ଜେଲରଙ୍କ ଘର ଓ ଶ୍ୱଶୁର ଘରେ ଭିଜିଲାନ୍ସ ଚଢ଼ଉ

ଆଗରପଡ଼ା/କଟକ : ଭଦ୍ରକ ଜେଲ୍‌ର ପୂର୍ବତନ ଜେଲର ତଥା ସଂପ୍ରତି କଟକ ଚୌଦ୍ୱାର ଜେଲ୍‌ର ଜେଲର ସୁନାରାମ ସିଂଙ୍କ ଭଦ୍ରକସ୍ଥିତ ବାସଗୃହ, କେନ୍ଦୁଝର ଜିଲ୍ଲା ଘସିପୁରାର ଘର, କଟକ ଚୌଦ୍ୱାର, ଆଗରପଡ଼ା ଭଡ଼ାଘର ଓ ଶ୍ୱଶୁର ଘର ଉପରେ ଆଜି ସକାଳୁ ଗୋଟିଏ ଦିନରେ ମିଳିତ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏଭଳି ଚଢ଼ଉ ହୋଇଥିବା ଜଣାପଡ଼ିଛି।

ଭିଜିଲାନ୍ସର ଏକ ଟିମ୍‌ ଆଜି ବନ୍ତ ବ୍ଲକର ଆଗରପଡାସ୍ଥିତ ଶ୍ରୀ ସିଂଙ୍କ ଶ୍ୱଶୁର ଘର ଓ ଭଡାଘରେ ଚଢ଼ଉ କରିଥିଲେ। ୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କ ଶଳା ଗଣେଶ ସିଂ, ଶଳା ଭାଉଜ କଳ୍ପନା ସିଂଙ୍କ ସମେତ ଅନ୍ୟ ସଂପର୍କୀୟମାନଙ୍କୁ ପଚରା ଉଚରା କରିବା ସହ ବିଭିନ୍ନ ବ୍ୟାଙ୍କ ପାସ୍‌ବୁକ ଜବତ କରିିଛନ୍ତି। ଚଢ଼ଉ ବେଳେ ଆଗରପଡାସ୍ଥିତ ଆହ୍ଲାବାଦ ବ୍ୟାଙ୍କ ଶାଖାରେ ତାଙ୍କ ଶଳା ଭାଉଜ କଳ୍ପନା ସିଂଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ ଜମା ହୋଇଥିବା ଜଣାପଡ଼ିଛି। ଚଢ଼ଉରେ ମୟୂରଭଞ୍ଜ ଭିଜିଲାନ୍ସ ଡିଏସପି ଏସକେ. ଦାସ ମହାପାତ୍ର, ଭଦ୍ରକ ଡିଏସପି ଶରତ କୁମାର ମହାପାତ୍ର, ଇନ୍‌ସପେକ୍ଟର ତପନ କୁମାର ଦାସ, ମାନସୀ ଜେନା, ସମିତା ବେହେରା, ଅନିରୁଦ୍ଧ ନାୟକଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ।

କିଛିଦିନ ତଳେ ସୁନାରାମ ସିଂ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ତାଙ୍କୁ ଭଦ୍ରକରୁ ଚୌଦ୍ୱାର ଜେଲ ଡିଆଇଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ଏ ସଂକ୍ରାନ୍ତରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ଚୌଦ୍ୱାର ଜେଲ୍‌ରେ ଚଢଉ କରାଯାଇଥିଲା। ସକାଳ ପ୍ରାୟ ୫ଟା ସମୟରେ ଏହି ୮ଜଣିଆ ଦଳ ଚଢଉ କରିବାକୁ ଯାଇ ପ୍ରଥମେ ସୁନାରାମ ରହୁଥିବା କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ତାଲା ପଡିଥିବାରୁ ଭିଜିଲାନ୍ସ କର୍ତ୍ତୃପକ୍ଷ ତାଲାକୁ ଜଉମୁଦ ଦେଇ ସିଲ୍‌ କରିଦେଇଥିଲେ । ପରେ ଜେଲ ମଧ୍ୟରେ ଏହି ଟିମ୍‌ କାଗଜପତ୍ର ତନଖି କରି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଫେରିଯାଇଥିଲେ।

ସମ୍ବନ୍ଧିତ ଖବର