କଟକ ଛତ୍ରବଜାରରେ ପରିବା ସଂକଟ; ରାଞ୍ଚିରୁ କୋବି, ନାସିକରୁ ଆସୁଛି ବିଲାତି

ରାଞ୍ଚିରୁ କମିଲାଣି ପରିବା ଆମଦାନୀ; ବାରମ୍ବାର ସ୍ଥାନ ବଦଳୁଥିବାରୁ ବିକ୍ରି କମୁଛି, ସ୍ଥାୟୀ ସମାଧାନ କର ନଚେତ୍‌ ଆନ୍ଦୋଳନ

କଟକ: ଛତ୍ରବଜାରକୁ କ୍ରମାଗତ ଭାବେ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପରିବା କମି କମି ଆସିଲାଣି। ରାଞ୍ଚିରୁ ଦୈନିକ ୪ରୁ ୫ଗାଡ଼ି କୋବି, ମୂଳା, ଗାଜର, ପୋଟଳ ଆସୁଥିଲା। ଏବେ ଗୋଟିଏ ଗାଡ଼ି ଆସିଲେ ବି ବିକ୍ରି ହେବା କଷ୍ଟକର ହୋଇପଡ଼ୁଛି। ନାସିକ୍‌ରୁ ଯେଉଁ ବିଲାତି ଆସୁଥିଲା ଏବେ ସେଥିରେ ୫୦ ପ୍ରତିଶତ ହ୍ରାସ ପାଇଲାଣି। ଏହାର ପ୍ରମୁଖ କାରଣ ହେଉଛି ଉଠା ବ୍ୟବସାୟୀଙ୍କ ବାରମ୍ବାର ସ୍ଥାନ ପରିବର୍ତ୍ତନ। କରୋନା ସମୟରେ ପ୍ରଥମ ଦଫାରେ ଛତ୍ରବଜାରରୁ ଭିଡ଼ ହଟାଇବା ପାଇଁ ପରିବା ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଏବେ ପୁଣି ରାସ୍ତା ସମ୍ପ୍ରସାରଣ ପାଇଁ…। ନିୟମିତ ଉଠା ପରିବା ବ୍ୟବସାୟୀଙ୍କ ସ୍ଥାନ ପରିବର୍ତ୍ତନ କରାଯାଉଥିବାରୁ ଏହାର ସିଧସଳଖ ପ୍ରଭାବ ବ୍ୟବସାୟ ଉପରେ ପଡ଼ୁଥିବାରୁ ପରିବା ସଂକଟ ଭଳି ସଂଗିନ ସ୍ଥିତି ଉପୁଜିଛି। ଏହାର ସ୍ଥାୟୀ ପ୍ରତିକାର କରିବାକୁ ଉଭୟ ଛତ୍ରବଜାର ଓ ମାଲଗୋଦାମ ବଣିକ ସଂଘ ୧୫ ଦିନର ମହଲତ ଜିଲ୍ଲା ପ୍ରଶାସନକୁ ଦେଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଛତ୍ରବଜାର ଭିତରେ ପାଖାପାଖି ୫୦୦ରୁ ୬୦୦ ଉଠା ପରିବା ବ୍ୟବସାୟୀ ବ୍ୟବସାୟ କରିଆସୁଛନ୍ତି। ଛତ୍ରବଜାରରୁ ପରିବା ମୁଖ୍ୟତଃ ବୟାଳିଶମୌଜା, ଆଠଗଡ଼, ନରସିଂହପୁର, ବିରିଡ଼ି, ବାରଙ୍ଗ, କିଶନନଗର, ବାଙ୍କୀ, ବାଆଁରା, କୋରାପୁଟ, ମାଲକାନଗିରି, ବରଗଡ଼, କେନ୍ଦୁଝର, ଅନୁଗୁଳ, ପୁରୀ ସମେତ ରାଜ୍ୟ ବାହାରୁ ଯେମିତିକି ଛତିଶଗଡ଼, ରାୟପୁର, ନାସିକ, ଇନ୍ଦୋର୍‌, ଆନ୍ଧ୍ରରୁ ପରିବା ଆମଦାନୀ ହୋଇଥାଏ। କିନ୍ତୁ ଉଠା ପରିବା ବ୍ୟବସାୟୀଙ୍କୁ ଗତ ବର୍ଷକ ଭିତରେ ମଧୁପାଟଣା, ଅନ୍ଦରପୁର, ଖାନନଗର, ପିଲିଗ୍ରିମ ରୋଡ୍‌, ବାଦାମବାଡ଼ି, ଖାନନଗର ଇତ୍ୟାଦି ସ୍ଥାନକୁ ନିୟମିତ ସ୍ଥାନାନ୍ତର କରାଗଲାଣି। ବାରମ୍ବାର ଏହି ଉଠା ବ୍ୟବସାୟୀଙ୍କ କାରବାର ଠିକଣା ବଦଳୁଥିବାରୁ ଗ୍ରାହକ ବି ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଗ୍ରାହକ ଦ୍ବନ୍ଦ୍ବରେ ପଡ଼ୁଥିବାରୁ ପରିବା ବିକ୍ରି ହୋଇ ନପାରି ସଢ଼ୁଥିବା ଆଜି ମାଲଗୋଦାମ ଓ ଛତ୍ରବଜାର ବ୍ୟବସାୟୀ ସଂଘ ସିଧାସଳଖ ଅଭିଯୋଗ ଆଣିଛି। ସଂଘର ଦାବି ହେଉଛି, ଯଦି ଏବେ ଛତ୍ରବଜାର ଭିତରେ ରାସ୍ତା ସଂପ୍ରସାରଣ ପାଇଁ ଉଠା ବ୍ୟବସାୟୀ ସେଠାରେ ବିକ୍ରି କରିପାରିବେ ନାହିଁ, ତେବେ ସେମାନଙ୍କୁ ମାଲଗୋଦାମ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍ ନିକଟରେ ଥିବା ଫାଙ୍କା ସ୍ଥାନରେ ଥଇଥାନ କରାଯାଉ।

ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସ୍ଥାନରେ ବିକ୍ରି ଅନୁମତି ମିଳିଲେ ବ୍ୟବସାୟ ଠିକ୍ ଢଂଗରେ ହେବ। କିନ୍ତୁ ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁ ଗ୍ରାହକଙ୍କ ନିକଟରେ ସୂଚନା ପହଞ୍ଚୁ ନଥିବା ବେଳେ ପରିବା ବିକ୍ରି ନହୋଇ ସଢ଼ୁଛି। ପରିବା ସଢ଼ୁଥିବାରୁ ରାଜ୍ୟ ବାହାରୁ ଯେଉଁ ପରିବା ଆମଦାନୀ ହେଉଥିଲା, ଏହାର ପରିମାଣ କ୍ରମାଗତ ଭାବେ କମିବାକୁ ଲାଗିଲାଣି। ତେଣୁ ଆସନ୍ତାକାଲି (ସୋମବାର) ଏ ସଂକ୍ରାନ୍ତରେ ସିଏମ୍‌ସି କମିସନରଙ୍କୁ ଭେଟି ଆଲୋଚନା କରାଯିବ ବୋଲି ମାଲଗୋଦାମ ବଣିକ ସଂଘର ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଏ ସଂକ୍ରାନ୍ତରେ ଆସନ୍ତା ୧୫ ଦିନ ମଧ୍ୟରେ ସ୍ଥାୟୀ ସମାଧାନ ନକଲେ ଛତ୍ରବଜାରରେ ପରିବାର ବଡ଼ ଧରଣର ସଂକଟ ସୃଷ୍ଟି ହେବା ସହିତ ବ୍ୟବସାୟୀମାନେ ରାସ୍ତାକୁ ଓହ୍ଲାଇବା ନେଇ ସଂଘ ଚେତାବନୀ ଦେଇଛି।

ଆଜି ଏହି ପ୍ରସଂଗକୁ ନେଇ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଛତ୍ରବଜାର ଓ ମାଲଗୋଦାମ ବ୍ୟବସାୟୀ ସଂଘ ସମେତ ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘ, ଖୁଚୁରା ବ୍ୟବସାୟୀ ସଂଘ ସାମିଲ ହୋଇଥିଲେ। ବୈଠକରେ ମାଲଗୋଦାମ ବଣିକ ସଂଘର ଯୁଗ୍ମ-ସମ୍ପାଦକ ପ୍ରଶାନ୍ତ ପାତ୍ର, ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘର ସଭାପତି ମଧୁସୂଦନ ରାଉତ, ପୂଜା କମିଟି ସଦସ୍ୟ ସୁନୀଲ ପାତ୍ର, ଖୁଚୁରା ବ୍ୟବସାୟୀ ସଂଘ ସଭାପତି ବିନୋଦ ସାହୁ, ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ରନାଥ ସାହୁ, ସଭାପତି ରମାକାନ୍ତ ସ୍ବାଇଁ, କୋଷାଧ୍ୟକ୍ଷ ପ୍ରଦୀପ୍ତ ପ୍ରଧାନ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର