କଟକ : ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଉଭୟ ସ୍ବାମୀ-ସ୍ତ୍ରୀ। ସ୍ବାମୀ ଗୋଟିଏ ପଞ୍ଚାୟତର ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଅନ୍ୟ ପଂଚାୟତରେ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସ୍ତ୍ରୀ। ସ୍ବାମୀ ସମିତି ସଭ୍ୟ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏପଟେ ସ୍ତ୍ରୀଙ୍କୁ କିନ୍ତୁ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ। ଏଭଳି ସ୍ଥିତିରେ ସ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ପାଇଁ ଗ୍ରାମବାସୀ ନିଜ ଭିତରେ ଆଦାୟ କରି ୨୦ ହଜାର ଟଙ୍କା ସଂଗ୍ରହ କରିଛନ୍ତି। ସେହି ଗାଁରେ କେହି ବି ଆଉ ପୋଷ୍ଟର, ବ୍ୟାନର ନିର୍ବାଚନ ପ୍ରଚାର ପାଇଁ ଲଗାଇବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। କଟକ ଜିଲ୍ଲାର ନରସିଂହପୁର ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ନିର୍ମଳ କୁମାର ଜେନା ୨୦୧୭ରେ ୧୭ ନମ୍ବର ଜୋନ୍‌ ଜିଲ୍ଲାପରିଷଦରୁ ବିଜୟୀ ହୋଇଥିଲେ। ସେ ଏଥର କାଠଖୁଣ୍ଟ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ସସ୍ମିତା ଜେନା ଦେବଭୂଇଁ ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି। ସେହି ପଂଚାୟତ ଅନ୍ତର୍ଗତ ଭୁସ୍କା, ଡିହସାହି ଓ ବାହାଡାର ଗ୍ରାମବାସୀ ନିଜ ଭିତରେ ଟଙ୍କା ଆଦାୟ କରି ସସ୍ମିତାଙ୍କ ନିର୍ବାଚନ ଖର୍ଚ୍ଚ ପାଇଁ ୨୦ ହଜାର ଟଙ୍କା ଦେଇଛନ୍ତି। ଏବଂ ସେମାନଙ୍କ ଅଞ୍ଚଳରେ କୌଣସି ପ୍ରାର୍ଥୀ ପୋଷ୍ଟର, ବ୍ୟାନର ନିର୍ବାଚନ ପ୍ରଚାର ପାଇଁ ଲଗାଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।