କଟକ: କଟକ ସହର ରାସ୍ତା ଆଉ ସମତୁଲ ନାହିଁ। ଜାଇକା, ୱାଟ୍କୋ, ଟେଲିଫୋନ୍, ଗ୍ୟାସ୍ କଂପାନି, ବିଦ୍ୟୁତ୍ ବିଭାଗ; ଯାହାର ଯେତେବେଳେ ଆବଶ୍ୟକ ସେମାନେ ରାସ୍ତାକୁ ଖୋଳି ପକାଉଛନ୍ତି। ଯିଏ ଖୋଳୁଛି, ସିଏ ଆଉ ପୋତୁନି, ଯଦି ବି ପୋତୁଛି ର’ ଠ’ କରି ଛାଡ଼ି ଦେଉଛି। କାମଚଳା ବାଲି, ମାଟି ପକାଇ ଛୁ ମାରୁଛନ୍ତି ଠିକାଦାର। ଗୋଟିଏ ରାସ୍ତାକୁ ବାରମ୍ବାର ଖୋଳାଯାଉଛି। ରାସ୍ତାକୁ ବାରମ୍ବାର ଖୋଳିବା ଦ୍ବାରା ସହରର ସମସ୍ତ ରାସ୍ତା ଏବେ ଦୁର୍ବଳ ହୋଇ ଦବିଗଲାଣି। ବିଭାଗୀୟ ସମନ୍ବୟର ଅଭାବ, ଦାୟିତ୍ବରେ ଥିବା ଅଧିକାରୀ, କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଭୟଙ୍କର ସ୍ଥିତି ଉପୁଜିଛି। ଏ ନେଇ ବିଭିନ୍ନ ସମୟରେ ହୋଇଥିବା ଚିଠି ଓ ନିର୍ଦ୍ଦେଶକୁ ଠିକାଦାର, କାମ କରୁଥିବା ଏଜେନ୍ସିମାନେ ଫାଙ୍କି ଦେଉଛନ୍ତି। ସେହିଭଳି ଖୋଳା ହୋଇଥିବା ରାସ୍ତା ପୋତା ହେଲା କି ନାହିଁ, ଯିଏ ଖୋଳୁଛି ସେ ରୋଡ୍ କଟିଂ ପାଇଁ ପୂର୍ବରୁ ଅନୁମତି ନେଇଛି କି ନାହିଁ, ଅନୁମତି ନେଇଥିଲେ ଠିକାସଂସ୍ଥା ଚୁକ୍ତି ଅନୁସାରେ କାମ କରୁଛି କି ନାହିଁ, ଏ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରାଯାଉନି। ପୂର୍ତ୍ତ ବିଭାଗ ରାସ୍ତାରେ ଏହାର ତଦାରଖ ପାଇଁ କର୍ମଚାରୀ ନ ଥିବାରୁ ଠିକାଦାର ଏହାର ଫାଇଦା ନେଇ ଚାଲିଛନ୍ତି। ସେହିଭଳି ସିଏମ୍ସିରେ ମଧ୍ୟ ସମାନ ଅବସ୍ଥା। ଏଭଳି ବେପୁରିଆ ନୀତି ପାଇଁ କଟକ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି। କଟକ ମୁଖ୍ୟରାସ୍ତା, ରିଂ-ବନ୍ଧ ସମେତ ଗଳି କନ୍ଦି ରାସ୍ତାରେ ଏଭଳି ବିପର୍ଯ୍ୟସ୍ତ ହୋଇପଡିଛି।
ପୂର୍ତ୍ତ ବିଭାଗ, କଟକ ମହାନଗର ନିଗମ ଅଧୀନରେ ଥିବା ରାସ୍ତାରେ ଏଭଳି ସ୍ଥିତି ଦେଖାଦେଇଛି। ଏହା ଉପରେ ଉଭୟ ଅନୁଷ୍ଠାନର ନିୟନ୍ତ୍ରଣ ନାହିଁ। ଯାଞ୍ଚ ବ୍ୟବସ୍ଥା ଠିକ୍ ନ ଥିବାରୁ ଏଭଳି ସମସ୍ୟା ଗମ୍ଭୀର ହେବାର ଲାଗିଛି। ନିୟମ ମୁତାବକ, ଯେଉଁ ଠିକାଦାର ରାସ୍ତା ଖୋଳିବେ ସେମାନେ ପ୍ରଥମେ ରୋଡ୍ କଟିଂ ପାଇଁ ଅନୁମତି ନେବେ। ଅନୁମତି ପାଇବା ପରେ ଯେତିକି ରାସ୍ତା ଖୋଳିବେ ତା’ର ବିବରଣୀ ଦେବା ପରେ ଏହାର ମୂଲ୍ୟାୟନ କରାଯିବ, ମୂଲ୍ୟାୟନ ହୋଇଥିବା ରାଶି ଜମା କରି ସାରିବା ପରେ ଯାଇ ରାସ୍ତା ଖୋଳିପାରିବେ। ଖୋଳି ସାରିବାର ନିର୍ଧାରିତ ସମୟ ପୂର୍ବରୁ ରାସ୍ତା ପୂର୍ବାବସ୍ଥାକୁ ଫେରାଇ ଆଣିବେ। ଏହାର ଖିଲାପି କଲେ ସେ ଜମା କରିଥିବା ଟଙ୍କାରେ ରାସ୍ତାର ମରାମତି କରାଯିବା ସହିତ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ସେ ସବୁ ନିୟମକୁ ଆଉ କେହି ମାନୁନାହାନ୍ତି। ଯାହାର ଯେତେବେଳେ ଇଚ୍ଛା, ସିଏ ରାସ୍ତା ଖୋଳୁଛି। ଅନୁମତି ଆଣିଥିବା କହି ରାସ୍ତାକୁ ନଷ୍ଟ କରୁଛନ୍ତି। ଏହି ସମସ୍ୟାକୁ ଦୂର କରିବାକୁ ଗତ କିଛିବର୍ଷ ତଳେ ବିଭାଗ-ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ରାସ୍ତା ଖୋଳିବାକୁ ଆର୍ଡିସି ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ରାସ୍ତାକୁ ବାରମ୍ବାର ନ ଖୋଳି ବିଭାଗଗୁଡ଼ିକ ପରସ୍ପର ସହ କଥା ହୋଇ ଏକାଥରେ ସବୁ କାମ ସାରିଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଯାଞ୍ଚ ବ୍ୟବସ୍ଥା ନଥିବାରୁ କୌଣସି ନିର୍ଦ୍ଦେଶ କାମ କରୁନି। କଟକ ସହରର ମୋଟ ୭୮୩ କିମି ରାସ୍ତା ଏବେ ଦୁର୍ବଳ ସ୍ଥିତିରେ ଥିବା ଜଣାପଡ଼ିଛି। ଏଥିପାଇଁ ସ୍କ୍ବାଡ୍ ଗଠନ କରାଯାଇ ଏହାର ନିୟମିତ ଯାଞ୍ଚ କରିବା ସହିତ ଚୁକ୍ତି ଖିଲାପକାରୀ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସ୍ଥିତି ସୁଧୁରି ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ, କର୍ମଚାରୀ ଅଭାବ ଥିବାରୁ ଏ ସମସ୍ତ ବ୍ୟବସ୍ଥାର ଯାଞ୍ଚ ସମ୍ଭବ ହେଉ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।