବରୁ କିଲେ କିଣୁଥିବା ଗ୍ରାହକ ଏବେ ଅଧାକିଲୋ କଣିବା ପାଇଁ ୪ଥର ଚିନ୍ତା କରୁଛି। ପରିବା ଦର ଲୋକଙ୍କ ମାସିକିଆ ବଜେଟ ଉପରେ ଭାରି ପଡୁଥିବା ବେଳେ ପ୍ରତିଦିନ କ’ଣ ତରକାରୀ କରାଯିବ ଏହାକୁ ନେଇ ଚିନ୍ତାରେ ପଡୁଛନ୍ତି ଗୃହିଣୀ। ଆଳୁ ଓ ପିଆଜ ସବୁ ସମୟରେ ଖାଦ୍ୟରେ ଅଧିକ ପରିମାଣ ଆବଶ୍ୟକ ହେଉଥିବାବେଳେ ଏବେ ଆକାଶଛୁଆଁ ଦର ଏହାର ବ୍ୟବହାରକୁ କମାଇ ଦେଇଛି। ନାସିକ୍ ଓ ଇନ୍ଦୋର୍ରୁ ପୁରୁଣା ପିଆଜ ଆସୁଥିବାବେଳେ ପଶ୍ଚିମ ବଙ୍ଗରୁ ପୁରୁଣା ଆଳୁ ଆସୁଛି।
ଅନ୍ୟପଟେ ନୂଆ ଆଳୁ ଓ ପିଆଜ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଆମଦାନୀ ହେବ। ଏହା ମଧ୍ୟରେ ଅଧିକ ଥଣ୍ଡା ପଡ଼ିଲେ ଅମଳ ଭଲ ହେବା ସହିତ ଦର କମିବ ବୋଲି ସୂଚନା ରହିଛି। ଏଥର ଅଦିନିଆ ବର୍ଷା ଯୋଗୁଁ ଆନ୍ଧ୍ର ପ୍ରଦେଶର ପିଆଜ ନଷ୍ଟ ହେବା ସହିତ ପଶ୍ଚିମ ବଙ୍ଗରେ ଆଳୁ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ନୂଆ ଫସଲ ଅମଳ ହେବା ପର୍ଯ୍ୟନ୍ତ ଆସନ୍ତା ଡିସେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଆଳୁ ଓ ପିଆଜର ଧରରେ ବିଶେଷ ଫରକ ଆସିବ ନାହିଁ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/IMG_20201109_213808094603.jpg)